ଭଦ୍ରକ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ଆଜି ପରଲୋକ ହୋଇଛି। ସେ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।

Advertisment

ସ୍ବର୍ଗତ ଜଗନ୍ନାଥ ରାଉତ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ  ଚିକିତ୍ସିତ ହେଉଥିଲେ। ଭଦ୍ରକ ଜିଲ୍ଲାର ଧୁଷୁରି ବ୍ଲକର ନରସିଂହପୁର ଗାଁରେ ଜନ୍ମିତ ସ୍ବର୍ଗତ ରାଉତ ଭଦ୍ରକ ଜିଲ୍ଲାର ଧାମନଗର ଆସନରୁ ୩ ଥର କଂଗ୍ରେସ ବିଧାୟକ ଥିଲେ । ସେ ଅଷ୍ଟମ, ନବମ ଓ ଏକାଦଶ ବିଧାନସଭାରେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ। ସେ ବିଭିନ୍ନ ସମୟରେ ରାଜ୍ୟର ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସ୍ବର୍ଗତ ରାଉତ ୧୯୮୯ରୁ ୧୯୯୦ ଯାଏଁ ଶିଳ୍ପ ମନ୍ତ୍ରୀ, ୧୯୯୫ରୁ ୧୯୯୮ ମସିହା ଯାଏଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ୧୯୯୮ରୁ ୧୯୯୯ ଯାଏଁ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ସେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା କଂଗ୍ରେସର ସଭାପତି ଦାୟିତ୍ବ ବି ନିର୍ବାହ କରିଥିଲେ।

ସ୍ବର୍ଗତ ଜଗନ୍ନାଥ ରାଉତଙ୍କର ବିଧବା ପତ୍ନୀ ଓ ଏକ ପୁତ୍ର ଓ କନ୍ୟା ଅଛନ୍ତି। ତାଙ୍କ ପତ୍ନୀ ଖୋର୍ଦ୍ଧାର ପିଏନ୍ କଲେଜର ଅଧ୍ୟକ୍ଷା ଭାବେ ଅବସର ଗ୍ରହଣ କରିଥିଲେ। ଅପରପକ୍ଷରେ ତାଙ୍କ ପୁତ୍ର ଅଭିଷେକ ରାଉତ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।