ଭଦ୍ରକ/ ଚାନ୍ଦବାଲି: ଆଜି ପୂର୍ବାହ୍ନରେ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀସ୍ତରୀୟ ପୁନଶ୍ଚ ପୃଥିବୀ ଓ ପରିବେଶ ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାନ୍ଦବାଲିର ବିଧାୟକ ଡକ୍ଟର ବ୍ୟୋମକେଶ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ରାୟ ନିଜ ବକ୍ତବ୍ୟରେ କହିଲେ, ‘‘ଆମେ ଯେଉଁ ପୃଥିବୀରେ ରହିଛନ୍ତି। ସେ ପୃଥିବୀ ଆଗକୁ କିଭଳି ବଞ୍ଚି ରହିବ ତାକୁ ନେଇ ସମ୍ବାଦ ପକ୍ଷରୁ ପୁନଶ୍ଚ ପୃଥିବୀର ପରିକଳ୍ପନା କରାଯିଛି। ଏ ପୃଥିବୀ ଆଉ ଥରେ କିଭଳି ନୂଆ ରୂପରେ ଗଢି ହେବ ତାକୁ ନେଇ ଆଜିର ଏ ପରିବେଶ ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଛି। ଆମ ପରିବେଶ ନ ରହିଲେ ଆମେ ବଞ୍ଚି ପାରିବ ନାହିଁ। ପରିବେଶ ରହିଲେ ପୃଥିବୀ ରହିବ। ପୃଥିବୀ ରହିଲେ ଆମେ ଅଞ୍ଚି ରହିବା।’’
ଆମ ପରିବେଶକୁ ବଞ୍ଚାଇ ରହିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ହେବ। ଗଛ ବଞ୍ଚିଲେ ଆମ ପରିବେଶ ବଞ୍ଚିବ । ଆମ ଚାରିପାଖରେ ଯାହା ସବୁ ରହିଛି ତାହା ଆମ ପରିବେଶ। ପରିବେଶକୁ ପରିଷ୍କାର କରିବା , ସ୍ବଚ୍ଛତା ପାଇଁ ଆମକୁ ଅଧିକ ଗୁରୁତ୍ଵ ଦେବାକୁ ପଡ଼ିବ। ମଣିଷ ବଞ୍ଚିବା ପାଇଁ ପରିବେଶ ସହଯୋଗ କରିଥାଏ। ଆମେ ରହିବା ପାଇଁ କୋଠାବାଡି, ରାସ୍ତାଘାଟ, କଳକାରଖାନା ପ୍ରତିଷ୍ଠା କରାଯାଇଥିବା ବେଳେ ଏଥିପାଇଁ ବ୍ୟାପକ ବୃକ୍ଷ କଟାଯାଉଛି। ଯେତେ ବୃକ୍ଷ କଟା ଯାଉଛି; ତା ଠାରୁ ଅଧିକ ବୃକ୍ଷ ରୋପଣ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ସାଧାରଣ ଲୋକ ପଞ୍ଚିଁବା ପାଇଁ ପାଣି ପବନ ଓ ମାଟି ଯେଭଳି ପ୍ରଦୂଷିତ ନହେବ; ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ପାଣି ,ପବନ, ଆକାଶ, ମାଟି ପ୍ରଦୂଷିତ ହେଲେ ଯିବ ଜଗତ ବଞ୍ଚି ରହି ପାରିବ ନାହିଁ ବୋଲି ମୁଖ୍ୟ ଅତିଥି ବିଧାୟକ ଡକ୍ଟର ରାୟ ନିଜର ବକ୍ତବ୍ୟରେ କହିଥିଲେ। ସମ୍ବାଦର ଏଭଳି ପ୍ରୟାସକୁ ସେ ପ୍ରଶଂସା କରିଥିଲେ।
ଚାନ୍ଦବାଲିର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ ସଭାରେ ସମ୍ମାନିତ ଅତିଥି ଭାବରେ ଚାନ୍ଦବାଲି ଏନ୍ ଏ ସି ଏ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସୂତାର ଯୋଗଦେଇ ସମ୍ବାଦ ପକ୍ଷରୁ ଆୟୋଜିତ ହେଉଥିବା ପରିବେଶ ପଞ୍ଚାୟତ ଏକ ନିଆରା କାର୍ଯ୍ୟକ୍ରମ ବୋଲି କହିଥିବା ବେଳେ ଆମ ପରିବେଶକୁ ଅଧିକ ସରସ ସୁନ୍ଦର କରିବା ପାଇଁ ବୃକ୍ଷ ରୋପଣ ଉପରେ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ। ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଚାନ୍ଦବାଲି ବ୍ଲକ୍ ର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସୂତାର ଯୋଗଦେଇ କହିଲେ, ‘‘ଆମେ ଆମ ପୃଥିବୀକୁ ନିଜ ହାତରେ ହତ୍ୟା କରୁଛନ୍ତି। ପୃଥିବୀକୁ ବଞ୍ଚାଇବାକୁ ହେଲେ ଆମକୁ ଆମ ପରିବେଶ ଉପରେ ଅଧିକ ଗୁରୁତ୍ଵ ଦେବାକୁ ହେବା। ଆମ ପରିବେଶର ସୁରକ୍ଷା ଆମ ହାତରେ ରହିଛି।’’
ସେହିପରି ଚାନ୍ଦବାଲି ଓକିଲ ସଂଘର ସଭାପତି ଉପେନ୍ଦ୍ର ରାଉଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଲେ, ‘‘ପରିବେଶ ଆମ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିବେଶକୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ। ସଭାରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଛନ୍ତି, ‘‘ସମ୍ବାଦର ଏଭଳି ଉଦ୍ୟମ ଆମ ପରିବେଶକୁ ସୁରକ୍ଷିତ କରିବା ପାଇଁ ଏକ ବାର୍ତ୍ତା ଦେଉଛି।’’ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ ବିଜେପି ନେତା କମଳା ସୂତାର ଯୋଗଦେଇ କହିଛନ୍ତି, ‘‘ପରିବେଶ ନଥିଲେ ଆମେ କେହି ନଥାନ୍ତେ, ତେଣୁ ଆମ ପରିବେଶକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସମସ୍ତେ ସଚେତନ ହେଲେ ପରିବେଶ ବଞ୍ଚିବ। ପରିବେଶ ନଥିଲେ ପୃଥିବୀ ରହି ନଥାନ୍ତା। ସମ୍ବାଦର ଏଭଳି ପ୍ରୟାସ ସ୍ଵାଗତ ଯୋଗ୍ୟ।’’
ଏହି ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଚାନ୍ଦବାଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମାଝୀ, ବିଜେଡିର ବରିଷ୍ଠ ନେତା ଅଶୋକ ବଳ, ବିଶିଷ୍ଟ ପରିବେଶବିତ୍ତ ସୁଧୀର ମହାନ୍ତି ପ୍ରମୁଖ ଯୋଗଦେଇ ପରିବେଶ ପଞ୍ଚାୟତ ଓ ପୁନଶ୍ଚ ପୃଥିବୀ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଉଦ୍ୟମ କରିବା ପାଇଁ ମତ ରଖିଥିଲେ। ସମ୍ବାଦର ଭଦ୍ରକ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରତିନିଧି ଡକ୍ଟର ହରିହର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ତାରାପଦ ମହାନ୍ତି, ସାମ୍ବାଦିକ ଜଗବନ୍ଧୁ ବେହେରା, ଅରୁଣ ସାହୁ, ଦେବାଶିଷ ପାଢ଼ୀ, ସୁବ୍ରତ ରାୟ, ତପନ ରାଉତ, ନିତ୍ୟପ୍ରକାଶ ବେହେରା, ବିଜୟ ମହାନ୍ତି, ପୂର୍ବତନ ସରପଂଚ ପ୍ରତାପ ବିଶ୍ଵାଳ, ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ। ଆଜିର ଏହି ସଭାରେ ଚାନ୍ଦବାଲି ବ୍ଲକର ବହୁ ସମାଜସେବୀ, ଶିକ୍ଷାବିତ, ପରିବେଶବିତ, କଲେଜର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ।