ଭଦ୍ରକ: ୨୪ ବର୍ଷର ବିଜେଡି ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ଏହା ଭିତରେ ୧୭ ମାସ ପୂରି ଗଲାଣି। ଏଯାଏ ରାଜ୍ୟରେ କୌଣସି କୋର୍ଟରେ ସରକାରୀ ଓକିଲ ନିଯୁକ୍ତ ହୋଇ ପାରିଲା ନାହିଁ। ଫଳରେ ତତ୍କାଳୀନ ରାଜ୍ୟ ସରକାରଙ୍କ ସମୟରେ ନିଯୁକ୍ତ ଓକିଲ ଏବେ ସରକାରୀ ଓକିଲ ଭାବରେ କାର୍ଯ୍ୟ ତୁଲାଉଛନ୍ତି। ଏହାକୁ ନେଇ ଭଦ୍ରକରେ ବିଜେପି ସଂଗଠନ ସହ ଜଡ଼ିତ ହୋଇ ଯେଉଁ ଆଇନଜୀବୀମାନେ ବର୍ଷବର୍ଷ କାମ କରୁଥିଲେ ସେମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

Advertisment

ସରକାର କାହିଁକି ନୂଆ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ପାରୁ ନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ଏବେ କିଛି ଓକିଲ ବନ୍ଧୁଙ୍କ ମନରେ ଉଠିଛି। ଆଶା ଆଶଙ୍କା ଭିତରେ ରହିଛନ୍ତି ସରକାରୀ ଓକିଲ ନିଯୁକ୍ତି ପାଇବା ପାଇଁ। ବିଜେପିକୁ ସରକାରକୁ ଆଣିବା ପରେ ସେହି ଦଳର ଓକିଲମାନେ ଯେ ଶେଷରେ ଏତେ ଆଶଙ୍କା ଭିଆରେ ରହିବେ। ଏକଥା ସେମାନେ ଭାବି ପରି ନଥିଲେ। ଆଉ କେବେ ସରକାର ସରକାରୀ ଓକିଲ ନିଯୁକ୍ତି ଦେବେ। କିଛି ଓକିଲ ବନ୍ଧୁ ଭାବିଥିଲେ ରାଜ୍ୟ ସରକାର କାଳେ ଦୁର୍ଗାପୂଜା ପୂର୍ବରୁ ଓକିଲ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ ଘୋଷଣା କରିବେ। ତାହା ହେଲା ନାହିଁ। ଆଶା ଥିଲା କାଳେ ଦୀପାବଳିରେ ସରକାର ସରକାରୀ ଓକିଲ ନିଯୁକ୍ତି କରିବେ। କିନ୍ତୁ ଏବେ କାହିଁ ସରକାରୀ ଓକିଲ ନିଯୁକ୍ତି ଉପରେ କିଛି ସ୍ବର ଶବ୍ଦ ମିଳୁ ନାହିଁ। ଏବେ ସମସ୍ତେ ମତିବେ ନୂଆପଡ଼ା ଉପନିର୍ବାଚନ ପାଇଁ। ନୂଆପଡ଼ା ଉପ ନିର୍ବାଚନ ପରେ ଯଦି ସରକାରଙ୍କ ମନକୁ ପାଇବା ତେବେ ଯାଇ ସରକାରୀ ଓକିଲ ନିଯୁକ୍ତି ହୋଇପାରେ ବୋଲି ଶୁଣା ଯାଉଛି। 

ଭଦ୍ରକ ଜିଲ୍ଲାରେ ମୋଟ ୧୭ଟି କୋର୍ଟ ରହିଥିବା ବେଳେ ଏସବୁ କୋର୍ଟରେ ୫୭ଜଣ ସରକାରୀ ଓକିଲ ନିଯୁକ୍ତି ହୋଇଛନ୍ତି। ଜିଲ୍ଲା ସଦର ମାକୁମାରେ ଭଦ୍ରକ ଜିଲ୍ଲା ଜଜକୋର୍ଟକୁ ମିଶାଇ ମୋଟ ୧୨ଟି କୋର୍ଟ କାର୍ଯ୍ୟ କରୁଥିବା ବେଳେ ବାସୁଦେବପୁରରେ ୩ଟି, ଚାନ୍ଦବାଲିରେ ୧ଟି, ଧାମନଗରରେ ୧ଟି କୋର୍ଟ ରହିଛି। ଏହାବ୍ୟତୀତ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟ, ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟ, ଉପଜିଲ୍ଲାପାଳଙ୍କ କୋର୍ଟ ଓ ଜିଲ୍ଲାର ୭ଟି ତହସିଲଦାରଙ୍କ କୋର୍ଟରେ ସରକାରୀ ଓକିଲମାନେ କାର୍ଯ୍ୟ କରୁଛନ୍ତି। 

ଜିଲ୍ଲାରେ ରାଜସ୍ବ କୋର୍ଟ ଓ ନ୍ୟାୟିକ କୋର୍ଟକୁ ମିଶାଇ ମୋଟ ୫୭ଜଣ ସରକାରୀ ଓକିଲ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ସମସ୍ତ ସକରାରୀ ଓକିଲ ବଦଳିବା କଥା। ମାତ୍ର ଏବେ ସୁଦ୍ଧା  ଏସବୁ କାମ ହେଉ ନଥିବାରୁ ଭଦ୍ରକ ଜିଲ୍ଲାରେ ଅନେକ ଦଳୀୟ ଆଶାୟୀ ଓକିଲ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ବିଜେପି ପାଇଁ ବର୍ଷାଧିକ କାଳ କାମ କରି ବି କିଛି ଲାଭ ମିଳୁନି। ବର୍ଷେ ରୁ ଅଧିକ ସମୟ ହେଲା ସରକାରୀ ଓକିଲ ପଦବିକୁ ଚାହିଁ ବସିଛୁ ଯେ ଏଯାଏ ନିଯୁକ୍ତି ହୋଇ ପାରିନି। ତେବେ ସରକାରୀ ଓକିଲ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ସେମାନେ ଦାବି କରିଛନ୍ତି।  

ଏ ସମ୍ପର୍କରେ ବିଜେପିର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ପଚାରିଲେ ସେମାନେ କହୁଛନ୍ତି ସବୁ ପ୍ରକ୍ରିୟା ଶେଷ ହୋଇଛି।  ଖୁବ୍‌ଶୀଘ୍ର ଏବାବଦରେ ରାଜ୍ୟ ସରକାର ନିର୍ଣ୍ଣୟ ନେବେ। ସେହିପରି ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ତୁଷାର ଜେନା ଅନୁରୂପ ମତ ଦେଇ କହିଛନ୍ତି, ଦୀର୍ଘ ବର୍ଷ ପରେ ବିଜେପି ଶାସନ କ୍ଷମତାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ଅନ୍ୟାନ୍ୟ କାମ ସରିବା ପରେ ଏବେ ସରକାରୀ ଓକିଲ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭହୋଇଛି। ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଶେଷ କରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Bhadrak