ଭିଜିଲାନ୍ସ ଜାଲରେ ଆର୍‌ଆଇ, ୨ହଜାର ଲାଂଚ ନେଉଥିବା ବେଳେ ଧରାପଡ଼ିଲେ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ପରିସରରେ ଆଜି ଜଣେ ଆର୍‌ଆଇଙ୍କୁ ଭିଜିଲାନ୍ସ ଟ୍ରାପ୍‌ କରିଛି। ସେ ହେଉଛନ୍ତି ସାରଣା ଆରଆଇ ପ୍ରହ୍ଲାଦ ସାମନ୍ତ। ଜମି ନାମଜାରି କରାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ସୂଚନା ଅନୁସାରେ, ସାରଣା ରାଜସ୍ୱ ସର୍କଲ ଅଧୀନ ଓରାସାହି ପଞ୍ଚାୟତ ବାଘନଟା ଗାଁର ବିଶ୍ୱନାଥ ପରିଡ଼ା ନିଜର ଜମିକୁ ନାମ ଜାରି କରିବା ପାଇଁ ଆରଆଇଙ୍କୁ ବହୁବାର କହିଥିଲେ। ଆଜିକାଲି କହି ତାଙ୍କୁ ବାରମ୍ବାର ଫେରାଇବା ପରେ ସମ୍ପୃକ୍ତ ଆରଆଇ ଶ୍ରୀ ସାମନ୍ତ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ବିଶ୍ୱନାଥ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ବିଶ୍ୱନାଥଙ୍କୁ ସମ୍ପୃକ୍ତ ଆରଆଇ ଟଙ୍କା ନେବାପାଇଁ ତହସିଲ ଅଫିସକୁ ଡକାଇଥିଲେ। ବିଶ୍ୱନାଥ ଏସମ୍ପର୍କରେ ଭିଜିଲାନ୍ସ ଡିଏସ୍‌ପି ଶରତ ମହାପାତ୍ରଙ୍କୁ ଅବଗତ କରାଇଥିଲେ।

ଯୋଜନା ଅନୁସାରେ, ଆଜି ଅପରାହ୍ନରେ ଭିଜିଲାନ୍‌ସ ଅଧିକାରୀମାନେ ଚାନ୍ଦବାଲି ତହସିଲରେ ପହଞ୍ଚି ଆରଆଇଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପରିଚୟ ଗୋପନ ରଖି ଆରଆଇଙ୍କ ସହ ଜମି କିଣାବିକା ନେଇ ଆଲୋଚନା କରିଥିଲେ। ବିଶ୍ୱନାଥ ସେଠାରେ ପହଞ୍ଚି ଆରଆଇଙ୍କୁ ଦେଖା କରିଥିଲେ। ଆରଆଇ କଥା ମୁତାବକ ଟଙ୍କା ମାଗିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରି ଭଦ୍ରକ ନେଇଯାଇଛି।

ସମ୍ବନ୍ଧିତ ଖବର