ଜୟନ୍ତୀ, ମଙ୍ଗଳା, କାଳୀ, ଭଦ୍ରକାଳୀ, କପାଳିନୀ, ଦୁର୍ଗା, କ୍ଷମା, ଶିବା, ଧାତ୍ରୀ, ସ୍ବାହା, ସୁଧା, ନମସ୍ତୁତେ। ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ସହ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର। ବର୍ଷକର ବିରତି ପରେ ମା ପୁଣି ଧୂଳି ମାଟିର ଧରଣୀ ବକ୍ଷକୁ ଓହ୍ଲାଇ ଆସିବେ। ମଣିଷର ସକଳ ମନବାଞ୍ଛା ପୂରଣ କରିବା ସହ ଅଜ୍ଞାନ ତୀମିରକୁ ଧ୍ବଂସ କରିବେ। ଦୁଷ୍ଟ ଦଳନ ସହ ସନ୍ଥଙ୍କୁ ରକ୍ଷା କରିବେ। ଏଇ ପ୍ରାର୍ଥନା କରି ଶ୍ରଦ୍ଧାଳୁମାନେ ମାଙ୍କ ଆରାଧନା ପାଇଁ ପ୍ରସ୍ତୁତ। ମା ଆସିବେ ଅସତ୍ୟର କାଳରାତ୍ରୀକୁ ନଷ୍ଟ କରି ସତ୍ୟର ବିଜୟ ବୈଜୟନ୍ତୀ ଉଡାଇବେ। ସାରା ରାଜ୍ୟରେ ପୁରପଲ୍ଲୀରେ ମା’ଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ନୂଆ ରୂପରେ ସଜେଇ ହେଉଛି ଚରମ୍ପା। ଭଦ୍ରକର ଏଇ ପ୍ରସିଦ୍ଧ କାଳୀପୂଜାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ଡ. ହରିହର ନାୟକ।
୬ ଶହ ବର୍ଷର ଆଦିଶକ୍ତି ପୀଠ ମା’ ଭଦ୍ରକାଳୀ
ଭଦ୍ରକ ଉଭୟ ଶିବ ଓ ଶକ୍ତି ପୀଠ ଭାବରେ ପରିଚିତ। ଆରଡିର ବାବା ଆଖଣ୍ଡଳମଣି ପୀଠ ଆଦି ଶୈବ ପୀଠ ଭାବେ କିମ୍ବଦନ୍ତୀ ରହିଥିବା ବେଳେ ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା ଭଦ୍ରକାଳୀ ଆଦ୍ୟ ଶକ୍ତିପୀଠ ଭାବେ ସ୍ବତନ୍ତ୍ର ମହିମା ରହିଛି। ୧୫୬୮ ମସିହା ବେଳକୁ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କୁ ଆକ୍ରମଣ କରିବା ଲାଗି କଳାପାହାଡ ଯୁଦ୍ଧକୁ ଯିବା ବାଟରେ ମା ଭଦ୍ରକାଳୀଙ୍କୂ ଦେଖିଥିଲେ। କଳାପାହାଡର ଡରରେ ଭକ୍ତମାନେ ମା ଭଦ୍ରକାଳୀଙ୍କୁ ମନ୍ଦିରରରୁ ନେଇ ସାଳନ୍ଦୀ ନଦୀ ଗର୍ଭରେ ଲୁଚାଇ ରଖିଥିଲେ। ଏହାର କିଛି ବର୍ଷ ପରେ ଭଦ୍ରକର ଆହାରପଦା ନିକଟସ୍ଥ ସାଳନ୍ଦୀ ନଦୀ ଗର୍ଭରୁ ମାଙ୍କର ମୂର୍ତ୍ତୀକୁ ଉଦ୍ଧା କରି ହିନ୍ଦୁ ଭକ୍ତମାନେ ଏକ କାଠ ନିର୍ମିତ ମନ୍ଦିରରେ ରଖି ମା ଭଦ୍ରକାଳୀଙ୍କୁ ପୂଜା ଅର୍ଚ୍ଚନା କଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୧୯୫୩ ମସିହାରେ ମା ଭଦ୍ରକାଳୀଙ୍କ ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ଆଜି ପର୍ଯ୍ୟନ୍ତ ମା ଭଦ୍ରକାଳୀ ସେହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି।
ଭଦ୍ରକାଳୀ ସାହିରେ ରହିଥିବା ମା ଭଦ୍ରକାଳୀଙ୍କର ପୂଜା ବିଧି ଓ ନୀତିକାନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ଦ୍ବାରା ହୋଇ ଆସୁଛି। କାଳୀ ପୂଜା ବେଳେ ଏଠାରେ ସପ୍ତ ଦିନ ବ୍ୟାପୀ ମାଙ୍କର ପୂଜା ଅର୍ଚ୍ଚନା ଚାଲେ। ୭ ଦିନରେ ସାତଟି ରୂପରେ ମା ପୂଜା ପାଆନ୍ତି। ମାଙ୍କର ଏହି ସପ୍ତମାତୃକା ବେଶ ପୂଜା ଦେଖିବା ପାଇଁ ମା ଭଦ୍ରକାଳୀଙ୍କ ପୀଠକୁ କାଳୀ ପୂଜା ଅବସରରେ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ମାଙ୍କର ସାନିଧ୍ୟ ନେଇ ଯାଇଛାନ୍ତି। କାଳୀପୂଜା ବେଳେ ଏଠାରେ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏି ମହାଯଜ୍ଞର ପୂର୍ଣ୍ଣାହୁତି ଦିନ ମାଙ୍କର ଚରୁ ଭୋଗ ପାଇବା ପାଇଁ ହାଜର ହଜାର ଭକ୍ତଙ୍କର ସମାଗମ ହୋଇଥାଏ। ଭଦ୍ରକାଳୀ ପୀଠରେ ମା ମୁଗୁନୀ ପଥର ମୂର୍ତ୍ତରେ ପୂଜା ପାଉଛନ୍ତି। ଯୋଗୀନୀ ତନ୍ତ୍ରରେ ଭଦ୍ରକାଳୀ ପାଠକୁ ଏକ ମହାନ ତନ୍ତ୍ର ପୀଠ ଭାବେ ପରିଗଣିତ ହୋଇଛି। ଭଦ୍ରକାଳୀଙ୍କୁ ମେଘାସନୀ ଓ ଏଠାରେ ବହିଯାଇଥିବା ସାଳନ୍ଦୀ ନଦୀକୁ ମେଘୋସନ କନ୍ୟା ବୋଲି କିମ୍ବଦନ୍ତୀ ଓ ଲୋକ କଥା ରହିଛି। ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏଠାରେ କାଳୀପୂଜା ବେଶ୍ ଧୁମ୍ ଧାମରେ ପାଳନ କରାଯିବ ବୋଲି ଏବେଠାରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି ବୋଲି ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।
୫୯ ବର୍ଷରେ ଚରମ୍ପା ସ୍କୁଲ ରୋଡ କାଳୀ ପୂଜା
୫୯ ବର୍ଷର ପ୍ରସିଦ୍ଧ ଚରମ୍ପାର ସ୍କୁଲ ରୋଡ କାଳୀ ପୂଜା ପାଇଁ ଏବେ ଠାରୁ ତୋରଣ ସଜ୍ଜା ଓ ମୁର୍ତ୍ତୀ ଗଢ଼ା କାମ ଚାଲିଛି। ବ୍ୟୟ ବହୁଳ ଏଇ କାଳୀପୂଜା ପାଇଁ ପୂଜା କମିଟିର ସଭାପତି କଲ୍ଲୋଳ ଲେଙ୍କା ଓ ସଂପାଦକ ମଦମ ମୋହନ ମହାନ୍ତିଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତାମାନେ ଲାଗି ପଡିଛନ୍ତ। ଚଳିତ ବର୍ଷ ଏଠାରେ ପୂଜା ପାଇଁ ମୂର୍ତ୍ତୀ ଗଢାରେ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଉ ଥିବା ବେଳେ ତୋରଣ ସଜ୍ଜା ଓ ପୂଜା ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କମିଟିର ସଭାପତି ପ୍ରକାଶ କରିଛନ୍ତି। ଆସନ୍ତା ୧୯ ତାରିଖରରୁ ପୂଜା ଆରମ୍ଭ ହେବ। ଏଥିପାଇଁ ଏରେଇ ଗ୍ରାମର ମୂର୍ତ୍ତୀ କାରିଗର ବିନୋଦ ବିହାରୀ ଧଳ କହନ୍ତି ଏଠାରେ ମାଙ୍କ ମୂର୍ତ୍ତୀ ଗଢା ଓ ପାର୍ଶ୍ବ ମୂର୍ତ୍ତୀ ଗଢା ପାଇଁ ୭ ଜଣ କାରିଗର ୧୩ ଦିନ ହେଲା ମୂର୍ତ୍ତୀ ଗଢା କାମାର ଲାଗିଛନ୍ତି । ଆଉ ଦୁଇ ଦିନ ସମୟ ଲାଗି। ମା’ ଙ୍କ ଚକ୍ଷୁଦାନ କରିବା ପରେ ଆମ କାମ ଶେଷ। ପ୍ରତିବର୍ଷ ଏଠାରେ ଆମେ ମୂର୍ତ୍ତୀ ଗଢୁଛି। ଏହା ମାଙ୍କର ଆର୍ଶିବାଦ ବୋଲି ସେ କହନ୍ତି। ଏଇ ପୂଜା ମଣ୍ଡପରେ ତୋରଣ ସଜା ପାଇଁ କଲିକତାରୁ ଆସିଥିବା କାରିଗରମାନେ ତାରଣ କାମେରେ ଲାଗିଛନ୍ତି। ବାଉଁଶ ପାତିଆରେ ଆକର୍ଷଣୀୟ ତୋରଣ କାମ ବେଶ୍ ମନଛୁଆଁ ହୋଇଛି।
ବାସନ୍ତୀ ଦୁର୍ଗା ପୂଜା କମିଟି
ଆଜକୁ ୧୭ ବର୍ଷ ଧରି ଚରମ୍ପାର ବିଶାଣି ଖରିଦାଠାରେ ମା ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ କାଳୀପୂଜା ପାଳିତ ହେଉଛି। ଏଠାରେ ପୂଜା ପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୂଜା କମିଟିର ସଭାପତି ଶ୍ୟାମ ସୁନ୍ଦର ଗୁପ୍ତା ଓ ସଂପାଦକ ନାରାୟଣ ଚନ୍ଦ୍ର ବିଶ୍ବାଳ ପ୍ରକାଶ କରିଛନ୍ତି। କମିଟିର ସମସ୍ତ ସଦସ୍ୟମାନେ ଏହି ପୂଜା ପାଳନରେ ସକ୍ରିୟ ସହଯୋଗ କରି ଆସୁଛନ୍ତି। ଏଠାରେ ୯ ଦିନ ଧରି ମାଙ୍କର ପୂଳା ଚାଲିବ ବୋଲି ପୂଜା କମିଟିର ସଂପାଦକ ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି।
ଏରେଇ କାଳୀ ପୂଜା ମେଢ
ଚରମ୍ପାର ସବୁଠାରୁ ବ୍ୟୟ ବହୁଳ ଦୁର୍ଗା ପୂଜା ହେଉଛି ଏରେଇ କାଳୀ ପୂଜା। ଏଠାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁଉଚ୍ଚ ମୂର୍ତ୍ତିୀ ଗଢା କାମ ଚାଲିଛି। କଲିକାତାର ମେଦିନାପୁର ଅଞ୍ଚଳର ତୋରଣ କାରିଗରମାନେ ଏଠାରେ କାମ ଆରମ୍ଭ କରିଛନ୍ତି। ନୂଆନୂଆ ଡିଜାଇନର ତୋରଣ କରିବାରେ ଏରେଇ କାଳୀ ମଣ୍ଡପର ସ୍ପତନ୍ତ୍ର ଅକାର୍ଷଣ ରହିଛି।ଏଇ ପୂଜା କମିଟିର ସଭାପତି ଅମୟ ରାଉତ, ସଂପାଦକ ରାଜକିଶୋର ଶତପଥୀ ଓ ପୂଜା କମିଟିର କର୍ମକର୍ତ୍ତାମାନେ କାଳୀ ପୂଜା ପାଇଁ ଲାଗିପଡିଛନ୍ତି। ଏଇ ପୂଜା କମିଟି ପକ୍ଷରୁ ପ୍ରାୟ ୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
ପିଡ୍ଲୁଡି ଆଇ କାଳୀ ପୂଜା
୧୦୨ ବର୍ଷର ପୂଜା ପରଂପରା ହେଉଛି ଚରମ୍ପା ପିଡ୍ଲୁଡି ଆଇ କାଳୀ ପୂଜା ମେଢ। ଏଇ ପୂଜା କମିଟିର ସଭାପତି ରବି ରାଘବ ତେଜା, ସଂପାଦକ ନଳିନୀକାନ୍ତ ମହାନ୍ତି ଓ ପୂଜା କମିଟିର ଅନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ପୂଜା କାର୍ଯ୍ୟ ଆଗକୁ ଚାଲିଛି।
୩ ଶହ ବର୍ଷର ଆଦିଶକ୍ତି ପୀଠ ମା’ ପଥରକାଳୀ
ଆଜକୁ ତିନି ଶହ ବର୍ଷ ତଳେ ମା ପଥର କାଳୀ ଏଠାରେ ବିରାଜମାନ କରିଥିଲେ। କିମ୍ବଦନ୍ତୀକୁ ଆଧାର କରି ମା ପଥରକାଳୀଙ୍କର ପୂଜା ଅର୍ଚ୍ଚନା କରାଯାଉଥିବା ବେଳେ ଏଠାରେ ମଧ୍ୟ ମାଙ୍କ ପୀଠରେ ପୂଜା ହେଉଥିବା ବେଳେ ମାଙ୍କ ପୀଠରେ ପୂଜାର ପାର୍ଶ୍ବ ମୂର୍ତ୍ତୀ ନିର୍ମାଣ ହୋଇ ପୂଜା ପୂଜା କରାଯାଏ। ଏଠାରେ ଆକର୍ଷଣୀୟ ତୋରଣ ସାଜ ସଜା ପାଇଁ ପ୍ରସିଦ୍ଧ ଅର୍ଜନ କରିଛି। ୧୯୨୫ ମସିହା ଠାରୁ ମା ପଥର କାଳୀ ପୀଠରେ ମା କାଳୀଙ୍କର ମୂଣମୟୀ ମୂର୍ତ୍ତୀ ନିର୍ମାଣ କରାଯାଇ ପୂଜା ପାଳନ କରାଯାଉଛି। ୧୫ ଦିନ ଧରି ଏଠାରେ ମୂର୍ତ୍ତୀ କାରିଗର ମାନେ ମୂର୍ତ୍ତୀ କାମ କରିବାରେ ଲାଗି ପଡିଛନ୍ତି।
୨୦ବର୍ଷର ମା’ ଦକ୍ଷିଣ କାଳୀଙ୍କ ପୀଠ ପୂଜା
ଭଦ୍ରକର ନୂଆ ବସ୍ ଷ୍ଟାଣ୍ଡ ଠାରେ ମା ଦକ୍ଷିଣକାଳୀ ପୂଜା ପାଇଁ ଆସୁଛନ୍ତି। ୧୯୯୫ ମସିହାରେ ଏଠାରେ ମାଙ୍କର ମନ୍ଦିର ପ୍ରତିଷ୍ଠା କରାଯାଇ ମାଙ୍କ ମୂର୍ତ୍ତୀ ପ୍ରତିଷ୍ଠା କରାଯାଇ ପୂଜା ପାଇ ଆସୁଛନ୍ତି। ମା ଦକ୍ଷୀଣ କାଳୀଙ୍କ ମହିମା ଅପାର। ଏଠାରେ ୨୦ ବର୍ଷଧରି ମାଙ୍କର କାଳୀପୂଜା ଧୁମ ଧାମରେ ପାଳିତ ହୋଇ ଆସୁଛି। ଏଠାରେ ମାଙ୍କ ପୂଜା ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି।
ପୂଜା ପାଇଁ ଭଦ୍ରକ, ଚରମ୍ପା ଚଳ ଚଞ୍ଚଳ
ବିଭିନ୍ନ ପୂଜା ମଣ୍ଡପରେ ମା କାଳୀଙ୍କର ମୂର୍ତ୍ତୀ ଗଢା ଓ ତୋରଣ ସଜା କାମ ଚାଲିଥିବା ବେଳେ ଭଦ୍ରକର ରଚମ୍ପା ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ମା ଭଦ୍ରକାଳୀ, ଚରମ୍ପାର ଟ୍ରାଫିକ୍ କାଳୀ, ଓଏସଆରଟିସି କାଳୀ, ରାଜଘାଟ କାଳୀ, ପଥରକାଳୀ, ଦକ୍ଷିଣକାଳୀ, ପାଟଣାସାହି କାଳୀ, ବାସନ୍ତୀ ଦୁର୍ଗା କାଳୀ, ବାଙ୍କାବଜାର କାଳୀ, ଏରେଇ କାଳୀ, ଡଗରାସାହି କାଳୀ, ସ୍କୁଲ ରୋଡ କାଳୀ, ପିଡବ୍ଲୁଡି କାଳୀ, ସ୍କୁଲ ରୋଡ କାଳୀ ପୂଜା ପାଇଁ ସବୁ ପୂଜା କମିଟିର କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି। ଆଉ ମାତ୍ର ୩ ଦିନ ପରେ ମା କାଳୀଙ୍କର ପୂଜା ଅର୍ଚ୍ଚନା ଆରମ୍ଭ ହେବ। କାଳୀ ପୂଜା ପାଇଁ ଚରମ୍ପାରେ ୯ ଟି ଯାତ୍ରା ପାର୍ଟି ସେମାନଙ୍କର ଅପେରା ପରିବେଷଣ କରିବେ ବୋଲି ବିଭିନ୍ନ ସ୍ଥାନରେ ଟେଣ୍ଡ ମାରିଲେଣି। ସେହିପରି ମୀନା ବଜାର, ରାମ ଦୋଳି, ସର୍କସ ଓ ଅନ୍ୟାନ୍ୟ ଯାନି ଯାତ୍ରା ପାଇଁ ଏଠାରେ ଏବେ ଠାରୁ ବିଭିନ୍ନ ସ୍ଥାନରୁ ଦୋକାନୀମାନେ ସେମାନଙ୍କର ଦୋକାନ ବଜାର ବସାଇବା ପାଇଁ ଜାଗା ଚିହ୍ନଟ କରି ନେଷଳଣି।
ପୁଲିସ – ପ୍ରଶାସନ ପ୍ରସ୍ତୁତ
ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତ ହୋଇଛନ୍ତି। କାଳୀ ପୂଜାରେ ଶାନ୍ତି ଶୃଙ୍ଖଳାର ରକ୍ଷା କରିବା ପାଇଁ ଭଦ୍ରକ ଏସ୍ ପି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ବେଳେ ୫ ପ୍ଲାଟୁନ୍ ରୁ ଅଧିକ ପୁଲିସ ଏଠାରେ ମୁତୟନ କରାଯିବ। ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସୁରକ୍ଷା ଦାୟୀତ୍ବ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଠାରୁ ବିଭିନ୍ନ ସ୍ଥାନରେ ରାତ୍ରୀ ପେଟ୍ରୋଲିଂକୁ କଡାକଡି କରାଯାଇଛି। ଭଦ୍ରକ ଟାଉନ ଥାନା, ଗ୍ରାମାଞ୍ଚଳ ଥାନା, ପୁରୁଣାବଜାର ଥାନାର ଥାନା ଅଧିକାରୀଙ୍କୁ ଅଧିକ ସଜାଗ ରହିବା ପାଇଁ ଏସପି ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭଦ୍ରକ ଜିଲ୍ଲାପାଳ ଦୀଲିପ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ବିଭିନ୍ନ ପୂଜା କମିଟି ସହ ଜିଲ୍ଲାପାଳ ବୈଠକ କରି ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ସବୁ କମିଟିକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭଦ୍ରକର କାଳୀପୂଜାକୁ ୭ ଦିନ ପରିବର୍ତ୍ତେ ୯ ଦିନ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ମହୋତ୍ସବରେ ପରିଣତ କରିବା ପାଇଁ ଦାବି
ଭଦ୍ରକର ପ୍ରସିଦ୍ଧ କାଳୀ ପୂଜାକୁ ଏକ ମହୋତ୍ସବରେ ପରିଣତ କରିବା ପାଇଁ ଭଦ୍ରକର ବୁଦ୍ଧିଜୀବୀ ଓ ବିଭିନ୍ନ ପୂଜା କମିଟିର ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାର ଏ ଦିଗରେ ଘୋଷଣା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ଦାବି କରାଯାଇଛି। ଚଳିତ ବର୍ଷ ଠାରୁ ଭଦ୍ରକର କାଳୀ ପୂଜାକୁ ୭ ଦିନ ପରିବର୍ତ୍ତେ ୯ ଦିନ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ନତ୍ତି ଚୂଡାନ୍ତ କରନ୍ତୁ ବୋଲି ଦାବି କରାଯାଇଛି।
Bhadrak