ଭଦ୍ରକ/ତିହିଡି: ଜଣେ ନବମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଏକ ଶିଶୁ ପୁତ୍ର ଜନ୍ମ ଦେବା ଘଟଣା ଭଦ୍ରକ ଜିଲ୍ଲାରେ ଆଜି ଚର୍ଚ୍ଚାକୁ ଆସିଛି। ଏଇ ଘଟଣାରେ ମୁଖ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷରେ ନାବାଳିକା ଓ ତାଙ୍କ ନବଜାତ ଶିଶୁ ପୁତ୍ର ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ସୁରକ୍ଷିତ ଅବସ୍ଥାରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଅଞ୍ଚଳର ଜନୈକା ନବମ ଶ୍ରେଣୀର ପାଠ ପଢୁଥିବା ନାବାଳିକା କନ୍ୟା ଗର୍ଭବତୀ ହେବା ପରେ ଘଟଣା ଜଣାପଡିଥିଲା। ସେହି ଅଞ୍ଚଳର ଜଣେ ଯୁବକ ସଂପୃକ୍ତ ନାବାଳିକାଙ୍କ ସହ ଏଭଳି କାଣ୍ଡ ଭିଆଇ କେଉଁଆଡେ ଫେରାର ହୋଇଯାଇଥିବା ସୂଚନା ରହିଛି।
ଗର୍ଭବତୀ ଥିବା ନାବାଳିକା ଓ ତାଙ୍କର କିଛି ସଂପର୍କୀୟ ବ୍ୟକ୍ତିବିଶେଷ ନ୍ୟାୟ ପାଇଁ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଆସିଥିଲେ। ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ବେଳେ ଏଭଳି ଘଟଣା ଶୁଣି କିଛି ସାମାଜିକ କର୍ମୀ ଘଟଣାସ୍ଥଳକୁ ଆସି ସେମାନଙ୍କୁ ନ୍ୟାୟ ଦେବା ନେଇ ଭଦ୍ରକର ଅତିରିକ୍ତ ଏସପି ବିକାଶ ଦାସଙ୍କ ନିକଟକୁ ଆସିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ସଂପୃକ୍ତ ନାବାଳିକାଙ୍କର ସଂପର୍କୀୟ ଓ ଉପସ୍ଥିତ ସାମାଜିକ କର୍ମୀମାନେ ଦାବି କରିଥିଲେ। ଏଭଳି ସ୍ପର୍ଶକାତର ଘଟଣା ସଂପର୍କରେ ଅତିରିକ୍ତ ଏସପି ଶ୍ରୀ ଦାସ ଅବଗତ ହେବା ପରେ ଏଇ ଘଟଣାରେ ଯିଏ ବି ସଂପୃକ୍ତ ଥାଉ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ତିହିଡି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ସେତିକି ନୁହେଁ, ଜଣେ ନାବାଳିକା ଗର୍ଭବତୀ ହୋଇଥିବାରୁ ତାଙ୍କୁ ସ୍ବଳ୍ପ ସମୟ ପାଇଁ ଭଦ୍ରକର ଆସିଆନା ଆଶ୍ରୟସ୍ଥଳରେ ରହିବାର ସୁଯୋଗ ଦିଆଯାଉ ବୋଲି ଆଲୋଚନା ଚାଲିଥିବା ବେଳେ ଗର୍ଭବତୀ ଥିବା ସଂପୃକ୍ତ ନାବାଳିକାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ନାବାଳିକା ଜଣଙ୍କ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଏବେ ଭଦ୍ରକ ମେଡିକାଲରେ ଉଭୟ ନାବାଳିକା ମାଆ ଓ ତାଙ୍କର ଜନ୍ମିତ ଶିଶୁପତ୍ର ମେଡିକାଲରେ ସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ଅଭିଯୁକ୍ତମାନେ ଫେରାର ରହିଛନ୍ତି। ନାବାଳିକା ମାଆ ଓ ଶିଶୁ ପୁତ୍ର ସୁସ୍ଥ ହେବା ପରେ ସେମାନଙ୍କୁ ଭଦ୍ରକର କୌଣସି ଆଶ୍ରୟସ୍ଥଳରେ ଆଶ୍ରୟ ଦେବାକୁ ଭଦ୍ରକର କିଛି ସାମାଜିକ କର୍ମୀ ପ୍ରଶାସନ ନିକଟରେ ଦାବି ରଖିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି। ସେମାନଙ୍କ ବିିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଇ ଘଟଣାରେ ଦୁଇ ଜଣ ଯୁବକ ଓ ଜଣେ ମହିଳାଙ୍କର ସଂପୃକ୍ତି ରହିଛି ବୋଲି ସନ୍ଦେହ କରାଯାଉଛି। ଗିରଫ ଭୟରେ ତିନି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ତିହିଡି ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଆଜିି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/images-10.jpg)