ପଞ୍ଚାୟତ ନିର୍ବାଚନ: ଧାମନଗରକୁ ଧରିବା ପାଇଁ କସରତ, ନିଶାଣରେ ବିରୋଧୀ ଦଳ ଉପନେତା

ବିଷ୍ଣୁଙ୍କ ପାଇଁ ଅଗ୍ନିପରୀକ୍ଷା, ପ୍ରଣବଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଭଦ୍ରକ,(ହରିହର ନାୟକ): ଗତ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରୁ କେବଳ ଧାମନଗରକୁ ଛାଡ଼ିଦେଲେ ୪ଟି ଯାକ ଆସନ ଦଖଲ କରିଥିଲା ବିଜେଡି। ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୨୪ଟି ଜୋନ୍ ବିଜେଡି ଦଖଲକୁ ଯାଇଥିବା ବେଳେ ଧାମନଗର ନିର୍ବାଚନମଣ୍ଡଳୀର ୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା। ଏହିଦୃଷ୍ଟିରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୁଇଦଳର ଫୋକସ୍‌ରେ ରହିଛି ‘ଧାମନଗର’ ଜୋନ୍‌। ବିଜେପି ଏହାକୁ ଧରି ରଖିବା ପାଇଁ ଏବଂ ବିଜେଡି ଧରିବା ଅର୍ଥାତ୍‌ ଅକ୍ତିଆର କରିବା ପାଇଁ ରଣନୀତି ଆରମ୍ଭ କରିଦେଇଛନ୍ତି।

ଭଦ୍ରକ ଜିଲ୍ଲାରେ କେବଳ ଧାମନଗର ନିର୍ବାଚନମଣ୍ଡଳୀକୁ ଛାଡ଼ି ଆଉ ସବୁଠାରେ ବିଜେଡି ନିଜର ଆଧିପତ୍ୟ ବଜାୟ ରଖିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଜନସଂପର୍କ ହେଉ ବା ସାଙ୍ଗଠନିକ ଦକ୍ଷତା, ତାକୁ ଉପଯୋଗ କରି ବିଜେପି ଏଠାରେ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ବହୁମତ ହାସଲ କରିଥିଲା। ବିଷ୍ଣୁ ଏବେ ବିଧାୟକ ଓ ବିରୋଧୀ ଦଳ ଉପନେତା ଅଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ ହିଁ ଅସଲ ଲଢ଼େଇ ହେବ। ଅବଶ୍ୟ ନିର୍ବାଚନରେ କିଏ ଜିତିବ, କିଏ ହାରିବ ତାହା ଭିନ୍ନ କଥା। କିନ୍ତୁ ବିଷ୍ଣୁଙ୍କ ଗଡ଼ରେ ପଶିବା ପାଇଁ ତାଙ୍କୁ ନିଶାଣ କରିଛି ଶାସକ ବିଜେଡି। ପଞ୍ଚାୟତ ନିର୍ବାଚନ ଲାଗି ଟିକଟ୍‌ ବଣ୍ଟନ, ତୃଣମୂଳସ୍ତରରେ ସାଙ୍ଗଠନିକ କାର୍ଯ୍ୟ, ଦଳୀୟ ରଣନୀତି, ସବୁ କିଛି ବିଷ୍ଣୁଙ୍କ ଇଙ୍ଗିତରେ ଚାଲିଛି। ସେପଟେ ବିଷ୍ଣୁଙ୍କ ଆଧିପତ୍ୟ କ୍ଷୁଣ୍ଣ କରିବା ଲାଗି ବିଜେଡିର ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଗୋଟି ଚାଳନା ଆରମ୍ଭ କରିଛନ୍ତି। ଖାସ୍‌ ସେଥିପାଇଁ ଧାମନଗର ନିର୍ବାଚନମଣ୍ଡଳୀ ଏବେ ପୂରା ଫୋକସ୍‌ରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ନିର୍ବାଚନରେ ବିଜେଡି ନେତା ଅଶୋକ ନାୟକଙ୍କୁ ନିଜ ଦଳରୁ ସହଯୋଗ ମିଳିନଥିଲା। ଫଳରେ ବିଷ୍ଣୁଙ୍କ ଶରଣାପନ୍ନ ହୋଇ ଅଶୋକ ପରବର୍ତ୍ତୀ ସମୟରେ ସ୍ବାଧୀନ ଭାବେ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ଅଶୋକଙ୍କର ମନ ନ ମିଳିବାରୁ ଅଶୋକଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଉପରୁ ନିଲମ୍ବନ ଉଠାଇ ନିଆଯାଇଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ମୁକ୍ତିକାନ୍ତଙ୍କୁ ଆଉ ଧାମନଗରରୁ ଦଳୀୟ ଟିକଟ ମିଳିନଥିଲା। ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡି ଟିକଟ୍‌ ଦେଇଥିଲେ ମଧ୍ୟ ସେ ବିଷ୍ଣୁଙ୍କଠାରୁ ହାରି ଯାଇଥିଲେ।

ସାଧାରଣ ନିର୍ବାଚନରେ ପରାଜୟ ବିଜେଡିକୁ ହଜମ୍ ହୋଇନଥିଲା। ସେହିଦିନଠାରୁ ଧାମନଗର ନିର୍ବାଚନମଣ୍ଡଳୀରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ଲାଗି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସଂପାଦକ ବବି ଦାସ ପୂରାଦମ୍‌ରେ ଲାଗିପଡ଼ିଛନ୍ତି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ଭଦ୍ରକ-ବାଲେଶ୍ବର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ଓ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ସାଙ୍ଗରେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଣବ। ବିଷ୍ଣୁଙ୍କ ଭଳି ହେଭିୱେଟ୍‌ଙ୍କ ପାଇଁ ଆସନ୍ତା ପଞ୍ଚାୟତ ନିର୍ବାଚନ ଅଗ୍ନି ପରୀକ୍ଷା ହୋଇଥିବା ବେଳେ ପ୍ରଣବପ୍ରକାଶଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି।

ସମ୍ବନ୍ଧିତ ଖବର