ଅସୁରାଳି/ଧୁଷୁରୀ : ଧାମନଗର ବ୍ଲକ ସାହସପୁର ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକ ନିଜ ପତ୍ନୀ ଓ ଶିଶୁ ପୁତ୍ରକୁ ହତ୍ୟା କରି ପୋତି ଦେଇଥିବା ଜଣାପଡ଼ିଛି। ଆଜି ରାତିରେ ଏ କଥା ସାମ୍ନାକୁ ଆସିଛି। ରାତି ପାହିଲେ ତଦନ୍ତ ହେବ ଓ ସତ୍ୟାସତ୍ୟ ଉନ୍ମୋଚନ ହେବ ବୋଲି ପୁଲିସ୍ କହିଛି।
ପ୍ରକାଶ ଯେ ସାହସପୁର ଗ୍ରାମର ବାବାଜୀ ମାଝିଙ୍କ ପୁଅ ଅଭୟ (୨୮) ଆରଡି ନିକଟ ନାନ୍ଦପୁର ଗାଁର ପଞ୍ଚାନନ ମାଝିଙ୍କ ଝିଅ ପଦ୍ମାବତୀ (୨୪)ଙ୍କୁ ବିବାହ କରିଥିଲେ। ପୂର୍ବରୁ ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିଲେ ଅଭୟ। ତାଙ୍କର ୪ବର୍ଷର ଝିଅ ଓ ୯ ମାସର ପୁଅ। ଅଭାବ ଅନଟନ ଯୋଗୁଁ ବିଭିନ୍ନ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଲାଗୁଥିଲା। ଗତ ୨୪ ତାରିଖରେ ଅଭୟ ଓ ପଦ୍ମାବତୀଙ୍କ ମଧ୍ୟରେ ବଚସା ହୋଇଥିଲା। ବାପା-ମା’ଙ୍କ କଳି ବେଳେ ଶିଶୁଟି କାନ୍ଦିବାରୁ ପଦ୍ମାବତୀ ରାଗରେ ପୁଅକୁ ଫିଙ୍ଗି ଦେଇଥିଲେ। କାନ୍ଥରେ ପିଟିହୋଇ ଶିଶୁଟି ସଜ୍ଞା ହରାଇଥିଲା। ପୁଅ ମରିଗଲା ଭାବି ଅଭୟ ଉତ୍କ୍ଷିପ୍ତ ହୋଇ ପଦ୍ମାବତୀଙ୍କ ବେକରେ ଏକ ଦଉଡ଼ି ଗୁଡ଼ାଇ ଚିପି ଦେଇଥିଲେ। ଶ୍ୱାସରୁଦ୍ଧ ହୋଇ ପତ୍ନୀ ପଦ୍ମାବତୀଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଓ ପୁଅ ମରିଯାଇଥିବା ଜାଣିବା ପରେ ଅଭୟ ସେହି ରାତିରେ ଘର ନିକଟରେ ଗାତ ଖୋଳି ଦୁହିଁଙ୍କ ଶବକୁ ପୋତି ଦେଇଥିଲେ। ପର ଦିନ ଅଭୟ ୪ ବର୍ଷର ଝିଅକୁ ଶଶ୍ୱର ଘରେ ଛାଡି ଆସିଥିଲେ। ଆଜି ରାତିରେ ଅଭୟ ଘର ନିକଟରୁ ଦୁର୍ଗନ୍ଧ ବାହାରୁଥିବା ସାହିପଡ଼ିଶା ଲୋକେ ଏନେଇ ଧୂଷୁରୀ ଥାନାକୁ ଖବର କରିଥିଲେ। ପୁଲିସ୍ ପହଞ୍ଚି ଅଭୟକୁ ଧରି ପଚରା ଉଚରା କରିବା ପରେ ସେ ମା’-ପୁଅଙ୍କୁ ପୋତି ଦେଇଥିବା ସ୍ୱୀକାର କରିଛି। ରାତି ଅଧିକ ହୋଇ ଯାଇଥିବାରୁ ଶବ ପୋତା ଯାଇଥିବା ସ୍ଥାନ ଖୋଳାଯାଇ ପାରି ନାହିଁ। ଅଭୟଙ୍କୁ ଅଟକ ରଖିବା ସହ ଘଟଣା ସ୍ଥଳରେ ପୁଲିସ ଜଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/mur.jpg)