ଧାମନଗର: ଅଗଷ୍ଟ ୯ କ୍ରାନ୍ତି ଦିବସ ତଥା ଭାରତଛାଡ଼ ଆନ୍ଦୋଳନର ୭୬ତମ ପୂର୍ତ୍ତି ଅବସରରେ ଧାମନଗର ବ୍ଲକ୍‌ର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କମାରବନ୍ଧ ଗ୍ରାମର ବର୍ଷୀୟାନ ସଂଗ୍ରାମୀ ବ୍ରଜକିଶୋର ରାଉତ ଓ ସୂର୍ଯ୍ୟପୁରଗ୍ରାମର ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ସେମାନଙ୍କ ନିଜ ନିଜ ଘରେ ଭାରତର ମହାମହିମ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପ୍ରେରିତ ସାଲ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।
ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଯୋଗ ଦେଇ ସଂଗ୍ରାମୀ ଗୌରୀଶ୍ୟାମଙ୍କୁ ଉପଢୌକନ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଧାମନଗର ବିଡିଓ ବନବିହାରୀ ଦିଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ସେବା ସମବାୟ ସମିତି ସଭାପତି ସନ୍ଦୀପ ସ୍ୱାଇଁଙ୍କ ସହ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗ, ଗଣମାଧ୍ୟମ ପ୍ରତିନିଧି ଓ ଗ୍ରାମର ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସେହିପରି ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କ ବାସଗୃହରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଡିଓ, ଜିଲ୍ଲା ପରିଷଦ ଉପସଭାନେତ୍ରୀ ଟୁନିବାଳା ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ଶ୍ରୀରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ଜେନା, ରମେଶ ବେହେରା, ମାନସ ସାହୁ ପ୍ରମୁଖ ଶ୍ରୀ ରାଉତଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।