ଭଦ୍ରକ: ରାହାଞ୍ଜା ଛକରେ ପୁଣି ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ଚାଷୀ ମୃତ

ଭଦ୍ରକ: ଜାତୀୟ ରାଜପଥ ୧୬ ନମ୍ବର ଉପରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଜଣେ ଚାଷୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଘଟଣାର ଶିକାର ହୋଇଛନ୍ତି ଶ୍ୟାମସୁନ୍ଦର ବେହେରା(୫୫)।

ରିପୋର୍ଟ ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜା ଛକରେ ଶନିବାର ଅପରାହ୍ନ ୪ଟାରେ ରାହାଞ୍ଜା ଗ୍ରାମର ଶ୍ୟାମସୁନ୍ଦର ବେହେରା ନିଜ ବିଲକୁ ଧାନ କାଟିବା ଲାଗି ବାହାରିଥିଲେ। ଏହି ସମୟରେ ବାଲେଶ୍ୱର ଦିଗରୁ କଟକ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍‌ ଶ୍ୟାମସୁନ୍ଦରକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି।

ଅନ୍ୟପଟରେ ଗୋଟିଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଟ୍ରକ ଭଙ୍ଗାରୁଜା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ୍‌ ପୁଲିସ ନିୟନ୍ତ୍ରଣରେ ଅଛି।

ସୂଚନାଯୋଗ୍ୟ ଆଜିର ଘଟଣା ଭଳି ୩ ମାସ ତଳେ ରାହାଞ୍ଜା ଛକ ଉପରେ ସଡ଼କ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର