ଭଦ୍ରକରେ ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ, ଆଜି ୫୮ରୁ ୫୭ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ

ଭଦ୍ରକ: ପ୍ରତିଦିନ ଭଦ୍ରକ ଜିଲ୍ଲାରେ କରୋନା ମିଟର ଉପରକୁ ଉଠୁଛି। ଆଜି ନୂଆ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ କେବଳ ସ୍ଥାନୀୟ ସଂକ୍ରମଣରୁ ହିଁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ଆଜି ୯୧୫ରେ ପହଞ୍ଚିଛି। ଆଉ ଗୋଟିଏ କିମ୍ବା ଦୁଇଟି ଦିନ ପରେ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହୋଇଯିବାର ସମ୍ଭାବନା ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୩ ଜଣ ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ ୨୨ ହଜାର ୩୫୩ ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଛି। ଆଜି ଚିହ୍ନଟ ହୋଇଥିବା ୫୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତିହିଡି ବ୍ଲକର ଗୁଆମାଳ ପଞ୍ଚାୟତରୁ ଜଣେ, ପାଳିଆବିନ୍ଧାରୁ ଜଣେ, ଭାଟପଡାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ବନ୍ତ ବ୍ଲକରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବନ୍ତ ବ୍ଲକ ଅନ୍ତର୍ଗତ ବଡମହିଷିଗୋଠ ଆଗରପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ଏବେ ଭୁବନେଶ୍ବରର କିମିସ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଗରପଡା ନିକଟସ୍ଥ ଗୋପିନାଥପୁର ପଞ୍ଚାୟତର କାଣ୍ଡବାରୁ ସର୍ବାଧିକ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଲୋକେ ଆଉ ଘରୁ ବହାରକୁ ବହାରୁ ନାହାନ୍ତି। ଆଗରପଡା ଅଞ୍ଚଳରେ ଏତେ ସଂଖ୍ୟାରେ ଆଜି ପର୍ଯ୍ୟନ୍ତ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ଆଗପରଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ କଡା କଟକଣା‌ କରାଯାଇଛି। ଆଗରପଡା ପୁରୁଷଣ୍ଢରୁ ଜଣେ, ବନ୍ତରୁ ୨ ଜଣ, ସଖୀପାଟଣାରୁ ଜଣେ, କୁମ୍ଭୁକରାଳରୁ ୪ ଜଣ ଓ ଚାରିଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ବନ୍ତ ବ୍ଲକରୁ ସର୍ବାଧିକ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଧାମନଗର ବ୍ଲକର ଭଗବାନପୁର ପଳିକିରିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ଭୁବନେଶ୍ବର ସମ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକର ୱାର୍ଡ ନମ୍ବର ୯ ବାଗୁରାଇରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ୧୮ ଚନ୍ଦନବଜାରରୁ ଜଣେ, ବାରିକଛକ, ଇଚ୍ଛାପୁରରୁ ୨ ଜଣ, ସରକାର ନଗରରୁ ଜଣେ, ଡାହାଣୀଗଡିଆରୁ ଜଣେ, ମଠସାହିରୁ ଜଣେ, ବାଇପାସ୍ ରୁ ୨ ଜଣ, ୱାର୍ଡ ୮ ତେନ୍ତୁଳାଇରୁ ଜଣେ, ଅସୁରାରୁ ଜଣେ, ଖଣ୍ଡତଡାର ବିଜେଗଙ୍ଗାଧରପୁରରୁ ଜଣେ, ଭଦ୍ରକ ବ୍ଲକରୁ ଜଣେ, ସାବରଙ୍ଗରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସ୍ବ‌ାସ୍ଥ୍ୟ ବିଭାଗରେ ଭାଳେଣି ପଡିଗଲାଣି। ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ ନଥିବା ବେଳେ ଆଗକୁ ଆହୁରି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ସେମାନଙ୍କୁ କିଭଳି ଭାବେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହାକୁ ନେଇ ଚିନ୍ତା ବଢିଛି। ଭଦ୍ରକ ଜିଲ୍ଲାକୁ ସବୁକ୍ଷେତ୍ରରେ ଅବହେଳା କରି ଆସୁଥିବା ରାଜ୍ୟ ସରକାର ‌ କୋଭିଡି ପରି ମହାମାରୀ ସମୟରେ ସହଯୋଗର ହାତ ନବଢାଇଲେ ଲୋକଙ୍କ ଜୀବନ ପୋକ ମାଛି ଭଳି ତଳେ ପଡି ହୀନସ୍ଥା ହେବାଛଡା ଆଉ କିଛି ଉପାୟ ନାହିଁ। ଜିଲ୍ଲାବାସୀଙ୍କୁ ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବୁଦ୍ଧିଜୀବୀ ଦାବି କରିଛନ୍ତି। କୋଭିଡ୍ ପରିଚାଳନା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଲୋକଙ୍କ ପାଖରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଭଦ୍ରକରେ ସେଭଳି କିଛି ବ୍ୟବସ୍ଥା ନାହିଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର