୪୮୦ କିଲୋଗ୍ରାମ ଭାଙ୍ଗ ଜବତ

ଖୋର୍ଦ୍ଧା: ରାଜ୍ୟ ଅବକାରୀ ଫ୍ଲାଏଂ ସ୍କ୍ୱାଡ୍ ଖୋର୍ଦ୍ଧା-ଜଟଣୀ ସୀମାନ୍ତ ପିତାପଲ୍ଲୀ ନିକଟରେ ଚଢ଼ଉ କରି ଗଜପତି ଜିଲ୍ଲାରୁ ପୁରୀ ଯାଉଥିବା ଏକ ଟାଟା ମ୍ୟାଜିକ୍ ଗାଡ଼ିରୁ ୪୮୦ କିଲୋଗ୍ରାମ ଗଂଜେଇ ଭାଙ୍ଗ ଜବତ କରିଛନ୍ତି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗଜପତିରୁ ଏକ ଗାଡ଼ିରେ ବିପୁଳ ଗଂଜେଇ ଭାଙ୍ଗ ପୁରୀ ଚାଲାଣ ହେଉଥିବା ସୂଚନା ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିକଟରେ ପହଂଚିଥିଲା । ଏହାପରେ ରାଜ୍ୟ ଅବକାରୀ ଫ୍ଲାଏଁ ସ୍କ୍ୱାଡ୍ ତତ୍ପର ହୋଇଥିଲା । ଏକ ଟିମ୍ ଜଟଣୀ ଥାନା ଅଧୀନ ପିତାପଲ୍ଲୀ ଛକ ନିକଟରେ ଛକି ବସିଥିଲା ।

ଏହି ସମୟରେ ସନ୍ଦିଗ୍ଧ ଟାଟା ମ୍ୟାଜିକ୍ ଭ୍ୟାନ୍ (ଓଆର୍ ୦୭ ଟି ୮୪୬୯)ଟି ସେଠାରେ ପହଂଚିଥିଲା । ଅବକାରୀ ବିଭାଗ କର୍ମଚାରୀମାନେ ଭ୍ୟାନ୍ଟିକୁ ଅଟକାଇ ଯାଂଚ କରିଥିଲେ । ଯାଂଚରେ ୪୮୦ କିଲୋଗ୍ରାମ ଗଂଜେଇ ଭାଙ୍ଗ ମିଳିଥିଲା । ଏହି ମାମଲାରେ ଜଗପତି ଜିଲ୍ଲାର ନୀଳାଚଳ ବିଶୋୟୀ (୨୫) ଓ ପିଂଟୁ ନାୟକ (୨୪) ଓ ଗଂଜାମ ଜିଲ୍ଲା ଗୋପାଳପୁରର ସନ୍ତୋଷ ନାୟକ (୨୮) ଜଣଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର ନିରୋଧ ଆଇନରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଇନସପେକ୍ଟର ଉମାକାନ୍ତ ସ୍ୱାଇଁ, ଏଏସ୍ଆଇ ନଟବର ମଲିକ ଓ ସେକ୍ ସକିର ଉଲ୍ଲା, କର୍ଣ୍ଣ ଓରାମ, ଦଲଜିତ ଦାସ, ଗୌରାଙ୍ଗ ନାୟକ ଓ ଦେବାଶିଷ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର