ନିଷ୍ଠୁର ସାଜିଲା ଚାନ୍ଦବାଲି ପ୍ରଶାସନ ! ମହିଳା ସିପକ୍‌ଟାକ୍ରୋ ଖେଳାଳୀଙ୍କୁ ହଷ୍ଟେଲରୁ ତଡିଦେଲେ 

ଭଦ୍ରକ : ନିଷ୍ଠୁର ସାଜିଲା ଚାନ୍ଦବାଲି ପ୍ରଶାସନ । ସୌନ୍ଦର୍ଯ୍ୟ କରଣ ନାଁରେ ବଜାରବ୍ୟାପୀ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଚାନ୍ଦବାଲିର ଗର୍ବ ଓ ଗୌରବ ସିପଲଟାକ୍ରୋ ଖେଳରେ ମହିଳା ଖେଳାଳୀଙ୍କୁ ରହୁଥିବା ହଷ୍ଟେଲରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି । ସିପକଟାକ୍ରୋ ଖେଳରେ ଏହି ଅଞ୍ଚଳର ବହୁ ମହିଳା ଖେଳାଳୀ ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ଆନ୍ତର୍ଜାତୀୟ ସୁନାମ ଅର୍ଜନ କରିଛନ୍ତି । ମାତ୍ର ସେମାନଙ୍କୁ କୌଣସି ଥଇଥାନ କରାନଯାଇ ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟକ୍ରମକୁ ନାପସନ୍ଦ କରାଯାଇଛି । ପ୍ରାକ୍ ସୂଚନା ନଥାଇ ଆଜି ଅତର୍କିତ ଭାବରେ ତହସିଲଦାର ସିପକଟାକ୍ରୋ ମହିଳା ହଷ୍ଟେଲକୁ ପଶିଥିଲେ । ସେଠାରେ ଥିବା ଜାତୀୟ ଖେଳାଳୀମାନଙ୍କୁ ବାହାର କରି ତାଲା ପକେଇ ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ତହସିଲ ପ୍ରଶାସନ ପକ୍ଷରୁ ଏହି ପ୍ଲଟରେ ଉଚ୍ଛେଦ ହେବ ବୋଲି କୌଣସି ସୂଚନା ଦେଇନଥିଲେ । ସିପକଟାକ୍ରୋ ମହିଳା ହଷ୍ଟେଲଟି ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ୧୧ଶ ଅର୍ଥ କମିଶନ ପକ୍ଷରୁ ଏସଡିଆୱାଇ ଯୋଜନାରେ ୨ ଲକ୍ଷ ଟଙ୍କା ବିନିମୟରେ  ନିର୍ମାଣ କରାଯାଇ ବିଡିଓଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା୧୩୮/ତା ୨୭.୧୧.୧୬ରିଖରେ ଅନୁମତି କ୍ରମେ ଚାନ୍ଦବାଲି ସରପଞ୍ଚଙ୍କ ଦ୍ୱାରା ମସିହାରେ ଖେଳାଳୀମାନଙ୍କ ପାଇଁ ଉଦ୍ଦିଷ୍ଟ ଗୃହକୁ ହସ୍ତାନ୍ତର କରାଯାଇଥିଲା । ଏହା ଚାନ୍ଦବାଲି ମୌଜାର ଖାତା ନମ୍ବର ୧୨୭, ପ୍ଲଟ ନମ୍ବର ୩୪୭ ଉପରେ ଅବସ୍ଥିତ । ଏହି ହଷ୍ଟେଲରେ ରହୁଥିବା ଖେଳାଳୀମାନଙ୍କ ଖେଳରେ ସନ୍ତୁଷ୍ଟ ହୋଇ ଚାନ୍ଦବାଲି ବିଡିଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୪୭/ତା ୨୨.୩.୧୭ରିଖରେ ଜିଲ୍ଲାପାଳଙ୍କୁ ଏହି ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ସୁପାରିଶ କରିଥିଲେ । ଚାନ୍ଦବାଲି ମୌଜାର ଖାତା ନମ୍ବର ୧୨୭ ଅଧିନରେ ଥିବା ଖାତା ୩୩୬ ନମ୍ବର ପ୍ଲଟ ଉପରେ କେତେକ ବ୍ୟକ୍ତି ସରକାରୀ କ୍ୱାଟରକୁ ଜବର ଦଖଲ କରିଥିବା ବିଡିଓ ୨୦୨୦ ମସିହାରେ ତହସିଲଦାରଙ୍କ ଅବଗତ କରିଥିଲେ । ପରେ ତହସିଲଦାର ଭୁଲକ୍ରମେ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ସଂଖ୍ୟା ୨୭୧୬/ତା ୧୮.୧୨.୨୦ରିଖ ଏବଂ ପତ୍ର ସଂଖ୍ୟା ୨୭୯୪/ ତା ୩୦.୧୨.୨୦ ରିଖରେ ଉକ୍ତ ପ୍ଲଟ ନମ୍ବର ୩୩୬ ଉପରେ ଜବର ଦଖଲ କରାଯାଇଥିବା ନେଇ ସିପକଟାକ୍ରୋ ସଂଘର ସମ୍ପାଦକ ପ୍ରଭାଶ ଶୁଭଦର୍ଶନ ମହାନ୍ତିଙ୍କୁ ଜଣାଇଥିଲେ । ଉକ୍ତ ପ୍ଲଟ ୩୩୬ ଉପରେ କୌଣସି ଜବର ଦଖଲ କରାଯାଇନଥିବା ଶ୍ରୀ ମହାନ୍ତି ଏହାର ଜବାବ ରଖିଥିଲେ । କିନ୍ତୁ ତହସିଲଦାରଙ୍କ କାର୍ଯ୍ୟାଳୟ ନୋଟିସ ସଂଖ୍ୟା ୧୧୨୧/ତା ୧୨.୩.୨୧ରିଖରେ ୩୩୬ ପ୍ଲଟରୁ ସାମଗ୍ରୀ ନେଇଯିବା ପାଇଁ ପୂନଶ୍ଚ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସମ୍ପାଦକ ଶ୍ରୀ ମହାନ୍ତି ତହସିଲଦାରଙ୍କୁ ୩୩୬ ପ୍ଲଟରେ ସିପାକଟାକ୍ରୋ ମହିଳା ହଷ୍ଟେଲ ଅବସ୍ଥିତ ନୁହେଁ ବୋଲି ଜଣାଇଥିଲେ । ଯଦି ୩୪୭ ନମ୍ବର ପ୍ଲଟ ଉପରେ ନିର୍ମାଣ କରାଯାଇଥିବା ଏହି ହଷ୍ଟେଲ ଉପରେ କୌଣସି ଆପତ୍ତି ଅଛି ତେବେ ଲିଖିତ ଜଣାଇବାକୁ ଅନୁରୋଧ କରିଥିଲେ । ମାତ୍ର ତସହିଲଦାର ମହୋଦୟ ୩୪୭ ପ୍ଲଟ ଉପରୁ ବାହାରି ଯିବାପାଇଁ କୌଣସି ନୋଟିସ କରିନଥିଲେ । ଖେଳାଳୀମାନେ  ଖାଇ ବସିଥିବା ବେଳେ ଭାତ ପାଖରୁ ଉଠାଇ ତାଲା ପକେଇ ଦେଇଛନ୍ତି । ସେହି ଘର ଭିତରେ ଜଣେ ୧୦ ଛାତ୍ରୀଙ୍କ ବହି ପତ୍ର ଏବଂ ଯୁକ୍ତତିନି ଛାତ୍ରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ରହି ଯାଇଅଛି । ଯେତେ ନିବେଦନ କଲେ ମଧ୍ୟ ତହସିଲଦାର ଶୁଣିନଥିଲେ । ଚାନ୍ଦବାଲି ପ୍ରଶାସନ ବିରୋଧରେ ସିପାକଟାକ୍ରୋ ଜିଲ୍ଲା ସଂଘ ଆଇନ୍‌ଗତ ପଦକ୍ଷେପ ନେବାକୁ ସ୍ଥିର କରିଥିବା ସମ୍ପାଦକ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସୂଚନା ମୁତାବକ ଜାତୀୟ ସ୍ତରରେ ଭାରତୀୟ ଦଳରେ ସିପାକଟାକ୍ରୋ ଖେଳରେ ଅଂଶ ଗ୍ରହଣ କରିବା ଲାଗି ୨ ଜଣ ଖେଳାଳୀ ସଂପ୍ରତି ଗୋଆରେ ତାଲିମ ନେଉଛନ୍ତି । ଏଥିସହ ଓଡିଶା ଦଳରୁ ଖେଳିବା ଲାଗି ଆଉ ୫ ଜଣ ଖେଳାଳୀ ଆସନ୍ତା ୨୪ ତାରିଖରେ ଗୋଆ ଯିବାର କାର୍ଯ୍ୟକ୍ରମ ରହିଛି । ଏପରି ସ୍ଥଳରେ ଏହି ଖେଳାଳୀମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୋଟ ଉପରେ କହିବାକୁ ଗଲେ ୧୦ ଜଣ ମହିଳା ଖେଳାଳୀଙ୍କ ସହିତ ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକ ସେମାନଙ୍କ କୋଚଭାବେ ଏହି ହଷ୍ଟେଲରେ ରହୁଥିଲେ । ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।
ସମ୍ବନ୍ଧିତ ଖବର