ବାହାନଗା ଟ୍ରେନ ଦୁର୍ଘଟଣା: ୧୫ ମିନିଟ୍‌ରେ ବଦଳିଗଲା ସଂସାର

ନିଶ୍ଚିନ୍ତକୋଇଲି:ସାଙ୍ଗକୁ ଛାଡିବାକୁ ଯାଇଥିଲେ ବାଲେଶ୍ବର। ହେଲେ ଆଉ ଘରକୁ ଫେରିଲେନି। ୨୨ ବର୍ଷୀୟ ଲକ୍ଷ୍ମୀଧର ସାହାଣୀଙ୍କ ମୃତ୍ୟୁ ଖବର ଆସିଲା। ଆଜି ଥିଲା ତାଙ୍କର ଡିପ୍ଲୋମା ପରୀକ୍ଷା। ସେଥିପାଇଁ ଶୁକ୍ରବାର ରାତିରେ କଟକ ଷ୍ଟେସନ୍‌ରେ ପହଞ୍ଚି ଘରକୁ ଯାଇଥାନ୍ତେ। ଶନିବାର ଡେରାବିଶର ଛତାରେ ଥିବା ଘରୋଇ ଡିପ୍ଲୋମା କଲେଜରେ ପରୀକ୍ଷା ଦେଇଥାନ୍ତେ। ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ଭେଣ୍ଡିଆ ରୋଜଗାରିଆ ପୁଅକୁ ବାପା-ମା’ଙ୍କ ଠାରୁ ଛଡାଇ ନେଲା ବାହାନାଗା ନିକଟରେ ଘଟିଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣା।

ନିଶ୍ଚିନ୍ତକୋଇଲି ବ୍ଲକ୍‌ ବନ୍ଧକାଟିଆ ପଂଚାୟତର କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ଓ ରଶ୍ମିତା ସାହାଣୀଙ୍କ ସାନପୁଅ ଲକ୍ଷ୍ମୀଧର। ସିଏ ଚେନ୍ନାଇରେ କାମ କରୁଥିଲେ। କିନ୍ତୁ ‌ଡିପ୍ଲୋମା ପଢୁଥିବାବେଳେ ଗୋଟିଏ ପେପର ବ୍ୟାକ୍‌ ରହିଥିଲା। ତାର ଆଜି ପରୀକ୍ଷା ଥିଲା। ସେଠାରେ ଲକ୍ଷ୍ମୀଧରଙ୍କ ସହିତ ରହୁଥିବା ବାଲେଶ୍ବରର ସାଙ୍ଗ ତାଙ୍କ ଗାଁକୁ ଆସିଥିଲେ। ଘରେ ରହିବା ପରେ ସାଙ୍ଗର ଗାଁ (ବାଲେଶ୍ବର ପାଖରେ ଥିବା ଏକ ଗାଁ)ରେ ଯାତ୍ରା ଥିବାରୁ ଦୁଇସାଙ୍ଗ ଗୁରୁବାର ଦିନ ବାଲେଶ୍ବର ଯାଇଥିଲେ। ତାଙ୍କ ସହିତ ଯାଜପୁରର ସାଙ୍ଗ ବି ଥିଲେ। ତେବେ ଯାତ୍ରା ସରିବା ପରେ ଓ ଆଜି ପରୀକ୍ଷା ଥିବାରୁ ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ରେ ଲକ୍ଷ୍ମୀଧର ଓ ଯାଜପୁରରର ସାଙ୍ଗ ଏକାଠି ଆସିଥିଲେ। ଜଣେ ଯାଜପୁରରେ ଓହ୍ଲାଇଥାନ୍ତେ ଓ ଲକ୍ଷ୍ମୀଧର କଟକ ଷ୍ଟେସନରେ ଓହ୍ଲାଇଥାନ୍ତେ। ହେଲେ ଟ୍ରେନ୍‌ରେ ବସିବାର ମାତ୍ର ୧୫ ମିନିଟ ଭିତରେ ସଂସାର ବଦଳିଗଲା।

ସମ୍ବନ୍ଧିତ ଖବର