ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ଉ : ବିପୁଳ ପରିମାଣର ନକଲି ଜର୍ଦା, ଡବା ଜବତ

ଭଦ୍ରକ : ନକଲି ଜର୍ଦ୍ଦା କାରବାରର ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକର ପୁରୁଣାବଜାର ଅଞ୍ଚଳ। ଆଜି ସନ୍ଧ୍ୟାରେ ଭଦ୍ରକ ପୁରୁଣା ବଜାର ଥାନା ପୁଲିସ ଅଲାରପୁର ଅଞ୍ଚଳରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢ଼ଉ କରି ବିପୁଳ ନକଲି ଜର୍ଦ୍ଦା ଗୁଣ୍ଡ, ମେସିନ, ଲେବୁଲ ଓ ସାମଗ୍ରୀ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଶେଖ୍‌ ସବିରକୁ ପୁଲିସ ଗିରଫ କରିଛି।

ଗତକାଲି ପୁଲିସ ଏକ ଟ୍ରାଭେରା ଗାଡିରୁ ନକଲି ଜର୍ଦ୍ଦା ଜବତ କରିଥିଲା। ଏଥିରେ ଶେଖ୍‌ ବାବୁଲାକୁ ଗିରଫ କରିଥିଲା। ଏହି ଘଟଣା ପରେ ଗତକାଲି ରାତିସାରା ପୁରୁଣାବଜାର ଅଞ୍ଚଳରେ ପୁଲିସ ଚଢ଼ଉ ଜାରି ରଖିଥିଲା। ନକଲି ଜର୍ଦ୍ଦା ମାଫିଆକୁ ଛାଡ଼ିଦେବାକୁ ପୁଲିସ ଉପରେ ଚାପ ପକାଇବା ସହିତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଅଲାରପୁର ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନାକୁ ଠାବ କରିଥିଲା। ଘଟଣାସ୍ଥଳରୁ ପ୍ରାୟ ୨ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦାଗୁଣ୍ଡ, ମେସିନ, ରାସାୟନିକ ତରଳ ପଦାର୍ଥ, ଗୋପାଳ କମ୍ପାନୀର ପ୍ୟାକିଂ ଲେବୁଲ, ଡବା, ନାମୀଦାମୀ କମ୍ପାନୀର ଷ୍ଟିକରକୁ ଜବତ କରିବା ସହିତ ଶେଖ୍‌ ସବିରଙ୍କୁ ଗିରଫ କରିବାକୁ ସଫଳ ହୋଇଥିଲା। ସବିରର ଘର ଖୋର୍ଦ୍ଧାର ଜଟଣୀ ଅଞ୍ଚଳରେ ହୋଇଥିବା ବେଳେ ଗତ କିଛିବର୍ଷ ହେଲା ସରକାର ନଗର ଅଞ୍ଚଳରେ ଭଡାରେ ରହି ପୁରୁଣାବଜାରର ଅଲାରପୁର ଓ ଭଦ୍ରକର ବିଭିନ୍ନ ଅଞ୍ଚଳରେ ନକଲି କାରବାର କରୁଥିଲା। ଅନ୍ୟପକ୍ଷରେ ପୁଲିସ ପୁରୁଣାବଜାର ଅଞ୍ଚଳରେ ଚଢ଼ଉ କରି ଜାଲ୍‌ ନୋଟ କାରକାରର ପର୍ଦ୍ଦାଫାସ୍‌ କରିଛି। ଏଥିରେ ୪ଜଣଙ୍କୁ ଅଟକ ରଖିଥିବା ବେଳେ ୧୭ ହଜାର ଟଙ୍କା ଜାଲ୍‌ ନୋଟ ଜବତ କରିଛି।

ସମ୍ବନ୍ଧିତ ଖବର