ବିଜ୍ଞପ୍ତିରେ ନାହିଁ ଭଞ୍ଜନଗର ବିଇଡି କଲେଜର ନାଁ, ବିଏଡ୍‌ ପଢିବା ନେଇ ଆଶଙ୍କାରେ ଛାତ୍ରଛାତ୍ରୀ

ଅନ୍ଧାର ଆଡକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ

ଭଞ୍ଜନଗର: ଦୁଇ ବର୍ଷିୟା ବିଏଡ଼୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ମାସରୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ବେ‌ଳେ ଏଥିରେ ଭଞ୍ଜନଗର କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନାମ ନଥିବା ଜଣାପଡ଼ିଛି। ଯାହା ଫଳରେ ଚଳିତ ବର୍ଷ ବିଇଡି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ବିଏଡ଼ ପାଠ ପଢି ପାରିବେ ନା ନାହିଁ ସେନେଇ ଆଶଙ୍କାରେ  ରହିଛନ୍ତି। ଗତମାସରେ ସାରା ରାଜ୍ୟର ସରକାରୀ ‌ବିଏଡ଼ ଶିକ୍ଷାନୁଷ୍ଠାନ ଓ ସେଲ୍ଫ୍‌ ଫାଇନାନ୍ସ୍‌ ବିଏଡ଼୍‌ ଶିକ୍ଷାନୁଷ୍ଠାନ ଗୁଡିକ ନାମ ଲେଖାଇ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ରାଜ୍ୟରେ ମୋଟ ୯୫୦ ସିଟ୍‌ ପାଇଁ ବିଜ୍ଞପ୍ତି ସରକାର ବାହାର କରିଥିବା ବେଳେ ୫ଟି ସରକାରୀ ବିଏଡ଼୍‌ କଲେଜ୍‌ ପାଇଁ ୨୫୦ ଟି ସିଟ୍‌ ଏବଂ କନ୍ଧମାଳର ଏସ୍‌ସି ଏସ୍‌ଟି ବିଭାଗ ଅଧିନରେ ଥିବା ବିଏଡ଼୍ କଲେଜ ପାଇଁ ୧୦୦ ସିଟ୍‌ ରେ ନାମ ଲେଖାଇ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି ସେଲ୍ଫ ଫାଇନାନ୍ସ୍‌ ବିଏଡ଼ ପଢା ଯାଉଥିବା ୧୨ ଟି ଶିକ୍ଷାନୁଷ୍ଠାନରେ ୬୦୦ ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବ‌େଦନ କରିବା ପାଇଁ ବିଜ୍ଞପ୍ତି ବାହାରିଛି। କିନ୍ତୁ ଅତ୍ୟନ୍ତ ଉଦ୍‌ବେଗର ବିଷୟ ହେଲା ଟିଇ-ଏସ୍‌ସିଇଆର୍‌ଟି ବାହାର କରିଥିବା ବିଜ୍ଞପ୍ତିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନାମ ନାହିଁ। ଏହି କଲେଜ୍‌ରେ ୧୦୦ ସିଟ୍‌ ରହିଥିବା ବେଳେ କଳା ଓ ବିଜ୍ଞାନରେ ବିଏଡ଼ ଶିକ୍ଷା ପ୍ରଦାନ ହେଉଛି। ଏହା ସରକାରୀ ବିଇଡି କଲେଜ୍‌ ‌ହୋଇଥିବା ବେଳେ ଚଳିତ ବର୍ଷ ଏହି ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ  ବିଜ୍ଞପ୍ତି ପ୍ରକାଶ କରିନଥିବାରୁ ଆଖ ପାଖ ଅଞ୍ଚଳର ବହୁ ଆଶାୟୀ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି।

ଚଳିତ ବର୍ଷ ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର ଟିଚର ଏଜୁକେସନ୍‌(ଏନ୍‌ସିଟିଇ) ପକ୍ଷରୁ ଆବଶ୍ୟକୀୟ ଶିକ୍ଷକ ତଥା ଭିତ୍ତିଭୂମି ନଥିବା କଲେଜ୍‌ ଗୁଡ଼ିକରେ ନାମ ଲେଖା ପାଇଁ ଅନୁମତି ଦିଆଯାଇନଥିବା ଜଣାପଡିଛି। ନାମ ଲେଖା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମୀ ସାଙ୍ଗକୁ ବିଏଡ଼ କଲେଜ୍‌ ଗୁଡିରେ ଛାତ୍ରଛାତ୍ରୀମାନଙ୍କୁ ପଢାଇବା ପାଇଁ ଅଭିଜ୍ଞ ଶିକ୍ଷକମାନଙ୍କ ତଥ୍ୟ ଏନ୍‌ସିଟିଇ ସଂଗ୍ରହ କରିଥିଲା। ଯ‌େଉଁ କଲେଜ ଗୁଡିକ ଏନ୍‌ସିଟିଇର ମାନଦଣ୍ଡ ପୂରଣ କରିପାରୁନାହାନ୍ତି ସେହି କଲେଜ୍‌ ଗୁଡକରେ ନାମଲେଖା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି। ଭଞ୍ଜନଗର ବିଇଡି କଲେଜ୍‌ରେ ଜଣେ ମାତ୍ର ସରକାରୀ ନିୟମିତ ଅଧ୍ୟାପକ ରହିଥିବା ଯୋଗୁ ଏନ୍‌ସିଟିଇର ଗାଇଡଲାଇନ୍‌ ଅନୁଯାୟୀ ସରକାର ଏହି କଲେଜ୍‌ରେ  ବିଏଡ଼୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଜ୍ଞପ୍ତି ବାହାର କରିନଥିବା ଅନୁମାନ କରାଯାଉଛି। ତେବେ ସରକାରଙ୍କ ଏହି ମହାବିଦ୍ୟାଳୟ ପ୍ରତି ଚରମ ‌ଅବହେଳା ପାଇଁ ୧୦୦ ଜଣ ଛାତ୍ରଛାତ୍ରୀ ଏହି କେଲେଜ୍‌ରେ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି।

ଶିକ୍ଷକ ଶିକ୍ଷା ପାଇଁ ଭଞ୍ଜନଗରରେ ୧୯୮୧ ମସିହାରୁ ଏହି ବିଇଡି କଲେଜ ସ୍ଥାପିତ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମିର ଉନ୍ନତି ଓ ଅଧ୍ୟାପକ ପଦବୀ ପୂରଣ କରିବା ଦିଗରେ ସରକାର କେବେ ପଦକ୍ଷେପ ନେଇ ନାହାନ୍ତି। ଯୋଗ୍ୟତା ବା ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଅଭାବ ସବୁବେଳେ ଏହି ଅନୁଷ୍ଠାନରେ ଲାଗିରହିଥିବା ବେଳେ ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆଯାଇ ପାରିନି।ଏହି ଅନୁଷ୍ଠାନରୁ ଭଞ୍ଜନଗର ତଥା ଆଖପାଖ ଅଞ୍ଚଳ ହଜାର ହଜାର ପିଲା ପାଠ ପଢି ବର୍ତ୍ତମାନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ଚଳିତ ବର୍ଷ ନାମ ଲେଖାରୁ ଏହି କଲେଜ୍‌ ବାଦ୍ ପଡିଥିବାରୁ ଏହାର ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଥିବା ‌ସ୍ପଷ୍ଟ ଅନୁମେୟ।

ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି କଲେଜର ଜଣେ ମାତ୍ର ନିୟମିତ କର୍ମଚାରୀ ହୋଇଥିବା ବେଳେ ବାକି ସବୁ ଅଧ୍ୟାପକ ପଦବୀ ଖାଲି ରହିଥିବା ଜଣାପଡିଛି। ଏଠାରେ ଗୋଟିଏ ଅଧ୍ୟାପନା କାଳର ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଜଣେ ଅଧ୍ୟକ୍ଷ ୪ ଜଣ ରିଡ଼ର ଏବଂ ୧୩ ଜଣ ଅଧ୍ୟାପକଙ୍କ ଆବଶ୍ୟକତା ରହିଥିବା ‌ବେଳେ ଏଠାରେ ଅଧ୍ୟକ୍ଷଙ୍କୁ ଛାଡ‌ିଦେଲେ ବାକି ସବୁ ପଦବୀ ଖାଲି ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଠିକାରେ ଜଣେ ଅଧ୍ୟାପକ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟ ସରକାର ୫ଜଣ ଅତିଥି ଅଧ୍ୟାପକଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି। ଏଭଳି ସ୍ଥିତିରେ ବିଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ ଏବଂ ଛାତ୍ର ଛାତ୍ରୀ ନାମ ‌ନଲେଖାଇଲେ ଏହି ମହାବିଦ୍ୟାଳୟର ଭବିଷ୍ୟତ କେଉଁ ଦିଗକୁ ଯିବ ତାହା ବର୍ତ୍ତମାନ ସ୍ଥିତିରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର