ଭଦ୍ରକ: ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା, ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ, ଆଇନଜୀବୀଙ୍କ ସୁରକ୍ଷା ପାଇଁ ଏଡଭୋକେଟ ପ୍ରୋଟେକ୍ସନ ଆକ୍ଟ ସଂସଦରେ ଆସିବା, ଆମ ରାଜ୍ୟ ଓ ଦେଶରେ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଦାବି କରି ଭଦ୍ରକ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ ଓ ଏକ ପ୍ରତିବାଦ ସଭା ଭଦ୍ରକ ଜିଲ୍ଲା ନ୍ୟାୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। 

Advertisment

ରାଜ୍ୟ ବାର୍ କାଉନସିଲ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଭଦ୍ରକ ଓକିଲ ସଂଘ କଲମ ଛାଡ କରିଛି। ସ୍ବର୍ଗତ ପଣ୍ଡା ଓ ଭଦ୍ରକ ଓକିଲ ସଂଘର ବରିଷ୍ଠ ସଭ୍ୟ ବିଜୟ ଜେନାଙ୍କ ସ୍ମୃତିରେ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଭଦ୍ରକ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ସମେତ ୧୦୦୦ ବର୍ଷର ଭାଇଚାରାର ସହର କଟକରେ ସାଂପ୍ରଦାୟିକ ଗଣ୍ଡଗୋଳ, ବାଲେଶ୍ବରରେ କର୍ଫ୍ଯୁ, ଗତ ଏକ ମାସ  ଭିତରେ ଆମ ରାଜ୍ୟରେ ୩୯ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୂଚାଉଥିବା ବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣେ ଓକିଲ ଲାଇସେନ୍ସ ପ୍ରାପ୍ତ ମୌଳବାଦୀ ନିଜ ବୁଟ୍ ଫୋପାଡ଼ିବା ଘଟଣା ଭାରତୀୟ ନ୍ୟାୟପାଳିକା ଓ ସମ୍ବିଧାନ ପ୍ରତି ଶକ୍ତ ଆକ୍ରମଣ ବୋଲି ଭଦ୍ରକ ଓକିଲ ସଂଘ ମତପ୍ରକାଶ କରିଛି।

ଭାରତୀୟ ଡାକ ଟିକଟ ଓ ନୂତନ ଭାବେ ମୁଦ୍ରିତ ୧୦୦ ଟଙ୍କିଆ ମୁଦ୍ରା ରେ ଭାରତର ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ଆଦୌ ଅଂଶଗ୍ରହଣ କରିନଥିବା ଆରଏସ୍ଏସ୍ ର କର୍ମୀ ମାନଙ୍କ ଫଟୋ ମୁଦ୍ରଣ କରିବା ପରେ ଆମ ଦେଶର ମୌଳବାଦୀ ମାନେ ସକ୍ରିୟ ହୋଇପଡ଼ିଛନ୍ତି। ମୌଳବାଦୀ ଓ ଆତତାୟୀମାନଙ୍କୁ ପ୍ରତିହତ କରିବା ପାଇଁ ଭାରତର ଜନଗଣ ଆଗେଇ ଆସିବାକୁ ପ୍ରତିବାଦ ଆନ୍ଦୋଳନରେ ଓକିଲମାନେ ମତବ୍ଯକ୍ତ କରିଥିଲେ।

ଏହି ପ୍ରତିବାଦ ଆନ୍ଦୋଳନରେ ଓକିଲ ସଂଘର ସଭାପତି ସନ୍ତୋଷ ଆଚାର୍ଯ୍ୟ, ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅଶୋକ କୁମାର ନାୟକ, ସହ ସଂପାଦକ ନିକୁଞ୍ଜ କୃଷ୍ଣ ପୂହାଣ, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ଓକିଲ ସଂଘ ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ଆଇନଜୀବୀ ଗିରିଧାରୀ ନାଥ, ବିଜନ ଯେନା, ପ୍ରଫୁଲ୍ଲ ସାମଲ, ଅଗଣି ଚରଣ ଜେନା, ବିନୟ ସ୍ୱାଇଁ, ବିକାଶ ନାଥ, ବିନୋଦ ସାହୁ, ଉଜ୍ବଳ ଯେନା, ସୁକାନ୍ତ ସେଠୀ, ପ୍ରତାପ ସେଠୀ, ସଞ୍ଜୟ ମାଝି, ବସନ୍ତ ମହାନ୍ତି, ମନୋରଞ୍ଜନ ଦାସ, ଶ୍ରୀକାନ୍ତ ବିଶ୍ବାଳ, ବିଚିତ୍ରାନନ୍ଦ ଯେନା, ଅକ୍ଷୟ ମଲ୍ଲିକ, ନିଶିକାନ୍ତ ନାୟକ, ପ୍ରଫୁଲ୍ଲ ପାଢୀ, ବିମଳ କୁମାର ମହାନ୍ତି, ପ୍ରଦୀପ ଜେନା ପ୍ରମୁଖ ନେତୃତ୍ବ ନେଇଥିଲେ।

Bhadrak