ସଂଗ୍ରାମସେନାର ଚାଷୀ ଅଧିକାର ସମାବେଶ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଚାଷୀମାନଙ୍କ ସମସ୍ୟା ତଥା ଅଧିକାରକୁ ନେଇ ସଂଗ୍ରାମ ସେନା ଡାକରାରେ ସ୍ଥାନୀୟ ଚାନ୍ଦବାଲି କାଳୀ ମନ୍ଦିର ପରିସରରେ ଏକ ଚାଷୀ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ବୀରେନ ସାହୁ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ସଂଗ୍ରାମ କେଶରୀ ରାଉତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଚାନ୍ଦବାଲିର ରାଜନେତାଙ୍କ ପାଇଁ ଏହି ଯୋଜନା ଚାଷୀମାନଙ୍କ ନିକଟରେ ପହଞ୍ଚୁନଥିବା ଅଭିଯୋଗ କରି ସଂଗ୍ରାମସେନା ପକ୍ଷରୁ ଚାଷୀ ଅଧିକାର ସମାବେଶ ଆୟୋଜନ କରାଯାଇଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହୋଥିବା ବେଳେ ଚାନ୍ଦବାଲି ରାଜନେତା ମିଲରଙ୍କ ସହ ସଲାସୁତରାରେ କ୍ବିଣ୍ଟାଲ ପିଛା ୮ କିଲୋ କଟିଂ କରୁଛନ୍ତି। ଫଳରେ ନିରୀହ ଚାଷୀ ଦଲାଲଙ୍କ ଶିକାର ହେଉଛି। ଆଗାମୀ ଦିନରେ ଚାଷୀଙ୍କ ଧାନ କଟିଂ କଲେ ସଂଗ୍ରାମସେନା ଏହାର ତୀବ୍ର ବିରୋଧ କରିବ ବୋଲି କଡ଼ା ଚେତାବନୀ ଦେଇଛି। ଏଥିପାଇଁ ଆର୍‌ଏମ୍‌ସିର ମୁନାଫାଖୋର ତଥା ଦାୟିତ୍ବହୀନତାକୁ ମଧ୍ୟ ଦାୟୀ କରାଯାଇଛି।

ଚାନ୍ଦବାଲି ଅଞ୍ଚଳରେ କୃଷି ପାଇଁ ଅନୁକୂଳ ପରିସ୍ଥତି ଥିବା ବେଳେ ରାଜନେତାଙ୍କ ଇଚତଛାଶକ୍ତି ଅଭାବରୁ କୃଷି ଓ କୃଷକଙ୍କ ଉନ୍ନତି ହୋଇପାରୁନାହିଁ ବୋଲି ଶ୍ରୀ ରାଉତ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ଅଂଚଳର ବିଭିନ୍ନ ପଞ୍ଚାୟତରୁ ହଜାରରୁ ଊର୍ଦ୍ଧ୍ବ ଚାଷୀ ଯୋଗଦାନ କରିଥିବା ବେଳେ ସେମାନଙ୍କ ବହୁବିଧ ସମସ୍ୟା ଉପରେ କହିଥିଲେ। ଦୀର୍ଘ ଚାରିବର୍ଷ ହେବ କୃଷିକ୍ଷେତ୍ରରେ ଚାନ୍ଦବାଲିରେ କୌଣସି କାର୍ଯ୍ୟ ହୋଇନଥିବା ସଂଗ୍ରାମସେନା ଅଭିଯୋଗ ଉଠାଇଥିଲା। ଏହି କାର୍ଯ୍ୟକ୍ରମକୁ ଭଣ୍ତୁର କରିବା ପାଇଁ ସମାବେଶରେ ଯୋଗଦାନ କରିବାକୁ ଆସୁଥିବା ଚାଷୀମାନଙ୍କୁ ବିଭିନ୍ନ ନଦୀଘାଟରେ ଏକ ରାଜନୈତିକ ଦଳର କିଛି କର୍ମୀ ଛାଡ଼ିନଥିବା ସଂଗ୍ରାମ ସେନା ଅଭିଯୋଗ ଉଠାଇଛି। କାର୍ଯ୍ୟକ୍ରମରେ ୨ ଶହ ଚାଷୀଙ୍କୁ ଉପଢ଼ୌକନ, ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ଫଳଚାରା ବଣ୍ଟନ କରାଯାଇଥିଲା। ଟ୍ରେଡ୍‌ ୟୁନିୟନ ନେତା ମୁରଲୀଧର ପରିଡ଼ା, ପୂର୍ବତନ ସମିତିସଭ୍ୟ ସୁକାନ୍ତ ନାୟକ, ପୂର୍ବତନ ସରପଞ୍ଚ ଗୌରହରି ବିଶ୍ବାଳ, ପୂର୍ବତନ ସରପଞ୍ଚ ସନ୍ଥଚରଣ ନାୟକ, ସମାଜସେବୀ ଗୋଲକ ବିହାରୀ ମହାନ୍ତି, ଗୋପୀନାଥ ଜେନା, ଜଗନ୍ନାଥ ନାୟକ, ପ୍ରହଳ୍ଲାଦ ଦାଶ, ସୁବାସ ମହାଳିକ, ପବିତ୍ର ଦାସ, ଅଭିମନ୍ୟୁ ଦାସ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର