ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀରେ ବର୍ଷବର୍ଷ ଧରି ଲୋକମାନେ ଅସୁରକ୍ଷିତ ଜଳଯାତ୍ରା କରୁଛନ୍ତି। ଭଙ୍ଗା ଡଙ୍ଗାରେ ସଂଖ୍ୟା ଠାରୁ ଢେର ଅଧିକ ଲୋକଙ୍କୁ ନେGଉ ବିପଦପୂର୍ଣ୍ଣ ଭାବରେ ନଦୀ ପାର ହେଉଥିବା ବେଳେ ଅନେକ ସମୟରେ ଏହି ସବୁ ନଦୀରେ କୁମ୍ଭୀର ଭୟ ଲୋକଙ୍କୁ ଆତଙ୍କିତ କରି ରଖିଛି। କେତେବେଳେ କୁମ୍ଭୀର ମଣିଷଙ୍କୁ ଟାଣି ନେଉଛିତ ଆଉ କେତେବେଳେ ଗୋରୁ ଗାଈ ଓ ଛେଳି ମେଣ୍ଢାଙ୍କୁ କୁମ୍ଭୀର ଆକ୍ରମଣ କରୁଛି। କୁମ୍ଭୀର ଆଁ ଭିତରେ ମଣିଷ ଜୀବନ ଯାଉଛି। ଏଭଳି ବିପଦପୂର୍ଣ୍ଣ ଭାବରେ ଆଉ କେତେ ଦିନ ଲୋକମାନେ ଜଳଯାତ୍ରା କରିବେ ବୋଲି ପ୍ରଶ୍ନ ଉଠିଛି। ସରକାର ପରେ ସରକାର ବଦଳୁଛି। ମାତ୍ର ଲୋକଙ୍କର ଦାବି ଅନୁଯାୟୀ ଏହି ସବୁ ନଦୀରେ ସେତୁ ନିର୍ମାଣ ହୋଇପାରି ନାହିଁ। ବୈତରଣୀ ଓ ସାଳନ୍ଦୀ ନଦୀର ସଙ୍ଗମ ସ୍ଥଳ ଆରାଡ଼ି ଘାଟର ତିନିତର ସେତୁ କେବଳ ପିଲାର ନିର୍ମାଣରେ ଅଟକି ଥିବା ବେଳେ ଆଉ ଆଗେଇ ପାରୁନି ସେତୁ କାମ। ସେହିପରି ମନ୍ତେଇ ନଦୀର ବଂଶଡ଼ା ଘାଟରେ ସେତୁ ନିର୍ମାଣ ହୋଇଥିବା ବେଳେ ଏହାର ରାସ୍ତା ନିର୍ମାଣ କାମ ଶେଷ ହୋଇ ପତୁ ନାହିଁ।
ମନ୍ତେର ନଦୀର ଗୋଟିଏ ପାର୍ଶ୍ବରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକ୍ ବାଲିମେଦ ପଞ୍ଚାୟତ ଚାରବାଟିଆ ଘାଟ ଓ ଅପରପାର୍ଶ୍ଵରେ ଚାନ୍ଦବାଲି ବ୍ଳକ୍ କରଜାଆଡ଼ିଆ ପଞ୍ଚାୟତର ବାଲିଆପାଳ ଘାଟ ଦୀର୍ଘ ବର୍ଷ ଧରି ଅତି ବିପଜ୍ଜନକ ଭାବରେ ଲୋକେ ଡଙ୍ଗାରେ ମନ୍ତେଇ ନଦୀ ପାରି ହେଉଛନ୍ତି। ଏଠାରେ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ୨୦୨୩ ମସିହା ଅପ୍ରେଲ ମାସରେ ଏନେଇ ପୂର୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨ ବର୍ଷ ପରେ ବି ଜମି ଅଧିଗ୍ରହଣ ଶେଷ ହୋଇ ପାରିନି। ଯେଉଁଥି ପାଇଁ ବାଲିଆପାଳ ସେତୁ ଏବେ ଅନିଶ୍ଚିତତା ଦେଇ ଗତି କରୁଛି। ଜମି ଅଧିଗ୍ରହଣ ରେ ଅଟକୁଛି ଏହି ସେତୁ ପ୍ରସଙ୍ଗ।
ସୂଚନାରୁ ପ୍ରକାଶ ଯେ, ୨୦୨୩ ମସିହା ଅପ୍ରେଲ ମାସ ପୂର୍ତ୍ତ ବିଭାଗ ପକ୍ଷରୁ ଚାରବାଟିଆ ଘାଟରେ ସେତୁ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୭୦୦ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ୬୪ କୋଟି ୧୩ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ସେତୁ ନିର୍ମାଣ ହେଉ ନଥିବାରୁ ଏହାକୁ ନେଇ ବିଧାନ ସଭାରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସେତେବେଳେ କହିଥିଲେ, ଇପିସି ମୋଡରେ ସେତୁ ନିର୍ମାଣ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି। କାମ ଆରମ୍ଭ କରାଯିବା ପାଇଁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହି ସେତୁ ନିର୍ମାଣ ପାଇଁ ସରକଙ୍କ ପକ୍ଷରୁ କିଛି ତତ୍ପରତା ପ୍ରକାଶ କରାଯିବା ନାହିଁ।
ସେତୁର ବାଲିଆପାଳ ଘାଟ ନିକଟରେ ଆପ୍ରୋଚ ରୋଡ୍ ପାଇଁ ୨ ବର୍ଷ ବିତିଲାଣି, ସରୁନି ଜମି ଅଧିଗ୍ରହଣ। ବିପଜ୍ଜନକ ଡଙ୍ଗାରେ ଚାଲିଛି ନଦୀପାରି ହେଉଛନ୍ତି ଅଞ୍ଚଳର ଲୋକେ। ଯାହାକୁ ନେଇ ବଢୁଛି ଅସନ୍ତୋଷ। ବିଜେଡି ସରକାର ୨୪ ବର୍ଷ ଶାସନ କଳା ଭିତରେ ଏଠାରେ ସେତୁ ନିର୍ମାଣ ହେବାର ଆସା ଦେଇ ନିରାଶା କରି ଗଲେ। ବିଜେପି ସରକାର ଆସିବା ପରେ ଲୋକେ ଏଠାରେ ସେତୁ ନିର୍ମାଣ ହେବ ବୋଲି ଆଶା ବାନ୍ଧି ଥିଲେ। ମାତ୍ର ସେତୁ ନିର୍ମାଣ ନେଇ ଆଉ କିଛି ଆଗକୁ ଗତି କରାଯାଇନାହିଁ।
ଏହି ସେତୁ ନିର୍ମାଣ ପାଇଁ ଅର୍ଥ ଅଟକଳ ଓ ବ୍ୟୟ ବରଦା କରାଯାଇ ୩୦ ମାସରେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରାଯାଇଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏଠାରେ ସେତୁ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପିତ ହୋଇଥିଲା। ଏଥି ପାଇଁ ଟେଣ୍ଡର ଡକାଯାଇଥିଲା। ଫଳକ ବି ଲାଗିଥିଲା। ଇତିମଧ୍ୟରେ ୩ ବର୍ଷ ବିତିଗଲାଣି, ଜମି ଅଧିଗ୍ରହଣ ଶେଷ ହୋଇନି।
ଗତ ବିଧାନସଭା ଅଧିବେଶନରେ ବାସୁଦେବପୁର ବିଧାୟକ ଅଶୋକ ଦାସ ଗୃହରେ ଏହି ପ୍ରସଙ୍ଗ ଉଠାଇ ସେତୁ ନିର୍ମାଣ ପାଇଁ ସରକାରଙ୍କଠାରୁ ଜବାବ ମାଗିଥିଲେ। ମାତ୍ର ଏହି ସେତୁ ନିର୍ମାଣ ଓ ଏହାର ଅପ୍ରୋଚ ରୋଡ଼ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ୨. ୩୧ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ୯୦ ପ୍ରତିଶତ ଜମି ଅଧିଗ୍ରହଣ କରାଯାଇ ନିର୍ମାଣକାରୀ ସଂସ୍ଥାନକୁ ହସ୍ତାନ୍ତର ପରେ କାର୍ଯ୍ୟାଦେଶ ଜାରି ହେବା ରାଜ୍ୟ ସରକାରଙ୍କ ଏହି ପ୍ରତିଶ୍ରୁତି ଓ ଭିତ୍ତିପ୍ରସ୍ତର ସ୍ଥାପନରେ ଅଟକିଛି ସେତୁ ନିର୍ମାଣ। ଏବେ ବି ଲୋକେ ବିପଜ୍ଜନକ ଭାବେ ଡଙ୍ଗାରେ ମନ୍ତେଇ ନଦୀ ପାରି ହେଉଛନ୍ତି। ଏହି ସେତୁ ନିର୍ମାଣ ଦିଗରେ ସରକାର ଆନ୍ତରିକତା ପ୍ରକାଶ କରିବାକୁ ସ୍ଥାନୀୟ ବାସୁଦେବପୁର ଓ ଚାନ୍ଦବାଲି ବ୍ଳକ୍ବାସୀ ଦାବି କରିଛନ୍ତି| ଅନିଶ୍ଚିତତା ମନ୍ତେଇ ନଦୀର ବାଲିଆପାଳ ସେତୁ, କୁମ୍ଭୀର ଭୟ ଓ ଅସୁରକ୍ଷିତ ଜଳଯାତ୍ରା ଆଉ କେତେଦିନ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
Bhadrak