ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ : ପୁରୁଣାବଜାରରୁ ୪ ଅଭିଯୁକ୍ତ ଗିରଫ, ମେସିନ୍‌ ଓ ନକଲି ଜର୍ଦ୍ଦା ପ୍ରସ୍ତୁତି ସାମଗ୍ରୀ ଜବତ

ବାହାର ରାଜ୍ୟକୁ ଲମ୍ବିଛି ଚେର

ଭଦ୍ରକ : ଭଦ୍ରକ ଜିଲ୍ଲାର ପୁରୁଣାବଜାର ଅଞ୍ଚଳରେ ନକଲି ଜର୍ଦ୍ଦା ତିଆରି କାରଖାନାକୁ ପୁଲିସ ଠାବ କରିଛି। ଗତକାଲି ରାତିରେ ଏହି କାରଖାନାରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରାଯାଇଛି। ବଡଶଙ୍କରପୁର ଅଞ୍ଚଳର ସେକ୍‌ ଅଲ୍ଲି (୫୦) ଏହି ନକଲି ଜର୍ଦ୍ଦା ର‍୍ୟାକେଟ୍‌ର ମୁଖ୍ୟ ବୋଲି କୁହାଯାଉଥିବାବେଳେ ତାଙ୍କ ସହଯୋଗୀ ସେକ୍‌ କରିମୁଲ୍ଲା (୩୫), ସରକାର ନଗରର ସେକ୍‌ ଉମେଦ୍‌ (୩୮) ଓ ବୁଧବାରହାଟ ଅଞ୍ଚଳର ସେକ୍‌ ଗୋଲାମ (୪୦) ପୁଲିସ ହାତରେ ଧରା ପଡ଼ିଛନ୍ତି।

ଚଢ଼ଉ ବେଳେ ୩ଟି ଜର୍ଦ୍ଦା ପ୍ରସ୍ତୁତ ମେସିନ୍‌, ପ୍ୟାକିଂ ମେସିନ୍‌ ଓ ସିଲ୍‌ ମେସିନ୍‌କୁ ପୁଲିସ ଜବତ କରିଛି। ଏହାଛଡ଼ା ଗୋଟିଏ ଆଇରନ୍‌ କଟର, ଜର୍ଦ୍ଦା ଲିକୁଇଡ୍‌ ୧୫ ବୋତଲ, ଜର୍ଦ୍ଦା ସେଣ୍ଟ୍‌ ୧୫ ବୋତଲ, ୩୦ କିଲୋଗ୍ରାମ ଜର୍ଦ୍ଦା ପତି, ଗୋପାଳ ଜର୍ଦ୍ଦା କମ୍ପାନୀର ପ୍ୟାକେଟିଂ ଲେବଲିଂ ଜରି, ଗୋପାଳ ଜର୍ଦ୍ଦାର ୮୦୦ଟି ବଡ଼ ଓ ଛୋଟ ଟିଣ ଡବା ଏବଂ ଗୋପାଳ ଜର୍ଦ୍ଦାର ୧୫୯ଟି ଡବା ମଧ୍ୟ ଜବତ କରାଯାଇଛି।

ପୁଲିସ ଏ ନେଇ ଭଦ୍ରକର ପୁରୁଣାବଜାର ଥାନାରେ କେସ ନମ୍ବର ୨୭/୧୨୮/୧୮ରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତମାନଙ୍କ ନାମରେ ଆଇପିସିର ଧାରା ୪୨୦/୨୭୨/୨୭୩/୩୪, ଆର/ଡବ୍ଲୁ -୨୦ (୨) ଟବାକୋ ପ୍ରସ୍ତୁତ ଆଇନ୍‌ ୧୦୩/୧୦୪, ଟ୍ରେଡ୍‌ ମାର୍କ ଆକ୍ଟ ଅନୁଯାୟୀ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର