୫ ଜଣଙ୍କ ଘରେ କଳାକନା ବୁଲାଇଲେ ଚୋରଦଳ:ଜଣେ ଚୋରକୁ ଗଛରେ ବାନ୍ଧି ଛେଚିଲେ ଲୋକେ

ଭଦ୍ରକ: ଗତକାଲି ମକର ମେଳା ଚାଲିଥିବା ବେଳେ ଗାଁରେ ପଶି ୬ ଜଣ ଚୋର ଚୋରି କରୁଥିବା ବେଳେ ଜଣେ ଚୋରକୁ ଧରି ଲୋକେ ଗଛରେ ବାନ୍ଧି ନିର୍ଧୁମ ଛେଚିବା ସହିତ ପୁଲିସକୁ ହସ୍ତାନ୍ତର କରିଛନ୍ତି।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲେଇ ପଞ୍ଚାୟତର ସଦାବର୍ତ୍ତ ଗ୍ରାମର ଜେନାସାହିରେ ୫ ଜଣଙ୍କ ଘ‌େର ଚୋରମାନେ କଳାକନା ବୁଲାଇ ଦେଇଛନ୍ତି। ଚୂନିଦା ବଜାରରେ ମକର ମେଳା ଚାଲିଥିବା ବେଳେ ମକର ଯାତ୍ରା ଦେଖିବାକୁ ଗାଁ ଲୋକମାନେ ଚାଲି ଯାଇଥିଲେ। ଏହି ସୁଯୋଗ ନେଇ ୬ ଜଣ ଚୋର ଗ୍ରାମରେ ପଶି କିଛି ଲୋକଙ୍କ ଘରୁ ଚୋରି କରିଥିଲେ। ଗ୍ରାମରେ ଚୋରି ଖବର ପାଇବା ପରେ ଲୋକମାନେ ଆସି ଚୋରକୁ ଗୋଡାଇବା ବେଳେ ୫ ଜଣ ଚୋର ଖସି ପଳାଇଥିଲେ। ତେବେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପୋଡୁପଡା ଗ୍ରାମର ଟିକନ ଜେନା ମଦ ପିଇ ଜଣେ ସଂପର୍କୀୟଙ୍କ ଘରେ ଶୋଇ ପଡ଼ିବାକୁ ଉଦ୍ୟମ କରିଥିଲା। କିନ୍ତୁ ଶେଷରେ ସେ ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲା। ଗାଁ ଲୋ‌େକ ତାକୁ ଗଛରେ ବାନ୍ଧି ନିର୍ଧୁମ ଛେଚିବା ସହିତ ପୁଲିସକୁ ଖବର ଦେଇଥିଲେ। ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିବା ବେଳେ ଯୁବକ ବ୍ୟବହାର କରିଥିବା ଏକ ମୋଟରସାଇକେଲକୁ ଜବତ କରିଥିଲା। ଅନ୍ୟ ୫ ଜଣ ଚୋରଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଏହି ଚୋର ଦଳକୁ ଧରାଯିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାରେ ଏବେ ପୁଲିସ ପାଟ୍ରୋଲିଂ ଢିଲା ଥିବା ବେଳେ ଏହାର ସୁଯୋଗ ନେଇ ବିଭିନ୍ନ ଗାଁ ଗହଳିରେ ଚୋର ଦଳ ମାତିଛନ୍ତି। ଏମାନଙ୍କର ଏକ ବଡ ରୢା‌କେଟ୍ ଭଦ୍ରକରେ କାମ କରୁଛି। ଏହି ଚୋର ରୢା‌କେଟ୍‌କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର