ଏସିଏସ୍ଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନବିକ୍ରି ଆରମ୍ଭରୁ ଚାଷୀ ହୀନସ୍ତା ହେଉଛି। ଚାଷୀର କଷ୍ଟାର୍ଜିତ ଧାନକୁ ନେଉ ନାହାନ୍ତି ସମବାୟ ସମିତିର ସଂପାଦକ। ମି୍ଲ ମାଲିକମାନେ ମଧ୍ୟ ଆର୍ଦ୍ରତାର ଆଳ ଦେଖାଇ ଫେରାଇ ଦେଉଛନ୍ତି ଧାନ। ଏଫଏକ୍ୟୁର ମାନ କହି ଜଣେ ଜଣେ ଚାଷୀଙ୍କ ନିକଟରୁ ପ୍ରତି କୁଇଣ୍ଟାଲରେ କାଟି ନେଉଛନ୍ତି ୭ରୁ ୮ କିଲୋ ଧାନ। ଅଖା ପାଇଁ ବି ଚାଷୀଠାରୁ ନେଉଛନ୍ତି ୩ ଟଙ୍କା। ଏମିତି ଭାବେ ଚାଷୀଙ୍କୁ ଭଦ୍ରକ ଜିଲ୍ଲାରେ ଶୋଷଣ କରାଯାଉଥିବା ବେଳେ ଆଜି ଏହାର ପ୍ରତିବାଦରେ ଜଣେ ଚାଷୀ ସମବାୟ ସମିତି ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଏସିଏସ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନ୍ତ ରିପୋର୍ଟ ପାଇବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭଦ୍ରକ ଜିଲ୍ଲାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ସେବା ସମବାୟ ସମିତି ଅଧୀନରେ ଯାଉଥିବା ବଡ଼ଗୋପାଳସାହି ଗ୍ରାମର ହରମୋହନ ବାରିକ (୫୦) ନାମକ ଜଣେ ଚାଷୀ ସ୍ଥାନୀୟ ସାବରଙ୍ଗ ସେବା ସମବାୟ ସମିତିକୁ ଧାନ ବିକ୍ରି କରିବାକୁ ଆସିଥିଲେ। ମାତ୍ର ଏଇ ସମିତିର ସଂପାଦକ ତାଙ୍କୁ ସମବାୟ ସମିତିରେ କାହିଁକି ଧାନ ଦେବ, ସିଧା ନିକଟସ୍ଥ ୱାଇଜିପି ରାଇସ୍ ମିଲକୁ ନେଇ ଯିବା ପାଇଁ କହିଥିଲେ। ସଂପାଦକଙ୍କ ପରାମର୍ଶକ୍ରମେ ଚାଷୀ ହରମୋହନ ତାଙ୍କ ଧାନ ନେଇ ଆଜି ସଂପୃକ୍ତ ରାଇସ୍ ମିଲ୍ ନିକଟକୁ ଆସିଥିଲେ। ରାଇସ୍ ମିଲ୍ରେ ତାଙ୍କର ଧାନ ଓଜନ କରାଯିବା ସହ ଏହାର ମାନ ନିର୍ଦ୍ଧାରଣ କରାଯାଇଥିଲା। ତେବେ ଧାନରେ ଆର୍ଦ୍ରତା ୨୨ ପ୍ରତିଶତ ଥିବା ଦର୍ଶାଇ ମିଲର୍ ଧାନ କିଣିବେ ନାହିଁ ବୋଲି ରୋକ୍ ଠୋକ୍ ଭାବେ ମନା କରିଦେଲେ। ବିଚରା ଏତେ କଷ୍ଟରେ ନିଜ ଗାଁରୁ ଧାନ ବୋହି ରାଇସ୍ ମିଲ୍ ପର୍ଯ୍ୟନ୍ତ ଯାଇ ଶେଷରେ ଧାନ ବିକ୍ରି କରି ନ ପାରି ଧାନ ନିଜ ଘରକୁ ଫେରାଇ ଆଣିଥିେଲ। ଏଥିରେ ହତାଶ ହୋଇପଡିଥିବା ଚାଷୀ ହରମୋହନ ନିଜକୁ ଧିକ୍କାର କରିବା ସହ ପୁଣି ସେବା ସମବାୟ ସମିତି ସଂପାଦକଙ୍କ ପାଖକୁ ଯାଇ ସବୁ କଥା କହିଥିଲେ। ଆଉ ଧାନ ଫେରାଇ ଆଣିବାର ଦୁଃଖ ସହି ନ ପାରି ହରମୋହନ ନିଜ ହାତରେ ଧରିଥିବା ଏକ ବିଷ ବୋତଲର ଠିପି ଖୋଲି ସମବାୟ ସମିତି ଆଗରେ ବିଷ ପିଇ ଦେଇଥିଲେ। ସ୍ଥାନୀୟ ଲୋକମାନେ କିଛି ବୁଝିବା ଆଗରୁ ହରମୋହନ ବିଷ ବୋତଲରେ ଥିବା ସବୁତକ ବିଷ ପିଇ ଦେବାରୁ ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ଏଭଳି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।
ପରେ ଏହି ଖବର ପାଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ଉପଜିଲ୍ଲାପାଳ ସୁଚାରୁ ବଳ ପ୍ରମୁଖ ହସ୍ପିଟାଲକୁ ଯାଇ ହରମୋହନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ। କେଉଁ ପରିସ୍ଥିତିରେ ତାଙ୍କର ଧାନ ଫେରାଇ ଦିଆଗଲା, ସେ ସଂପର୍କରେ ମଧ୍ୟ ଜିଲ୍ଲାପାଳ ଶ୍ରୀ ଦାସ ସଂପୃକ୍ତ ଚାଷୀଙ୍କଠାରୁ ସବୁ କଥା ପଚାରି ବୁଝିଥିଲେ। ଏଇ ଘଟଣାରେ ନିରପେକ୍ଷ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ଭଦ୍ରକ ଏସିଏସଓଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଉପଜିଲ୍ଲାପାଳ ସୁଚାରୁ ବଳ, ଭଦ୍ରକ ତହସିଲଦାର ପ୍ରଦୀପ ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ଅଶୋକ ମାଝୀ ପ୍ରମୁଖ ସେହି ଗ୍ରାମକୁ ଯାଇ ସଂପୃକ୍ତ ଚାଷୀଙ୍କର ପରିବାର ଲୋକଙ୍କୁ ଭେଟିଥିଲେ। ସମବାୟ ସମିତିର ସଂପାଦକ ଚାଷୀଠାରୁ ମଣ୍ଡିରେ ଧାନ ନକିଣି ତାଙ୍କୁ ନିକଟସ୍ଥ ମିଲକୁ ପଠାଇବା ଓ ମିଲ ପକ୍ଷରୁ କେଉଁ ପରିସ୍ଥିତିରେ ଧାନର ଆର୍ଦ୍ରତାର ଆଳ ଦେଖାଇ ଧାନ ଫେରାଇ ଦେଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଏ ସମସ୍ତ ଘଟଣାକୁ ନେଇ ବିଭାଗୀୟ ତଦନ୍ତକାରୀ ଅଧିକାରୀମାନେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଜିଲ୍ଲାପାଳ ଶ୍ରୀ ଦାସ ତଦନ୍ତ ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମ୍ବାଦକୁ କହିଛନ୍ତି। ଏଇ ଘଟଣା ପରେ ଜିଲ୍ଲାପାଳ ଶ୍ରୀ ମଧ୍ୟ ମଧ୍ୟ ଜିଲ୍ଲାର ସମସ୍ତ ସେବା ସମବାୟ ସମିତି ପକ୍ଷରୁ ଯେଭଳି ଭାବେ ଚାଷୀର ଧାନ କିଣାଯିବ ସେ ଦିଗରେ ଦୃଷ୍ଟି ଦେବାକୁ କଡା ତାଗିଦ୍ କରିଛନ୍ତି।
ଭଦ୍ରକ ଜିଲ୍ଲାରେ ଧାନକିଣା: ବାଧୁଛି ମିଲର୍ଙ୍କ କଟ୍ନି-ଛଟ୍ନି
ସମବାୟ ସମିତି ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ,ଗୁରୁତର ଚାଷୀଙ୍କୁ ମେଡିକାଲରେ ଭେଟିଲେ ଜିଲ୍ଲାପାଳ
/sambad/media/post_attachments/wp-content/uploads/2018/12/bhdrk-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)