ଭିଜିଲାନସ୍‌ ବିଭାଗ ପକ୍ଷରୁ ଭଦ୍ରକ ସ୍ୱୟଂଶାସିତ କଲେଜରେ ଚଢ଼ାଉ

ଭଦ୍ରକ: ବାଲେଶ୍ୱର ଭିଜିଲାନସ୍‌ ବିଭାଗ ପକ୍ଷରୁ ଶନିବାର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କେତେକ ନିର୍ମାଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଚଢ଼ାଉ କରାଯାଇଛି। ଭିଜିଲାନସ୍‌ ପକ୍ଷରୁ ବୈଷୟିକ ଅଧିକାରୀଙ୍କ ସହ ଏକ ୫ ଜଣିଆ ଟିମ ପ୍ରଥମେ କଲେଜ ପରିସରକୁ କ୍ଷେତ୍ରୀୟ ତଦନ୍ତ କରିଥିଲେ। ନିର୍ମିତ ରାସ୍ତାକୁ ଖୋଳି ମାପଚୁପ କରିଥିଲେ। ଏଥି ସହିତ ଅନ୍ୟ ନିର୍ମାଣ କାର୍ଯ୍ୟର ତଦନ୍ତ କରିଥିଲେ। ପରେ ଏହି ଟିମ୍‌ ପୂର୍ତ୍ତ ଡିଭିଜନ କାର୍ଯ୍ୟାଳୟରେ ପହଞ୍ଚି ଫାଇଲ ପତ୍ର ଯାଞ୍ଚ କରିଥିଲେ। ଅନ୍ୟୁନ ୨ କୋଟି ଟଙ୍କା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଖୋଲା ଟେଣ୍ଡର କରାନଯାଇ ଗୋପନ ଟେଣ୍ଡର ଜରିଆରେ (ଏଫ୍‌ଟି) ଠିକାଦାରଙ୍କ କାମ ବଣ୍ଟାଯାଇଥିଲା।

ଗୋଟିଏ କାମକୁ ଏକାଧିକବାର କରାଯାଇଥିବା ଓ ଜଣେ ଠିକାଦାରଙ୍କ ନାଁରେ ବହୁ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମଞ୍ଜୁରୀ କରାଯାଇଥିବା ନେଇ ଅଭିଯୋଗ ପତ୍ର ଭିଜିଲାନସ୍‌ ପାଖରେ ପହଞ୍ଚିଥିଲା।

ଶ୍ରେଣୀ ଗୃହ ମରାମତି, ରଙ୍ଗଦେବା, କଂକ୍ରିଟ ରାସ୍ତା କରିବା, ଟଏଲଟ ମରାମତି କରିବା, ପରୀକ୍ଷାଗୃହ, ପ୍ରଶାସନିକ ଗୃହ, ଏନସିି ଗୃହ ମରାମତି କରିବା ନାମରେ ମିଥ୍ୟା ବିଲ୍‌ ପ୍ରସ୍ତୁତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗରେ ସତ୍ୟାସତ୍ୟକୁ ପରଖିବା ପରେ ଭିଜିଲାନସ୍‌ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର