ପୂର୍ବ ଶତ୍ରୁତାରୁ ଯୁବକର ଉନ୍ମତ୍ତ କାଣ୍ଡ:ଆକ୍ରମଣରେ ଦମ୍ପତିି ମୃତ; ଝିଅ ଗୁରୁତର

ଅଭିଯୁକ୍ତ ଗିରଫ

ଚାନ୍ଦବାଲି : ପୂର୍ବ ଶତ୍ରୁତାରୁ ଜଣେ ଯୁବକ ପ୍ରତିଶୋଧପରାୟଣ ହୋଇ ଆଜି ଗୋଟିଏ ପରିବାରକୁ ନିପାତ କରିଦେବା ପାଇଁ ଆକ୍ରମଣ କରିବାରୁ ଦମ୍ପତିିଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମତୋ ମାଳବାଡ଼ ଗାଁରେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।
ଖବରରୁ ପ୍ରକାଶ ଯେ, ମତୋ ମାଳବାଡ଼ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ସହିତ ସେହି ଗାଁର ବୈଲୋଚନ ସେନାପତିଙ୍କ କୌଣସି କାରଣରୁ ଶତ୍ରୁତା ରହିଥିଲା। ଦୀର୍ଘ ବର୍ଷେ ହେଲା ବୈଲୋଚନ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲା। ପ୍ରତିଶୋଧ ପରାୟଣ ହୋଇ ବୈଲୋଚନ ଆଜି ସଂଧ୍ୟା ୬ଟାରେ ବାଇକ୍‌ରେ ଆସି ପ୍ରଥମେ ସୁଧାକରଙ୍କ ପତ୍ନୀ ସରସ୍ୱତୀଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସରସ୍ୱତୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପାଟି ଶୁଣି ସୁଧାକର ଘରୁ ବାହାରକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରି ଗୁରୁତର କରିଦେଇଥିଲା। ଏଥିରେ ପ୍ରତିବାଦ କରିବାରୁ ତାଙ୍କ ଝିଅ ରଞ୍ଜୁଲତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ମେଡ଼ିକାଲ ପଠାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଧାକରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଝିଅ ରଞ୍ଜୁଲତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଗ୍ରାମବାସୀ ବୈଲୋଚନକୁ କାବୁ କରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଗିରଫ କରି ଥାନାକୁ ନେଇଛି।

ସମ୍ବନ୍ଧିତ ଖବର