ଭଦ୍ରକ : ଭଦ୍ରକ ଟାଉନ ପୁଲିସ ୬ ମୋବାଇଲ୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ମୋବାଇଲ ଲୁଟେରା ଟିମର ମୁଖ୍ୟ ସହ ୩ ଜଣ ନାବଳକକୁ ମଧ୍ୟ ପୁଲିସ ଧରିଛି। ସେମାନଙ୍କ ନିକଟରୁ ୭୦ଟି ନାମୀଦାମୀ ମୋବାଇଲ ସେଟ୍ ଜବତ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଗତ ଡିସେମ୍ବର ୨୯ ତାରିଖରେ ଭଦ୍ରକର ଚରମ୍ପା ବଜାରରେ ଥିବା ଗଣେଶ କମ୍ୟୁନିକେସନ୍ର ସର୍ଟର ଭାଙ୍ଗି ଏହି ଲୁଟେରାମାନେ ମୋବାଇଲ ଚୋରି କରି ନେଇଥିଲେ। ଦୋକାନୀ ମାଲିକ ଗଣେଶ ସାହୁଙ୍କ ଅଭିଯୋଗ ମୂଳେ ଭଦ୍ରକ ଟାଉନ ଥାନାରେ ୩୭୯/୧୭ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିିଥିଲା। ଗତ ଦୁଇ ଦିନ ହେଲା ପୁଲିସ ଏହି ଲୁଟେରା ଟିମ୍କୁ ପିଛା କରିବା ସହ ସେମାନଙ୍କର ଗତିବିଧି ଉପରେ ନଜର ରଖିଥିଲା। ଜଣେ ଲୁଟେରାର ମୋବାଇଲ ଟ୍ରାକିଂ କରିବା ସହ ତାକୁ ପ୍ରଥମେ ଧରିବାରେ ସଫଳ ହୋଇଥିଲା।
ଏସପି ଅନୁପ କୁମାର ସାହୁଙ୍କ ନିର୍ଦ୍ଦେଶରେ ଭଦ୍ରକ ଟାଉନ ଆଇଆଇସି ମନୋଜ ରାଉତ ଏହି ଟିମର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରି ଆଜି ସେମାନଙ୍କୁ ଧରିଥିଲେ। ମୋବାଇଲ ଲୁଟେରା ଟିମର ମୁଖ୍ୟ ଅଭିଯୁକ୍ତ ଚରମ୍ପାର ମନମୋହନ ଖଣ୍ଡେଲଓ୍ଵାଲଙ୍କ ଠାରୁ ୫୧ଟି ମୋବାଇଲ ଜବତ କରାଯାଇଛି। ସେହିପରି ଚରମ୍ପାର ଦୁର୍ଗାମାଧବ ଦାସଙ୍କ ଠାରୁ ୬ଟି ଓ ପୁରୁଣାବଜାର ଅଞ୍ଚଳର ସେକ୍ ଜାନି ବାବୁଙ୍କ ଠାରୁ ୮ଟି ସମେତ ଅନ୍ୟ ଲୁଟେରାଙ୍କ ଠାରୁ ମୋଟ ୭୦ଟି ଚୋରା ମୋବାଇଲ ଜବତ କରାଯାଇଛି। ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/bdk-giraf.jpg)