ଭଦ୍ରକ ଜିଲ୍ଲାରେ ୨୦୭ ସ୍କୁଲ ବନ୍ଦ; ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଗାଁ ଗାଁରେ ତେଜୁଛି ଆନ୍ଦୋଳନ

ଛାତ୍ରଛାତ୍ରୀଙ୍କଠାରୁ ଦୂରେଇ ଯାଉଛି ସ୍କୁଲ; ଶିକ୍ଷା ଅଧିକାର ଆଇନ୍ ପାଲଟିଛି ପ୍ରହସନ

ଭଦ୍ରକ: ସରକାରଙ୍କର ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ଆଇନ୍ ଏବେ ପ୍ରହସନରେ ପରିଣତ ହେବାକୁ ଯାଉଛି। ଶିକ୍ଷା ଅଧିକାର ଆଇନର ନିୟମ କହୁଛି ପିଲାଙ୍କ ପାଖକୁ ସ୍କୁଲ ଯିବ। ମାତ୍ର ଏବେ ରାଜ୍ୟ ସରକାରଙ୍କ ଘୋଷିତ ଶିକ୍ଷା ନିର୍ଦ୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଠାରୁ ଦୂରେଇ ଯାଉଛି ସ୍କୁଲ। ୫୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ସ୍କୁଲକୁ ଏବେ ବନ୍ଦ କରାଯାଉଛି। ଯାହାକୁ ନେଇ ଗାଁ ଗାଁରେ ଆନ୍ଦୋଳନ ଜେତୁଛି। ସ୍କୁଲରେ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବାର ଆଳ ଦେଖାଇ ଜିଲ୍ଲାରେ ୨୦୭ ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ନତ୍ତିକୁ ସହଜରେ ହଜମ କରି ପାରୁ ନାହନ୍ତି ଉଭୟ ଛାତ୍ରଛାତ୍ରୀ ଓ ଗ୍ରାମବାସୀ।

ଏଭଳି ନିଷ୍ପତ୍ତିକୁ ‌ନେଇ ଏବେ ଅଡୁଆ ପରିସ୍ଥିତିରେ ପଡିଛି ଭଦ୍ରକ ଜିଲ୍ଲା ଶିକ୍ଷା ବିଭାଗ। ଆଗକୁ ଆନ୍ଦୋଳନ ଆହୁରି ଉଗ୍ରରୂପ ନେବାକୁ ଯାଉଥିବା ବେ‌ଳେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ମଧ୍ୟ ଏଇ ସ୍କୁଲ ବନ୍ଦ ନିଷ୍ପତ୍ତି ବେଶ୍ ଅଡୁଆ ପରିସ୍ଥିତିରେ ପକାଇବ ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କର ଗଣ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପ୍ରାଥମିକ ବିଦ୍ୟାଳୟ ଗୁଡିକ‌ରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାରେ ୨୦୭ ଟି ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସରୁ ଏଇସବୁ ସ୍କୁଲଗୁଡିକୁ ବନ୍ଦ କରି ଦିଆଯାଇଛି। ଚଳିତ ବର୍ଷ ବନ୍ଦ ହୋଇଥିବା ଏଇ ସ୍କୁଲ ଗୁଡିକରେ ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସେହିସବୁ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲ ଗୁଡିକରେ ନାମ ଲେଖାଇବାକୁ ପାଇଁ ନିର୍ଦ୍ଦେଶ।

ଏଇ ସବୁ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆସବାବ ପତ୍ରକୁ ନିକଟସ୍ଥ ସ୍କୁଲକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ସ୍କୁଲ ମିଶ୍ରଣ ପର୍ବ ଓ ସ୍କୁଲ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁ ଗାଁ କିମ୍ବା କଲୋନୀରୁ ସ୍କୁଲ ଉଠିଯାଉଛି। ସେହିସବୁ ସ୍ଥାନୀୟ ଲୋକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସ୍କୁଲ ଉଠିଯିବା ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ସରକାରଙ୍କର ଏଭଳି ଶିକ୍ଷା ମାରଣ ନୀତିକୁ ଜିଲ୍ଲାର ବହୁ ଅଭିଭାବକ, ଶିକ୍ଷକ ସଂଘ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ତମାନେ ତୀବ୍ର ନିନ୍ଦା କରିବା ସହ ଘରୋଇ ବିଦ୍ୟାଳୟ ଖୋଲିବାକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କର ଏହା ଏକ ଚାଲ୍ ବୋଲି ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ଅଭିଭାବ ଖୋଲାଖୋଲି ପ୍ରତିକ୍ରିୟା ରଖିଛନ୍ତି। ଗରିବ ଛାତ୍ରଛାତ୍ରୀମାନେ ନିଜ ଘରୁ ସାଗ ପଖାଳ ଖାଇ ଗାଁ ସ୍କୁଲରେ ସ୍ପଳ୍ପ ଖର୍ଚ୍ଚରେ ଶିକ୍ଷା ଅର୍ଜନ କରିବା ଲକ୍ଷ୍ୟ ନେଇ ଗ୍ରାମର ବୁଦ୍ଧିଜୀବୀ ମାନେ ଏଭଳି ସ୍କୁଲ ନିଜସ୍ବ ଉଦ୍ଦ୍ୟମରେ ଖୋଲିଥିଲେ।

ରାଜ୍ୟ ସରକାର ଏଇ କିଛି ବର୍ଷ ହେଲା ଏସବୁ ସ୍କୁଲକୁ ସରକାରୀ ସ୍କୁଲ କରି ନିଜ ହାତକୁ ନେଇଥିଲେ। ଏବେ ସରକାରଙ୍କ ଉପରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଚାପ ରହୁଥିବାରୁ ଏଭଳି ବୋଝ ନିଜ କାନ୍ଧରୁ ଓହ୍ଲାଇ ଦେବାର ଆଳରେ ପ୍ରାଥମିକ ଶିକ୍ଷାକୁ ସଂପୂର୍ଣ୍ଣ ନଷ୍ଟ ଭ୍ରଷ୍ଟ କରି ଘରୋଇ କରଣ କରିବାକୁ ରାଜ୍ୟ ସରକାରଙ୍କର ଏହା ଏକ ସୁଚିନ୍ତିତ ଚକ୍ରାନ୍ତ। ସରକାରଙ୍କର ଏଭଳି ଚକ୍ରାନ୍ତକୁ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାର ବହୁ ଅଭିଭାବକ ଓ ବୁଦ୍ଧିଜୀବୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲାର ଅଧିକାଂଶ ସ୍କୁଲରେ ତାଲା ପକାଇ ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ବନ୍ଦ ହେଉଥିବା ସ୍କୁଲଗୁଡିରେ ଯେଉଁ ପିଲାମାନେ ପାଠ ପଢୁଥିଲେ, ସେମାନେ ଯେଭଳି ଭାବେ ପାଠ ପଢାରୁ ବଞ୍ଚିତ ନହୁଅନ୍ତି। ସେମାନଙ୍କୁ ପାଖ ସ୍କୁଲରେ ନେଇ ଯେଭଳି ନାମ ଲେଖାଯିବ ସେଥିପାଇଁ ଶିକ୍ଷା ବିଭାଗର ଉଚ୍ଚ କତ୍ତୃପକ୍ଷ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଯାହାକୁ ନେଇ ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ନାମ ଲେଖାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କର ନୂତନ ନିୟମ ଅନୁଯାୟୀ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ଓ ଗୋଟିଏ କିଲୋ ମିଟର ଭିତରେ ୪୦ରୁ କମ୍ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶ୍ରଣ କରିବା ନେଇ ଘୋଷଣା କରାଯାଇଛି। ଏଇ ଘୋଷଣା ଅନୁଯାୟୀ ଜିଲ୍ଲାରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ୧୨୦ ସ୍କୁଲ ଓ ଏକ କିମି ଦୂରରେ ଥିବା ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ୮୭ ଟି ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ବ୍ଲକରେ ୩୩ ଟି ସ୍କୁଲ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବନ୍ତ ବ୍ଲକରେ ୩୩ ଟି ସ୍କୁଲ, ତିହିଡି ବ୍ଲକରେ ୨୯ଟି ସ୍କୁଲ, ଭଣ୍ଡାରିପୋଖରୀ ବ୍ଲକରେ ୩୨ ଟି ସ୍କୁଲ, ବାସୁଦେବପୁର ବ୍ଲକରେ ୨୮ ଟି ସ୍କୁଲ, ଧାମନଗର ବ୍ଲକରେ ୨୩ ଟି ସ୍କୁଲ, ଚାନ୍ଦବାଲି ବ୍ଲକରେ ୨୯ ଟି ସ୍କୁଲ ବନ୍ଦ କରି ଦିଆଯାଇଛି। ଏହି ସ୍କୁଲ ବନ୍ଦ ଯୋଗୁଁ ଜିଲ୍ଲାରେ ୨ ହଜାର ୧୩୯ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଏଇ ସ୍କୁଲସବୁ ବନ୍ଦ ହେବା ଯୋଗୁଁ ଜିଲ୍ଲାରେ ୪ ଶହ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ସ୍କୁଲଗୁଡିକୁ ବଦଳି କରି ଦିଆଯାଇଛି। ସରକାରଙ୍କର ଏଇ ନିଷ୍ପତ୍ତି ଅନେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ମିଶ୍ରଣ ହୋଇଥିବା ସ୍କୁଲର ଦୂରତା ଅଧିକ ହୋଇଥିବାରୁ କୋମଳମତୀ ଛାତ୍ରୀଛାତ୍ରୀମାନେ ଏତେ ବାଟ ଚାଲି ଚାଲି ଯିବା ସମ୍ଭବ ନୁହେଁ ବୋଲି ସେମାନଙ୍କ ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ବ୍ଲକର ବେହେରା ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ କମ୍ ପିଲା ଥିବା ଦର୍ଶାଇ ଏକ କିମିରୁ ଅଧିକ ଦୂରରେ ଥିବା ରାଜମୁକୁନ୍ଦପୁର ସ୍କୁଲରେ ମିଶ୍ରଣ କରାଯାଇଛି। ଏହି ସ୍କୁଲକୁ ପିଲାମାନେ ନଦୀ ନାଳ ଅତିକ୍ରମ କରିବାକୁ ପଡୁଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସେଠାକୁ ଛାଡିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସରକାରଙ୍କର ସ୍କୁଲ ଉଚ୍ଛେଦ ଘଟଣାକୁ ନେଇ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସେହିପରି ଆଙ୍କପଦା ପ୍ରାଥମିକ ବିଦ୍ୟାଳୟକୁ ଶୁଶୁଆ ସ୍କୁଲରେ ମିଶ୍ରଣ କରାଯିବା ଘଟଣାକୁ ନେଇ ମଧ୍ୟ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇ ଏହାର ପ୍ରତିବାଦ କରିଛନ୍ତି।

ସେହିପରି ଭଦ୍ରକ ପୌରପାଳିକାର ‌ ଜଗନ୍ନାଥପୁର ଯେନା ସାହି ସ୍କୁଲକୁ ବନ୍ଦ କରାଯାଇଥିବା ବେଳେ ପୌରପାଳିକାରେ ଆହୁରି କିଛି ପ୍ରା‌ଥମିକ ସ୍କୁଲକୁ ବନ୍ଦ କରାଯାଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବହୁ କଷ୍ଟକରି ସ୍ଥାନୀୟ ଲୋକମାନେ ନିଜସ୍ବ ଉଦ୍ଦ୍ୟମରେ ସ୍କୁଲ ଖୋଲିଥିଲେ। ଏବେ ଏଇସବୁ ସ୍କୁଲକୁ ସରକାର ବନ୍ଦ କରି ଦେଉଥିବାରୁ ଏଭଳି ନିଷ୍ନତ୍ତିକୁ ଭଦ୍ରକ ସହରବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ବନ୍ତ ବ୍ଲକରେ ଥିବା ନିମାପଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ତିହିଡି ବ୍ଲକର ଆରଶା ପ୍ରାଥମିକ ବିଦ୍ୟାଳୟରେ ୪୨ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏହି ସ୍କୁଲକୁ କେଉଁ କାରଣରୁ ସରକାର ବନ୍ଦ କରିଛନ୍ତି। ତାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ଲୋକେ। ଏଇ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକର ଚନ୍ଦ୍ରଭାନୁପୁର ପ୍ରାଥମିକ ବିଦ୍ୟାଳୟ ଉଠିବା ଘଟଣାକୁ ନେଇ ମଧ୍ୟ ସ୍ଥାନୀୟ ଲୋକମାନେ ପ୍ରତିକ୍ରିୟା ରଖିଛନ୍ତି।

ଏକଦା ରାଜ୍ୟ ସରକାର ସଭିଏଁ ପଢନ୍ତୁ , ସଭିଏଁ ବଢନ୍ତୁର ସ୍ଲୋଗାନ ଦେଇ ଜଣେ ପିଲା ପାଇଁ ମଧ୍ୟ ସ୍କୁଲ ଖୋଲିଥିଲେ। ରାଜ୍ୟ ସରକାରଙ୍କର ସର୍ବଶିକ୍ଷା ଯୋଜନାରେ ଏଭଳି ଛତୁଫୁଟିଲା ଭଳି ସ୍କୁଲ ଖୋଲି ସ୍କୁଲ ର କୋଠା ଘର ନିର୍ମାଣ ଆଳରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଇ ବାବଦରେ କୋଟି କୋଟି ଟଙ୍କାର ଲୁଟ୍ କରାଯାଇଛି। ମାତ୍ର ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ଦିଗରେ ସରକାର କିଛି ପଦକ୍ଷେପ ନେଲେ ନାହିଁ। ବରଂ ସରକାର ଶିକ୍ଷା ବ୍ୟବସ୍ଥାକୁ ମୂଳରୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରାଗଲା। ଯାହାର ଫଳ ସୂରୂପ ଆଜି ରାଜ୍ୟ ସରକାର କମ୍ ଉପସ୍ଥାନର ଆଳ ଦେଖାଇ ଗାଁ ଗଣ୍ଡା ଓ ସାହି ବସ୍ତିରେ ଖୋଲାଯାଇଥିବା ସ୍କୁଲ ଗୁଡିକୁ ବନ୍ଦ କରିବାକୁ ମସୁଧା କରିଛନ୍ତି। ସରକାରଙ୍କର ଶିକ୍ଷା ମାରଣ ନୀତିକୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସିଟୁ ନେତା ତଥା ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ ପ୍ରକାଶ କରିଥିବା ବେଳେ ସିପିଆଇଏମ ଜିଲ୍ଲା ସଂପାଦକ ଚନ୍ଦ୍ରଶେଖର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ସରକାରଙ୍କର ଏକ ଆତ୍ମଘାତି କାର୍ଯ୍ୟ। ବିଶେଷକରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଯେଉଁସବୁ ସ୍କୁଲ ରହିଛି।

ତାହାକୁ ଏକ କିମି ଦୂରକୁ ସ୍ଥାନାନ୍ତର କଲେ ପିଲାମାନେ ସେଠାକୁ ପାଠ ପଢିବାକୁ ଯିବା ସମ୍ଭବପର ନୁହେଁ। ବନ୍ୟା ସମୟରେ ଏଇସବୁ ଅଞ୍ଚଳର ରାସ୍ତାଘାଟ ବୁଡି ରହୁଥିବାରୁ ଛୋଟ ଛୋଟ ପିଲାମାନେ ସ୍କୁଲ ଯିବା ସମ୍ଭବପର ହେବ ନାହିଁ। ତେଣୁ ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତିରୁ ଓହରି ଯିବା ଉଚିତ ହେବ। ଶ୍ରମିକ ନେତା ତଥା ଆଇନଜୀବୀ ରାଧା ଦାସ ରାଜ୍ୟ ସରକାରଙ୍କର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ସିପିଆଇଏମଏଲ ନେତା ସମର ବଳ ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ସରକାରଙ୍କର ଏଇ ନିଷ୍ପତ୍ତିକୁ ତୀବ୍ର ବି‌ରୋଧ କରିଛନ୍ତି। ରାଜ୍ୟ ସରକାର ଏଭଳି ନିଷ୍ପତ୍ତିରୁ ନଓହରିଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଓ ଅଭିଭାବକ ଚାତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର