ଜାଗର ରାତିରେ ମହିଳାଙ୍କୁ ଗଣଦୁଷ୍କର୍ମ, ଯାତ୍ରା ଦେଖି ଫେରୁଥିବା ବେଳେ ବାଟରୁ ଉଠାଇନେଲେ

ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧ : ଜାଗର ଉତ୍ସବ ଦେଖି ଘରକୁ ଫେରୁଥିବା ବେଳେ ଜଣେ ବିବାହିତା ମହିଳା‌ଙ୍କୁ ବାଟରୁ ଟେକି ନେଇ ଗୁଣଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ଅନ୍ଧାର ରାତିରେ ମୁହଁରେ କପଡା ବାନ୍ଧି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବାରୁ ସେମାନଙ୍କୁ ଚିହ୍ନି ପାରିନାହାନ୍ତି ପୀଡ଼ିତା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଭଣ୍ଡାରିପୋଖରୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ତନାଘନା ଚଳାଇଛି।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅ‌ଞ୍ଚଳର ଏକ ପରିବାର ଗତ ୮ ବର୍ଷ ହେଲା ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଞ୍ଚଳରେ ରହୁଛନ୍ତି। ଗତକାଲି ମହିଳାଙ୍କ ସ୍ବାମୀ ଓ ପିଲାମାନେ ମହାଶିବରାତ୍ରି ପାଇଁ ନିଜ ଗାଁକୁ ଯାଇଥିବା ବେଳେ ମହିଳା ଜଣକ ଏକୁଟିଆ ଘରେ ଥିଲେ। ରାତିରେ ବରଣେଶ୍ବର ଶୈବ ପୀଠରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିସାରି ମହିଳା ଜଣକ ଏକୁଟିଆ ଘରକୁ ଫେରୁଥିବା ବେଳେ ଦୁଇଜଣ ବ୍ୟକ୍ତି ତାଙ୍କୁ ଡିହସାହି-ସଇସଲାପୁର ମଝିରାସ୍ତାରୁ ଉଠାଇ ନେଇ ରାସ୍ତାକଡରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଦୁଷ୍କର୍ମକାରୀଦ୍ବୟ ତାଙ୍କୁ ଛାଡ଼ି ସେଠାରୁ ପଳାଇ ଯାଇଥିଲେ। ରାତିରେ ନିଜ ଘର ପିଣ୍ଡାରେ ବସି ପୀଡ଼ିତା କାନ୍ଦୁଥିବା ବେଳେ ଗାଁ ଲୋକଙ୍କଠୁ ଖବର ପାଇଥିଲା ପୁଲିସ। ଭଣ୍ଡାରିପୋଖରୀ ଥାନା ଏଏସ୍‌ଆଇ ଗୌରମଣି ସିଂ ଓ ଷ୍ଟାଫ୍ ପୀଡ଼ିତାଙ୍କୁ ଉଦ୍ଧାର କରି ଭଣ୍ତାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ସକାଳେ ପୀଡ଼ିତା ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ନଂ ୪୨/୨୦ରେ ଏକ ମାମଲା ରୁଜୁ କରିଛି। ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏସ୍‌ଡିପିଓ ମନୋରଞ୍ଜନ ସାମଲ, ଥାନା ଆଇଆଇସି ସନାତନ ସାହୁ ଆଜି ସାଇଣ୍ଟଫିକ ଟିମ୍‌ ସହିତ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି। ମୁହଁରେ କପଡ଼ା ବାନ୍ଧିଥିବାରୁ ପୀଡିତା ଅଭିଯୁକ୍ତଙ୍କୁ ଚିହ୍ନିପାରିନଥିବା ପ୍ରକାଶ କରିଛନ୍ତି। ତେବେ ତାଙ୍କ ସୂଚନାକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତଦ୍ବୟ ଧରାପଡ଼ିବେ ବୋଲି ଏସ୍‌ଡିପିଓ ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର