କାର୍‌ କାଚ ଭାଙ୍ଗି ୨ ଲକ୍ଷ ଲୁଟ୍‌

ଭଦ୍ରକ : ଭଦ୍ରକର ବାଇପାସ ଛକ ନିକଟରେ ଥିବା ଅଶୋକା ଲୁଗା ଦୋକାନ ଆଗରୁ ଆଜି ସନ୍ଧ୍ୟାରେ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। କେହି ଦୁର୍ବୃତ୍ତ କାରର କାଚ ଭାଙ୍ଗି ଏହି ଅର୍ଥ ଲୁଟିନେଇ ପଳାଇଛି। ଅଭିଯୋଗ ମୁତାବକ ଚରମ୍ପାର ପଥରଆଡିର ବାସିନ୍ଦା ଦୁର୍ଗାପ୍ରସାଦ ନାୟକ ନିଜ ଓଡି-୨୨-ଇ-୮୩୮୪ ମାରୁତି କାର ବାହାରେ ରଖି ପତ୍ନୀଙ୍କ ସହ ଅଶୋକା ସୋ’ରୁମକୁ ସପିଂ କରିବାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ କାରର କାଚ ଭାଙ୍ଗି ଭିତରେ ଥିବା ୨ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛି। ସପିଂରୁ ଫେରି ଦୁର୍ଗାପ୍ରସାଦ କାରର କାଚ ଭାଙ୍ଗିଥିବା ଦେଖି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ ଥାନା ଅଧିକାରୀ ମନୋଜ ରାଉତ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଅଶୋକା ସୋରୁମର ସିସି କ୍ୟାମେରାକୁ ଯାଞ୍ଚ କରୁଛି। ଦୁର୍ଗାପ୍ରସାଦ ଏୟାରଫୋର୍ସରେ ଚାକିରି କରନ୍ତି। ସେ ଦୁର୍ଗାପୂଜା ଛୁଟିରେ ଗାଁକୁ ବୁଲିବାକୁ ଆସିଥିଲେ।

ସମ୍ବନ୍ଧିତ ଖବର