ଭଦ୍ରକ/ବନ୍ତ: ଶନିବାର ରାତି ପ୍ରାୟ ୧୦ଟା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସିଆଳିଆ-ବର୍‌ହମ୍‌ପୁର ରାସ୍ତା ପାର୍ଶ୍ୱସ୍ଥ ଡାଳିମଗାଡ଼ିଆ କେନାଲ ନିକଟରେ ଜଣେ ବାପ ଓ ତାଙ୍କ ଝିଅକୁ ଜଣେ ବ୍ୟକ୍ତି ହାଣି କ୍ଷତବିକ୍ଷତ କରିପକାଇଛନ୍ତି।

ଆହତ ବାପଝିଅ ହେଲେ ଦୋଳପଦୀ ଗ୍ରାମର ରବୀନ୍ଦ୍ର ସାହୁ ଓ ନମିତା ସାହୁ।

Advertisment

ଗତକାଲି ରବୀନ୍ଦ୍ର ତାଙ୍କ ପରପଦା ଇଞ୍ଜିନିୟରିଙ୍ଗ୍‌ କଲେଜରେ ବି. ଟେକ୍‌ ପଢୁଥିବା ଝିଅ ନମିତାକୁ ଡାକ୍ତର ଦେଖାଇବାକୁ କଟକ ନେଇଥିଲେ। ରାତିରେ ସେମାନେ କେନ୍ଦୁଆପଦା ଷ୍ଟେସନ୍‌ରେ ଡିଏମ୍‌ୟୁ ଟ୍ରେନ୍‌ରୁ ଓହ୍ଲାଇ ନିଜ ସ୍କୁଟର ଚଢ଼ି ଘରକୁ ଫେରୁଥିଲେ। ଗାଁ ଆଉ ଅଳ୍ପ ଦୂର ଥିବା ବେଳେ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ବାପଝିଅ ଚିତ୍କାର କରିବାରୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା। ସ୍ଥାନୀୟ ଲୋକେ ଗାଡ଼ି କରି ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ।

publive-image

କୌଣସି ସୂତ୍ରର ଖବର ପାଇ ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆକ୍ରମଣକାରୀର ଟେର୍‌ ପାଇ ନାହିଁ।
ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଆକ୍ରମଣକାରୀ ଯୁବକ ହେଉଛନ୍ତି ଭଦ୍ରକ ସହରର ରାଜାରାମ ନାୟକ। ସେ ନମିତାଙ୍କୁ କୁଆଡ଼େ ଏକତରଫା ପ୍ରେମ କରୁଥିଲେ। ଏଥିରେ ବିଫଳ ହେବା ପରେ ସେ ଏ ଭଳି ଅମାନୁଷିକ କାର୍ଯ୍ୟ କରିଛି।

ଚିକିତ୍ସା ନିମନ୍ତେ ବାପାଝିଅଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି।