ଲୁଟିନେଲେ ୨୦ଲକ୍ଷର ଗହଣା

ବାସୁଦେବପୁର : ଲୁଟେରା ବାସୁଦେବପୁର ପୁଲିସକୁ ଚାଲେଞ୍ଜ ଦେଇଛନ୍ତି। ପୁଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରି ଗତକାଲି ସାମ୍ବାଦିକ ସମ୍ମିଳନୀରେ ବାହାସ୍ଫୋଟ ମାରିଥିଲା। ତା’ର ମାତ୍ର କେଇ ଘଣ୍ଟା ପରେ ପୁଣି ୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍‌ ହୋଇଛି। ଲୁଟେରାମାନେ ଏକାଥରକେ ଦୁଇଟି ଗହଣା ଦୋକାନରୁ ଏତେବଡ଼ ଲୁଟ୍‌ କରି ଚମ୍ପଟ୍‌ ମାରିଛନ୍ତି।

ଗତକାଲି ରାତିରେ ଘଟିଛି ଏ ଘଟଣା। ଉଭୟ ଘଟଣା ଘଟିଛି ବାସୁଦେବପୁର ଅନ୍ତର୍ଗତ ବେତଡ଼ା ବଜାରରେ। ବଜାରର ସରସ୍ୱତୀ ଜୁଏଲାରୀ ଓ ଗଜଲକ୍ଷ୍ମୀ ଜୁଏଲର୍ସରୁ ସବୁ ସୁନା, ରୂପା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। ସରସ୍ୱତୀ ଜୁଏଲାରୀରୁ ୩୦୦ ଗ୍ରାମ୍‌ ସୁନା ଓ ୨କିଲୋ ଓଜନର ଚାନ୍ଦିରୂପା ଲୁଟ୍‌ ହୋଇଛି। ସେମିତି ଗଜଲକ୍ଷ୍ମୀ ଜୁଏଲର୍ସରୁ ୩୦୦ ଗ୍ରାମ୍‌ ସୁନା ଅଳଙ୍କାର ଓ ୪କିଲୋରୁ ଊର୍ଦ୍ଧ୍ୱ ରୂପା ସାମଗ୍ରୀ ଲୁଟି ନେଇଛନ୍ତି। ସରସ୍ୱତୀ ଜୁଏଲାରୀ ମାଲିକ ନରସିଂହ ଅଞ୍ଚଳର ଲକ୍ଷ୍ମଣ ସାହୁ ଗତକାଲି ରାତିରେ ଦୋକାନ ବନ୍ଦକରି ଚାଲିଯିବା ପରେ ଘଟିଛି ଏହି ଘଟଣା।

ବିଳମ୍ବିତ ରାତିରେ ଲୁଟେରାମାନେ ତାଙ୍କ ଦୋକାନ ସଟର୍‌ ତାଡି ଭିତରେ ପଶିଥିଲେ। ଆଇରନ ଚେଷ୍ଟକୁ କାଟି ସେଥିରେ ଥିବା ସମସ୍ତ ସୁନା ରୂପା ଅଳଙ୍କାର ଲୁଟିଥିଲେ। ପରେ ମଣିଚରଣ ସାହୁଙ୍କ ଗଜଲକ୍ଷ୍ମୀ ଜୁଏଲର୍ସ ଉପରେ ବି ପଡ଼ିଥିଲା ଲୁଟେରାଙ୍କ ନଜର। ଦୋକାନ ତାଲା ଭାଙ୍ଗି ସେମାନେ ଆଇରନ ଚେଷ୍ଟ ଭାଙ୍ଗି ଅଳଙ୍କାର ଲୁଟିଥିଲେ। ଆଜି ସକାଳେ ଏ ଘଟଣା ଜଣାପଡ଼ିଥିଲା। ଅଭିଯୋଗ ପାଇ ପୁଲିସ ପହଞ୍ଚି ତଦନ୍ତ କରିଛି। ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁରର ସହାୟତା ବି ନିଆଯାଇଛି। ହେଲେ ଏଯାଏଁ ଲୁଟ୍‌ମାଲ୍‌ ଜବତ ହୋଇନି କି ଲୁଟେରାଙ୍କ ପତ୍ତା ମିଳିନି।

ପୁଲିସ କବ୍‌ଜାରେ ୬ ଲୁଟେରା ଥିବାବେଳେ ଗତ ରାତିର ଲୁଟ୍‌ରେ କିଏ ସଂପୃକ୍ତ ବୋଲି ପୁଲିସ ମୁଣ୍ଡ ଘାରିଛି। ଏ ଅଞ୍ଚଳରେ ଲୁଟେରାଙ୍କ ଏକ ବଡ଼ ର‍୍ୟାକେଟ୍‌ କାମ କରୁଥିବା ଗତକାଲିର ଘଟଣା ପରେ ଜଣାପଡ଼ି ଯାଇଛି। ସୂଚନାଯୋଗ୍ୟ; ଦୁଇମାସ ଭିତରେ ବାସୁଦେବପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦ରୁ ଉର୍ଦ୍ଧ୍ୱ ଲୁଟ୍‌ପାଟ ହେଲାଣି। ଗତକାଲି ପୁଣି ଲୁଟ୍‌କରି ଲୁଟେରାମାନେ ସତେଯେମିତି ପୁଲିସକୁ ଚାଲେଞ୍ଜ ଦେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର