ଭଦ୍ରକ: ପରକୀୟା ପ୍ରୀତି ଯୋଗୁଁ ଶାବଳ ମାଡ଼ରେ ଯୁବକଙ୍କ ଜୀବନ ଗଲା, ଜଣେ ଗିରଫ

ଭଦ୍ରକ: ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ୍‌ଏସି)ରେ ଶନିବାର ଜଣେ ଯୁବକଙ୍କୁ ଶାବଳରେ ପିଟିପିଟି ହତ୍ୟା କରାଯାଇଛି। ଏନ୍‌ଏସିର ୧୦ ନମ୍ବର ଓ୍ଵାର୍ଡରେ ଘଟିଥିବା ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ଅଛି।

ରିପୋର୍ଟ ଅନୁସାରେ ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି। କୁହାଯାଉଛି ଯେ, ଭଦ୍ରକ ଟାଉନ୍‌ ଥାନା ଅନ୍ତର୍ଗତ ଆଚାର୍ଯ୍ୟ ନଗର ଅଂଚଳର ଯୁବକ ପ୍ରଦୀପ ନାୟକ ଜୈନିକ ବ୍ୟକ୍ତିଙ୍କ ଝିଅକୁ ବହୁ ଦିନ ହେବ ଭଲ ପାଇ ଆସୁଥିଲେ। ସ୍ତ୍ରୀ ଓ ପିଲା ଛୁଆ ଥାଇ ମଧ୍ୟ ପ୍ରଦୀପ ଜୈନିକ ବ୍ୟକ୍ତିଙ୍କ ଘରକୁ ଯିବା ଆସିବା କରୁଥିଲେ। ଅନ୍ୟ ଦିନ ଭଳି ପ୍ରଦୀପ ଆଜି ମଧ୍ୟ ଯାଇଥିଲେ। ଏହି ସମୟରେ ପ୍ରଦୀପଙ୍କ ପ୍ରେମିକାଙ୍କ ପିତା ଓ ଭାଇମାନଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଏହା ପରେ ପ୍ରଦୀପ ପ୍ରେମିକାଙ୍କୁ ଜୋରଜବରଦସ୍ତ ନିଜ ବୁଲେଟ୍‌ରେ ବସାଇ ନେଇ ଯିବାକୁ ଉଦ୍ୟମ କରିଥିଲେ। ଫଳରେ ଯୁବତୀଙ୍କ ଭାଇ ରାଜକିଶୋର ସାହୁ ଏବଂ ସୁରେନ୍ଦ୍ର ସାହୁ ଉତ୍ତେଜିତ ହୋଇ ଘର ଭିତରୁ ଏକ ଶାବଳ ଆଣି ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଗୁରୁତର ହୋଇ ପଡ଼ି ରହିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପକୁ ହସ୍ପିଟାଲ ନେଇ ଯାଇଥିଲା। ହସ୍ପିଟାଲରେ ପହଂଚିବା ପରେ ପ୍ରଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଘଟଣାରେ ସଂପୃକ୍ତ ରାଜକିଶୋରଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ସୁରେନ୍ଦ୍ର ଫେରାର ଅଛି। ସ୍ଥାନୀୟ ଅଂଚଳ ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର