ମହିଳାଙ୍କୁ ବୀଭତ୍ସ ହତ୍ୟା : ହାତ କାଟି ଏସିଡ୍‌ ଢାଳିଲେ

ତିହିଡ଼ି : ଦୁଇହାତକୁ କାଟି ପେଟରୁ ଗୋଡ଼ ପର୍ଯ୍ୟନ୍ତ ଏସିଡ୍‌ ଢାଳି ଜଣେ ମହିଳାଙ୍କୁ ଅତି ବର୍ବର ଭାବେ ହତ୍ୟା କରାଯାଇଛି। ଭଦ୍ରକ ଜିଲ୍ଲା ତିଡିଡ଼ି ଥାନା ଗୋଳାପୋଖରୀ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରୁ ଦୁଇ କଟାହାତ ମଧ୍ୟ ଗାଏବ ହୋଇଯାଇଛି। ଗୋଳାପୋଖରୀ ଓ ମୂଷାଙ୍ଗ ଗାଁ ପଛପଟ ରେଳଧାରଣା ନିକଟରେ ଆଜି ସକାଳେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ମହିଳା ସେହି ଗ୍ରାମର ବିଜୟ ସାହୁଙ୍କ ପତ୍ନୀ ମାଳତୀ ନାୟକ (୪୯) ବୋଲି ପରେ ଜଣାପଡ଼ିଥିଲା।

ଆଜି ସକାଳ ସାଢ଼େ୮ଟାରେ ମହିଳାଙ୍କ ଶବ ଦେଖି ସ୍ଥାନୀୟ ଲୋକେ ତାଙ୍କ ସ୍ୱାମୀ ଓ ବାପଘରକୁ ଖବର ଦେଇଥିଲେ। ପରେ ଖବର ପାଇ ଅତିରିକ୍ତ ଏସପି କୈଳାସ ଚନ୍ଦ୍ର ପରିଡା, ଚାନ୍ଦବାଲି ଏସ୍‌ଡିପିଓ ତରୁଣ କୁମାର ଦାସ, ଚାନ୍ଦବାଲି ଥାନାଧିକାରୀ କମଳଲୋଚନ ଭୂୟାଁ, ତିହିଡି ଭାରପ୍ରାପ୍ତ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଫୋରେନ୍‌ସିକ୍‌ ଟିମ୍‌ ଓ ଅନୁସନ୍ଧାନୀ କୁକୁର ଦଳ ପହଞ୍ଚି ତଦନ୍ତ କରିଥିଲେ। ମୃତା ମାଳତୀଙ୍କ ଭାଇ କନାଟିଆ ଗାଁର ନାରାୟଣ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ୨୭/୧୮, ଦଫା ୩୦୨ ରୁଜୁ ହୋଇଛି। ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଗତ ୧୦ ବର୍ଷ ଧରି କଳହ ଲାଗି ରହିଥିଲା। ପ୍ରାୟ ମାସେ ତଳେ ମାଳତୀ ବାପ ଘରକୁ ଯାଇ ରହିଥିବା ବେଳେ ଗତ ୫ ଦିନ ତଳେ ସ୍ୱାମୀ ତାଙ୍କୁ ବୁଝାଇ ସୁଝାଇ ଗୋଳାପୋଖରୀକୁ ଆଣିଥିଲେ। ମାଳତୀଙ୍କୁ ମାରି ମୃତଦେହ ରେଳଧାରଣାରେ ପକାଇ ପ୍ରମାଣନଷ୍ଟ କରିବାକୁ ଉଦ୍ୟମ କରିଥିବା ତାଙ୍କ ଭାଇ ନାରାୟଣ ନାୟକ ଅଭିଯୋଗରେ ଦର୍ଶାଇଛନ୍ତି।

ଅନ୍ୟପଟେ ବିଜୟ ଦୀର୍ଘ ବର୍ଷ ଧରି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ନେଇ ମାଳତୀଙ୍କ ସହ ବାରମ୍ବାର ଝଗଡା ଲାଗି ରହିଥିଲା। ଏନେଇ ବିଗତ ଦିନରେ ଥାନା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା। ରାସ୍ତାରୁ କଣ୍ଟା ହଟାଇବା ଲାଗି ସମ୍ପୃକ୍ତ ମହିଳା ଓ ବିଜୟ ହତ୍ୟା କରିଥିବା ମାଳତୀଙ୍କ ବାପ ଘର ଲୋକେ ତଦନ୍ତ ସମୟରେ ପୁଲିସକୁ ସୂଚନା ଦେଇଥିଲେ। ଯାହାକୁ ନେଇ ପୁଲିସ ମଧ୍ୟ ଉକ୍ତ ମହିଳାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଥାନାକୁ ଆଣି ପଚରା ଉଚୁରା କରୁଥିବା ଏସଡିପିଓ ସୂଚନା ଦେଇଛନ୍ତି। ବିଜୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର