ବ୍ରହ୍ମପୁର: ଆନ୍ତଃରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘ, ବ୍ରହ୍ମପୁର ଓ ଭକ୍ତିବେଦାନ୍ତ କ୍ଲବ୍, ଆଇ.ଆଇ.ଟି ପାଟନା (ବିହାର)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମୌଳାଭଞ୍ଜା ଠାରେ ଭାଗବତ କଥା କାର୍ଯ୍ୟକ୍ରମ ଗତ ୨୨ ତାରିଖରୁ ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୨୮ ଡିସେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ।
କାର୍ଯ୍ୟକ୍ରମରେ ଆନ୍ତଃରାଷ୍ଟ୍ରୀୟ ପ୍ରବଚକ ଶ୍ରୀବୃନ୍ଦାବନ ଧାମ ନିବାସୀ ଶ୍ରୀପାଦ ପ୍ରବୋଧାନନ୍ଦ ସରସ୍ୱତୀ ସ୍ୱାମୀ ମହାରାଜ ଯୋଗ ଦେଇ ଭଗବାନ କୃଷ୍ଣଙ୍କ ଦିବ୍ୟ ଗୋଚାରଣ ଲୀଳା ସମ୍ପର୍କରେ ପ୍ରବଚନ ପ୍ରଦାନ କରୁଛନ୍ତି । ୭ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଆଡମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମରେ ମୌଳାଭଞ୍ଜା ଓ ନିକଟବର୍ତ୍ତୀ ଗ୍ରାମରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଭକ୍ତ ଯୋଗଦାନ କରି କଥା ଓ ଭଜନ-କୀର୍ତ୍ତନର ଭରପୁର ଲାଭ ଉଠାଉଛନ୍ତି।
ଏଥିରେ ବହୁ ସୁନାମଧନ୍ୟ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ମେଚଲେସ୍ ଗିଫ୍ଟ, ଭିଡିଓ ସୋ ଆଦି ପ୍ରଦର୍ଶନ ହେଉଅଛି।କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ନିମନ୍ତେ ରାତ୍ରି ପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲାରେ ଏହି ପ୍ରକାର ଏକ ମନୋରଞ୍ଜନଧର୍ମୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଥିବା କଥା ଏହାର ଆୟୋଜକବୃନ୍ଦ ପ୍ରକାଶ କରିଛନ୍ତି।
ଏଥିରେ ଅତିଥି ଭାବେ ପଞ୍ଚରତ୍ନ ଦାସ (ଅଧ୍ୟକ୍ଷ, ଇସ୍କନ୍ ବ୍ରହ୍ମପୁର) ତଥା ଅନ୍ୟାନ୍ୟ ବହୁ ସାଧୁସନ୍ଥ ପ୍ରତିଦିନ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମଟି ରଞ୍ଜନ କୁମାର ବେହେରା (ପ୍ରଫେସର, ଆଇ.ଆଇ.ଟି ପାଟନା), ପ୍ରମୋଦ କୁମାର ଲେଙ୍କା, କୃଷ୍ଣଚନ୍ଦ୍ର ପଣ୍ଡା, ରଘୁପତି ଦାସ (ଇସ୍କନ୍ ଜୁହୁ), କାଳୁଚରଣ ବେହେରା ଓ ମୌଳାଭଞ୍ଜା ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ପରିଚାଳିତ ହେଉଅଛି।