ଭଦ୍ରକ: ଭଦ୍ରକରେ ଗୋଟିଏ ଗୋଟିଏ ବିଭାଗରେ ବର୍ଷବର୍ଷ ଧରି ଚଉକି ମାଡ଼ି ବସିଛନ୍ତି ସରକାରୀ ବାବୁ। ପଦୋନ୍ନତି ହେଉଛି। ମାତ୍ର ବଦଳି ହେଉନି। ଗାଦି ଛାଡୁ ନାହାନ୍ତି ବାବୁ। କେବଳ ତଳ ତଳିଆ ବାବୁଙ୍କ କଥା ପଡି ନାହିଁ। ଜିଲ୍ଲାର ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଠାରେ ନିଜର ଗାଦି ମାଡି ବସିଛନ୍ତି। ଲବିକରି ବଦଳି ବାତିଲକରି ରହିଛନ୍ତି। ଏଇ ପ୍ରଶାସନିକ ଅଧିକାରୀ ଏବେ ସରକାରଙ୍କ ଟାର୍ଗେଟରେ ଅଛନ୍ତି। ରାଜ୍ୟ ସରକାରଙ୍କର ବଦଳି ଆଦେଶ ହେଲେ ଏଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କର ଭଦ୍ରକରୁ ଆଗ ପାଳି ପଡିବ ବୋଲି ତାଲିକାରୁ ଜଣାପଡିଛି। ଯେଉଁଥି ପାଇଁ ଏଇ ଷ୍ଟାଇଲିଷ୍ଟ ବାବୁଙ୍କର ମୁହଁ ଶୁଖି ଯାଇଛି। ଭଦ୍ରକରେ ରହିବା ପାଇଁ କାଳେ ଆଉ ତାଙ୍କ ଲବି କାମ କରିବ ନାହିଁ ବୋଲି ଏବେ ସବୁ ମହଲରେ ଚର୍ଚ୍ଚା ଚାଲିଛି। ବିଜେଡି ସରକାର କ୍ଷମତାକୁ ଆସିଥିଲେ ଏଇ ବାବୁ କାଳେ ଭଦ୍ରକରେ ଏକ ବଡ ପୋଷ୍ଟ ମାଡି ବସିବା ପାଇଁ ଲବି କରିଥିଲେ। ହେଲେ ବାବୁଙ୍କର ସବୁ ଲବି ଏବେ ଫସର ଫାଟି ଯାଇଛି। ବାବୁଙ୍କୁ କାଳେ ଆଉ କେହି ପଚାରୁ ନାହାନ୍ତି।ଏବେ ନିଜ ଅଫିସ୍ ଆସୁଛନ୍ତି। ପୁଣି କ୍ବାଟରକୁ ଫେରି ଯାଉଛନ୍ତି। କେବଳ ଏଇ ବରିଷ୍ଠ ଅଧିକାରୀଙ୍କ ବଦଳିକୁ ନେଇ ଭଦ୍ରକରେ ଚର୍ଚ୍ଚା ହେଉଛି ତା ନୁହେଁ।
ଭଦ୍ରକର ରାଜସ୍ବ ବିଭାଗରେ ଗୋଟିଏ ସର୍କଲରେ ଓ ଗୋଟିଏ ତହସିଲ ଅଫିସ୍ ଅଧିନରେ ରାଜସ୍ବ କ୍ଷେତ୍ର ଅଧିକାରୀ ଭାବେ କାମ କରୁଥିବା ରାଜସ୍ବ ବିଭାଗର ଆରଆଇ,ଏଆରଆଇ, ଅମିନ, ସୁପରଭାଇଜର ବର୍ଷବର୍ଷ ଧରି ଗାଦି ମାଡି ରହିଛନ୍ତି। ୩ ବର୍ଷରୁ ଅଧିକ ସମୟ ସେମାନେ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ବୋଲି ନିୟମ ରହିଛି। ସେମାନେ କିଭଳି ଏତେ ବର୍ଷ ଧରି ନିଜ ପଦବୀରେ ଅଛନ୍ତି। ଜଣେ ଜଣେ ରାଜସ୍ବ ଅଧିକାରୀ ଗୋଟିଏ ଗୋଟିଏ ସର୍କଲରେ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ରହିଛନ୍ତି। ସେମାନଙ୍କର ବଦଳି ଆଦେଶ ଆସୁଥିଲେ ମଧ୍ୟ ଲବିକରି ବଦଳି ବାତିଲ କରୁଛନ୍ତି। ଗୋଟିଏ ଜାଗାରେ ଅଧିକ ଦିନ ଧରି ରହି ନିଜ ପଦବୀର ଦୂରୁପୋଯୋଗ କରୁଛନ୍ତି।
ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲାର ୭ଟି ତହସିଲ ଅଫିସ୍ ରହିଥିବା ବେଳେ ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲି, ଧାମନଗର,ବାସୁଦେବପୁର ରହିଛି। ଭଦ୍ରକ ତହସିଲରେ ୧୩ ଟି ରାଜସ୍ବ ସର୍କଲ ରହିଥିବା ବେଳେ ଧାମନଗରରେ ୧୨, ଭଣ୍ଡାରିପୋଖରୀରେ ୯, ତିହିଡିରେ ୧୦, ଚାନ୍ଦବାଲିରେ ୧୫, ବାସୁଦେବପୁରରେ ୧୩ ଓ ବନ୍ତ ତହସିଲରେ ୮ଟି ସର୍କଲ ରହିଛି। ବାସୁଦେବପୁର ତହସିଲର ସଦର ଆର.ଆଇ, ନାୟକାଣୀଡିହ, ବ୍ରାହ୍ମଣିଗାଁ, ବାଂଶଡା, ନର୍ସିଂପୁର, କୃଷ୍ଣପୁର, ଚୂଡାମଣି ଆଦି ସ୍ଥାନରେ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଗୋଟିଏ ସ୍ଥାନରେ ରହିଛନ୍ତି। ବେତଡା, ବାଂଶଡା ସର୍କଲର ଏ.ଆର.ଆଇମାନେ ୫ ବର୍ଷରୁ ଅଧିକ ସମୟ ରହିଛନ୍ତି। ଧାମନଗର ତହସିଲର ରାଧାବଲ୍ଲବପୁର ସର୍କଲରେ ୧୦ ବର୍ଷ ଧରି ଜଣେ ଆର.ଆଇ କାମ କରୁଛନ୍ତି। ଅସୁରାଳି ରାଜସ୍ବ ସର୍କଲରେ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଜଣେ ଆର.ଆଇ କାମ କରୁଛନ୍ତି। ରଇପୁର, ନଦୀଗାଁରେ ୫ ବର୍ଷରୁ ଅଧିକ ସମୟ ରହି କାମ କରୁଛନ୍ତି। ନଦୀଗାଁ ସର୍କଲରେ ଜଣେ ସୁପରଭାଇଜର ପଦୋନ୍ନତି ପାଇ ଏକାସ୍ଥାନରେ ୧୦ ବର୍ଷ ହେଲା ଅଛନ୍ତି। ଚାନ୍ଦବାଲି ତହସିଲର ସାରଣା, ବାଂଶଡା, ଧାମରା, କଇଥକୋଲା ସର୍କଲର ଆର.ଆଇମାନେ ୫ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ରହିଛନ୍ତି। ନାଲଗୁଣ୍ଡା, ଚରଦିଆ, ମତ୍ତୋ ସର୍କଲରେ ୫ ବର୍ଷରୁ ଅଧିକ ସମୟ ଧରି କର୍ମଚାରୀମାନେ କାମ କରୁଛନ୍ତି। ଆରଡି ସର୍କଲରେ ଥିବା ଏ. ଆର.ଆଇ ପଦନ୍ନୋତି ପାଇ ସେହି ସର୍କଲରେ ଅଧିକ ଦିନ ହେଲା କାମ କରୁଛନ୍ତି। ଭଣ୍ଡାରିପୋଖରୀ ତହସିଲ ଅଧିନରେ ଭଣ୍ଡାରିପୋଖରୀ, କୁଲଣା, ମଂଜୁରୀରୋଡ ରାଜସ୍ବ ସର୍କଲରେ ୫ ବର୍ଷରୁ ଅଧିକ ସମୟ ଧରି ଆର.ଆଇମାନେ କାମ କରୁଛନ୍ତି। ରଂଜିତ, ଜଗନ୍ନାଥ ପ୍ରସାଦ, ବିରୋଳି, ସରସଦା ସର୍କଲରେ ୫ ବର୍ଷରୁ ଅଧିକ ସମୟ ଧରି କାମ କରୁଛନ୍ତି। ସେହିପରି ଭଦ୍ରକ ତହସିଲର ବେକା, ବହୁଦରଡା, ବେକା, ଅନ୍ନପାଳ ରାଜସ୍ବ ସର୍କଲରେ ଆରଆଇମାନେ ୫ ବର୍ଷରୁ ଉର୍ଦ୍ଧ୍ବ ସଢ଼ୟ ହେଲା କାମ କରୁଛନ୍ତି। ଆମ୍ବ୍ରୋଳି ସର୍କଲରେ ଅମିନରୁ ପଦୋନ୍ବତୀ ହୋଇ ୮ବର୍ଷ ହେବ ଆରଆଇ ଭାବେ କାମ କରୁଛନ୍ତି। କାଉପୁର ସର୍କଲରେ ଜଣେ ଅମିନ ପଦୋନ୍ନତି ପାଇ ଆରଆଇ ପଦରେ ୮ବର୍ଷ ହେଲା କାମ କରୁଛନ୍ତି। ଚରମ୍ପା ରାଜସ୍ବ ସର୍କଲରେ ଥିବା ଏଆରଆଇ ମାନେ ଆରଆଇ ପଦକୁ ପଦୋନ୍ନତି ହୋଇ ଏକାସ୍ଥାନରେ କାମ କରୁଛନ୍ତି। ତିହିଡି ତହସିଲର କୋହ୍ଲ, ତିହିଡି, ପୀରହାଟ, ଗଦି ରାଜସ୍ବ ସର୍କଲରେ ୧୦ ବର୍ଷ ରୁ ଅଧିକ ସମୟ ଧରି ଆରଆଇମାନେ କାମ କରୁଛନ୍ତି। ପାଳିଆ ରାଜସ୍ବ ସର୍କଲର ଏଆରଆଇ ୮ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରୁଛନ୍ତି। ବନ୍ତ ତହସିଲ ଏବେ ଦୁର୍ନୀତିର ଗନ୍ଥାଘର ପାଲଟିଥିବା ବେଳେ ଏଇ ତହସିଲର ଅଣିଜ ରାଜସ୍ବ ସର୍କଲ ଆରଆଇ ୧୦ ବର୍ଷରୁ ଅଧିକ ସମୟ କାମ କରୁଥିବା ବେଳେ ବନ୍ତ ସର୍କଲ ଆରଆଇ ବି ୩ ବର୍ଷରୁ ଅଧିକ ସର୍ମ ହେଲା କାମ କରୁଛନ୍ତି। ଛୁଆଳସିଂହ, ଆଗରପଡା ସର୍କଲର ଏଆରଆଇମାନେ ୫ ବର୍ଷରୁ ଅଧିକ ସମୟ ରହି କାମ କରୁଛନ୍ତି। ରଜାସ୍ବ ସର୍କଲ ଗୁଡିକରେ କାମ କରୁଥିବା ଅନେକ କର୍ମଚାରୀ ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ସାଧାରଣ ଲୋକଙ୍କ ଜମି ଜମା କାର୍ଯ୍ୟ, ଜମି ପଟ୍ଟା ପ୍ରଦାନ, ଜମି ଚିହ୍ନଟ, ଆୟ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ପ୍ରମାଣପତ୍ର ପ୍ରକ୍ରିୟା କାର୍ଯ୍ୟରେ ଅନେକ କର୍ମଚାରୀ ଲୋକଙ୍କୁ ବାରଂବାର ଦୌଡାଉଥିବା ବେଳେ ହଇରାଣ ହରକତ କରୁଥିବାର ଅଭିଯୋଗ ହେଉଛି। ଯେଉଁ କର୍ମଚାରୀମାନଙ୍କ ନାମରେ ଏଭଳି ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତୁରନ୍ତି ଏଭଳି କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବି ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp