ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ସାହାରାଗଡିଆ ଗ୍ରାମରୁ ବିରଳ ଶିବ-ପାର୍ବତୀ ମୂର୍ତ୍ତି ଉଦ୍ଧାର ହୋଇଛି। ଗ୍ରାମର ମାୟାଧର ବେହେରା ଘର କାମ କରିବାକୁ ବୈତରଣୀ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଆଣିଥିଲେ। ଶନିବାର ସନ୍ଧ୍ୟା ସମୟରେ ଟ୍ରାକ୍ଟର ଚାଳକ ମାୟାଧରଙ୍କ ଘର ଆଗରେ ବାଲି ଢ଼ାଳିଥିଲେ। ରବିବାର ଘର କାମ ପାଇଁ ଶ୍ରମିକଙ୍କ ସହିତ ବାଲି ନେବାକୁ ମାୟାଧର ଆସି ଏକ କଳା ପଥର ଦେଖିଥିଲେ। ବାଲି ଆଡେଇ ଏକ ଶିବ ପାର୍ବତୀ ମୂର୍ତ୍ତି ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ଶୁଣି ତାଙ୍କ ଘରକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ମାୟାଧରଙ୍କ ପରିବାର ସମେତ ସ୍ଥାନୀୟ ଲୋକମାନେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଥିଲେ।

Advertisment

publive-image

ମାୟାଧର ଏହି ମୂର୍ତ୍ତିଟି  ବିଷୟରେ ଅଧିକ ଜାଣିବା ସହିତ ଏହାର ସୁରକ୍ଷା ଓ ସରଂକ୍ଷଣ ପାଇଁ ସ୍ଥାନୀୟ ଇନଟାକ୍‌ ସଦସ୍ୟ ବିଶ୍ବମ୍ବର ରାଉତଙ୍କୁ ସମାଜସେବୀ ସରୋଜ ସ୍ୱାଇଁ ଓ ସୁଧାଂଶୁ ବେହେରାଙ୍କ ମାଧ୍ୟମରେ ଖବର ଦେଇଥିଲେ।  ଏକ ବିରଳ ଗ୍ରାନାଇଟ ଶିଳାରେ ନିର୍ମିତ ଏହି ଦେଢ ଫୁଟ ଉଚ୍ଚତା ବିଶିଷ୍ଟ ଶିବ ପାର୍ବତୀଙ୍କ ସହିତ ଶିବଗଣ ଥିବା ମୂର୍ତ୍ତି ଚିହ୍ନି ସଂସ୍କୃତି ବିଭାଗ ଓ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ସୁନିଲ ପଟ୍ଟନାୟକଙ୍କୁ ଶ୍ରୀ ରାଉତ ସୂଚନା ଦେଇଥିଲେ। ଏହି ମୂର୍ତ୍ତିଟି ଏକାଦଶ ଶତାବ୍ଦୀର ରାବଣାନୁଗ୍ରହ ଶିବ ପାର୍ବତୀଙ୍କ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହିତ ସୋମବଂଶୀ ରାଜା କର୍ଣ୍ଣ କେଶରୀଙ୍କ ରାଜତ୍ବ କାଳରେ ନିର୍ମାଣ ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ। ଏହି ମୂର୍ତ୍ତିରେ ଶିବ ଓ ମୁଖ ବିହୀନ ପାର୍ବତୀ  କୈଳାସ ପର୍ବତ ଉପରେ ରାଜକୀୟ ଆସନରେ ବୃଷଭ ଓ ସିଂହ ବାହାନରେ ବସିଥିବା ଓ ଦୁଇ ପାର୍ଶ୍ବରେ ଗଣେଶ, କାର୍ତ୍ତିକ, ନନ୍ଦୀ, ଭୃଙ୍ଗୀ ଶୋଭା ପାଉଥିଲେ। ଏହି ବିରଳ ମୂର୍ତ୍ତିକୁ ମାୟାଧରଙ୍କ ପରିବାର ଷୋଳମପୁର ମ୍ୟୁଜିୟମକୁ ହସ୍ତାନ୍ତର କରିଥିଲେ।