ପ୍ରେମ ଘଟଣାକୁ ନେଇ ଯୁବକଙ୍କୁ ହତ୍ୟା

ଧାମନଗର : ଜଣେ ବିବାହିତ ଯୁବକ ଅନ୍ୟ ଜଣେ ଯୁବତୀର ପ୍ରେମରେ ଅନ୍ଧ ହୋଇଥିଲେ। ଶେଷରେ ନିଜେ ହତ୍ୟାର ଶୀକାର ହୋଇଛନ୍ତି। ଏହି ଘଟଣା ସମଗ୍ର ଭଦ୍ରକ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

ମୃତ ଯୁବକ ହେଲେ, ଭଦ୍ରକ ବନ୍ତ ଛକ ନିକଟସ୍ଥ ଆଚାର୍ଯ୍ୟନଗର ଅଞ୍ଚଳର କୃଷ୍ଣ ନାୟକଙ୍କ ପୁଅ ପ୍ରଦୀପ୍ତ ନାୟକ (୪୩)। ପ୍ରଦୀପ୍ତ କିଛି ବର୍ଷ ପୂର୍ବେ ଧାମନଗର ଥାନା ମହାନ୍ତିସାହି ଗ୍ରାମର ଜଣେ ଯୁବତୀକୁ ପ୍ରେମ କରି ଆସୁଥିଲେ। ଦୁଇବର୍ଷ ପୂର୍ବେ ଉଭୟ କୋର୍ଟରେ ଗୋପନରେ ବିବାହ କରିଥିଲେ ବୋଲି ପୁଲିସ ପ୍ରକାଶ କରିଛି। ହେଲେ ସମ୍ପୃକ୍ତା ଯୁବତୀ ପ୍ରଦୀପ୍ତଙ୍କ ଘରେ ନରହି ନିଜ ବାପଘ‌େର ରହୁଥିଲେ। ପ୍ରଦୀପ୍ତ ମଧ୍ୟ ବାରମ୍ବାର ଯୁବତୀଙ୍କ ଘରକୁ ଆସୁଥିଲା। କିଛି ମାସ ପରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ମନାନ୍ତର ହେବାରୁ ସେମାନଙ୍କ ମଧ୍ୟରେ ତିକ୍ତତା ବଢିଥିଲା।

ଗତକାଲି ମଧ୍ୟାହ୍ନରେ ପୁଣି ମହାନ୍ତିସାହିରେ ପ୍ରଦୀପ୍ତ ପହଞ୍ଚି ଯୁବତୀଙ୍କ ଭାଇଙ୍କୁ ଗାଳିଗୁଲଜ କରିବା ସହିତ ବାସୁଦେବଙ୍କ ନାତି ଗୌତମଙ୍କ ତଣ୍ଟିକୁ ଚିପି ଧରି ମାରି ଦେବାକୁ ଉଦ୍ୟମ କରୁଥିଲା। ଏଥିରେ ବାସୁଦେବଙ୍କ ଦୁଇପୁଅ ରାଜକିଶୋର ଓ ସୁରେନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ଏକ ଶାବଳ ଦ୍ବାରା ପ୍ରଦୀପ୍ତର ମୁଣ୍ତକୁ ଆଘାତ କରିବାରୁ ତାଙ୍କ ମୁଣ୍ତରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଧାମନଗର ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଦୀପ୍ତକୁ ଉଦ୍ଧାର କରି ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର