ଭଦ୍ରକ: ଭଦ୍ରକ ଜିଲ୍ଲା ପୂର୍ତ୍ତ ବିଭାଗର ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚିଛି। ବିଭାଗୀୟ ଦୁର୍ନୀତିର ଭିଜିଲାନସ୍ ତଦନ୍ତ ପାଇଁ ଦାବିହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କାମରେ ହୋଇଛି ଦୁର୍ନୀତି। ମହାବିଦ୍ୟାଳୟରେ କୋଟିକୋଟି ଟଙ୍କାର କାମହୋଇଛି। ଯାହା ଅତ୍ୟନ୍ତ ନିମ୍ନମାନର ଓ ବିନା ଟେଣ୍ଡରରେ କରାଯାଇଛି। ଅତି ତରବରିଆ ଭାବେ କରାଯାଇଥିବା ଏଭଳି କାମ ଓ ଏହାର ବିଲ୍ ପୈଠର ବୈଧତା ନେଇ ମଧ୍ୟ ତଳୁ ଉପର ପଯ୍ୟର୍ନ୍ତ ଆଲୋଚନା ହେଉଛି। ଗୋଟିଏ ଗୋଟିଏ ଯୋଜନାରେ ଏକାଧିକ ବାର କାର୍ଯ୍ୟାଦେଶ ଓ ଅନୁଦାନ କିଛି ଠାକାଦାରଙ୍କୁ ଦିଆଯାଇଛି। ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କାର କାମ ଠିକାଦାର ଓ ଯନ୍ତ୍ରୀଙ୍କର ବିଧିବଦ୍ଧ ଯୋଜନାରେ ହୋଇଛି। ଏମିତିକି ଏଠାରେ କରାଯାଇଥିବା କୋଟିକୋଟି ଟଙ୍କାର କାମ ବିନା ଟେଣ୍ଡରରେ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ଗୋଟିଏ କାମକୁ ସ୍ପ୍ଲିଟିଂ କରାଯାଇ ଏକାଧିକବାର କାର୍ଯ୍ୟାଦେଶ ଦିଆଯାଇଛି। ଏଇସବୁ ଆଦବ କାଇଦା ଠିକାଦାରଙ୍କୁ ଦେଖାଇଛନ୍ତି ପୂର୍ତ୍ତ ବିଭାଗର କିଛି କରିତ୍କର୍ମା ଯନ୍ତ୍ରୀ। ଏଭଳି ପ୍ରସଙ୍ଗ ଏବେ ସାରା ଭଦ୍ରକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଭାଗର ତଳିଆ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉପର ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏଇ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି। ପରସ୍ପର ମଧ୍ୟରେ କାଦୁଅ ଛଟାଛଟି ଆରମ୍ଭହୋଇଛି। ଦୁର୍ନୀତିର ବୋଝ ଓ ଅପବାଦର ନାଗରା କିଏ ମୁଣ୍ଡାଇବ, ତାକୁ ନେଇ ବିଭାଗୀୟ କାର୍ଯ୍ୟାଳୟରେ ଚାଲିଛି ମାନସମନ୍ଥନ। ଏବେ ଏଇ କଳାକାରନାମାକୁ ନେଇ ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ଭିଜିଲାନସ୍ ବିଭାଗର ମହାନିର୍ଦ୍ଦେଶକଙ୍କ ଦପ୍ତର ପର୍ଯ୍ୟନ୍ତ ଅଭିଯୋଗ କରାଯାଇଛି। କଲେଜରେ ହୋଇଥିବା ଠିକାଦାରୀ ଦୁର୍ନୀତିର ଫାଇଲ୍ ମୁଖ୍ୟମନ୍ତ୍ରୀ ଓ ଭିଜିଲାନସ୍ ନିକଟକୁ ପଳାଇଯାଇଛି। ଏଇ ଫାଇଲରେ କାଳେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି।
ଏଇ ଦୁର୍ନୀତିିର ପର୍ଦ୍ଦାଫାଶ ହେଲେ ବଡ ବଡ ମୁଣ୍ଡ ଗଡିଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋରଧରିଛି। କିଛି ସାମାଜିକ କର୍ମୀ ଓ ରାଜନୈତିକ ଦଳ ମଧ୍ୟ ଏଇ ଦୁର୍ନୀତିକୁ ନେଇ ଆନ୍ଦୋଳନ କରିବେ ବୋଲି ସଜବାଜ ହେଉଥିବା ଶୁଣାଯାଉଛି। ମିଳିମିଶି କେଳେଙ୍କାରୀକୁ ଚାପିିଦେବାକୁ ଚେଷ୍ଟା ଚାଲିଥିଲେ ବି ଫାଇଲ୍ ମୁଖ୍ୟମନ୍ତ୍ରୀ ଓ ଭିଜିଲାନସ୍ ବିଭାଗର ବଡ଼ ବାବୁଙ୍କ ନିକଟକୁ ପଳାଇଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଭଦ୍ରକ କଲେଜ ଦୁର୍ନୀତି ଆଉ କାହାକୁ ଅଛପା ହୋଇ ରହିନାହିଁ। ଏଭଳି କଲେଜର ଅନୁଦାନ ଟଙ୍କାକୁ ଚଳୁ କରିବାକୁ ଯେଉଁମାନେ ମସୁଧା କରିଛନ୍ତି, ସେମାନଙ୍କ ଉପରେ କିଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବାକୁୁ ବାକିରହିଛି।