ଦୁଇ ଅପହୃତ ସ୍କୁଲ ଛାତ୍ରଙ୍କୁ ହତ୍ୟା!

ବାସୁଦେବପୁର : ୧୪ ତାରିଖ ଅପରାହ୍ନରୁ ନିଖୋଜ ଦୁଇ ସ୍କୁଲ ଛାତ୍ରଙ୍କ ଶବ ଆଜି ଗାଁ ପୋଖରୀରୁ ମିଳିଛି। ସକାଳେ ପୋଖରୀରେ ଦୁଇ ଛାତ୍ରଙ୍କ ଶବ ଭାସୁଥିବା ଦେଖି ସାରା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପାରିପାର୍ଶ୍ୱିକ ପରିସ୍ଥିତି ଏହା ଏକ ହତ୍ୟାକାଣ୍ଡ ବୋଲି ଡାକିହାକି କହୁଛି। ଏଣେ ପ୍ରଥମରୁ ଅପହରଣ ଅଭିଯୋଗକୁ ଖାସ୍‌ ଗୁରୁତ୍ୱ ଦେଇ ନଥିବା ପୁଲିସ ଆଜି ୫ ଘଣ୍ଟା ବିଳମ୍ବରେ ପହଞ୍ଚିବା ଦେଖି ଲୋକେ ତାତିଛନ୍ତି। ସେମାନେ ୫ଟି ଥାନାର ଅଧିକାରୀ, ଫୋର୍ସ ଓ ଏଏସ୍‌ପିଙ୍କୁ ଅଟକ ରଖିଛନ୍ତି। ସାଇଣ୍ଟିଫିକ ଟିମ୍‌ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି।

କେହି ଦୁର୍ବୃତ୍ତ ଦୁଇ ନାବାଳକଙ୍କୁ ହତ୍ୟାକରି ପୋଖରୀରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ସାରା ଗାଁ ଓ ଆଖପାଖର ହଜାର ହଜାର ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଛନ୍ତି। ଗାଁସାରା ଉତ୍ତେଜନା କୁହୁଳୁଛି। ଏ ଅଭାବନୀୟ ଘଟଣା ଘଟିଛି ନାୟକାଣୀଡିହି ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ପଞ୍ଚାୟତର କଉଣିଆସାହି ଗାଁରେ। ମୃତ ଦୁଇ ଛାତ୍ର ହେଲେ କଉଣିଆସାହିର ବାସିନ୍ଦା ରତ୍ନାକର ପାଢ଼ୀଙ୍କ ପୁଅ ସରୋଜ (୧୪) ଓ ସ୍ୱର୍ଗତ ବିଶ୍ୱନାଥ ବାରିକଙ୍କ ପୁଅ କୁଳମଣି (୧୪)। ଉଭୟ ଜୟକୃଷ୍ଣପୁର ଉଚ୍ଚ ବିଦ୍ୟାଳୟର ୮ମ ଶ୍ରେଣୀରେ ପଢ଼ୁଥିଲେ।

ସରୋଜ ଓ କୁଳମଣି ଗତ ୧୪ ତାରିଖ ଅପରାହ୍ନରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବାରୁ ପରଦିନ ସକାଳେ ନାୟକାଣୀଡିହି ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ ଏ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିଲା। ପରିବାର ଲୋକେ ବାରମ୍ବାର ଥାନାକୁ ଦଉଡ଼ି ନିରାଶ ହେବା ପରେ ଗତକାଲି ଗ୍ରାମବାସୀ ସେମାନଙ୍କ ସାଥ୍‌ ଦେଇଥିଲେ। ଗାଁଲୋକେ ଗତକାଲି ରାସ୍ତାରୋକ କରି ପୁଲିସ ଅପହରଣ ନେଇ ତୁରନ୍ତ ପଦକ୍ଷେପ ନେଉ ବୋଲି ଦାବି କରିଥିଲେ। ଅତିରିକ୍ତ ଏସ୍‌ପି ପହଞ୍ଚି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ହେଲେ ହାତବାନ୍ଧି ବସିଥିବା ପୁଲିସ କିଛି କରିବା ପୂର୍ବରୁ ଆଜି ସକାଳେ ଉଭୟଙ୍କ ଶବ ଗାଁ ନିକଟ ପୋଖରୀରେ ଭାସୁଥିବା ଲୋକେ ଦେଖିଥିଲେ। ସକାଳ ୯ରେ ଶବ ଦେଖି ଲୋକେ ପୁଲିସକୁ ଖବର ଦେଲେ। ହେଲେ ପୁଲିସ ଦିନ ସାଢ଼େ ୨ରେ ପହଞ୍ଚିଲା। ପ୍ରଥମରୁ ଅବହେଳା କରୁଥିବା ପୁଲିସର ଆଜି ପୁଣି ଉଦାସୀନତା ଦେଖି ଲୋକେ ଉତ୍ତ୍ୟକ୍ତ ହୋଇଥିଲେ। ହଜାର ହଜାର ଲୋକେ ପୁଲିସ ବାହିନୀକୁ ଅଟକ ରଖି ଗାଳି ଦେବା ସହ ଛି’ ଛି କରିଥିଲେ। ପୁଲିସ ନିଷ୍କ୍ରିୟତା ଯୋଗୁଁ ଦୁଇ ଦୁଇଟି ଜୀବନ ଚାଲିଗଲା ବୋଲି ଅଭିଯୋଗ କରିଥିଲେ।

ସନ୍ଧ୍ୟାରେ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ଏସ୍‌ପି ଅନୁପ କୁମାର ସାହୁ, ଉପଜିଲ୍ଲାପାଳ ନରୋତ୍ତମ ବେହେରା ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଭଦ୍ରକ ଟାଉନ ଥାନା ଅଧିକାରୀ ମନୋଜ ରାଉତଙ୍କୁ ତଦନ୍ତ ଭାର ଦେବା ସହ ବ୍ୟବଚ୍ଛେଦ ରିପୋର୍ଟ ପରେ ଦୃଢ଼ କାଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ଶବ ଛାଡିଥିଲେ ଗାଁଲୋକ।

ସମ୍ବନ୍ଧିତ ଖବର