ଭଞ୍ଜନଗର: ‘ବର୍ଷକ ପରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନିଶ୍ଚିତ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ରାଜ୍ୟର ଅନ୍ୟାନ୍ୟ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ସ୍ବର ଶାଣିତ ହୋଇଛି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଘୋଷଣା ଚର୍ଚ୍ଚାର ପରିସରକୁ ଆସିଛି। ସାଧାରଣ ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀ ୩୦ ବର୍ଷ ପୁରୁଣା ଏହି ଦାବି ଉପରେ ନିଶ୍ଚିତ ଭାବେ ବିଚାର କରିବେ ବୋଲି ଆଶା ଉଜ୍ଜୀବିତ ହୋଇଛି। କାରଣ ଭଞ୍ଜନଗର ଓକିଲ ସଂଘ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମଞ୍ଚ, ଲେଖିକା ସଂସଦ, ସାମ୍ବାଦିକ ସଂଘ ଓ ବିଭିନ୍ନ ସଙ୍ଗଠନ ଦୀର୍ଘବର୍ଷର ଦାବିକୁ ନେଇ ସ୍ବରୋତ୍ତଳନ କରିଛନ୍ତି। ବିଭିନ୍ନ ସ୍ଥାନରେ ଘନ ଘନ ବୈଠକ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରେରଣ କରାଯାଇଛି। ସେହିପରି ଏହି ଦାବି ଉପରେ ଚଳିତ ବିଧାନସଭା ଅଧିବେଶନ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ।

Advertisment

publive-image

ତେବ‌େ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଏଥିରୁ ବାଦ୍‌ ପଡ଼ିଥିଲା। ଏବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଂକେତ ପରେ ଏଠାରେ ଆନ୍ଦୋଳନ ତୀବ୍ରତର ହୋଇପାରେ ବୋଲି ଆଲୋଚନା ହେଉଛି। ମାଡ୍ରାସ୍ ପ୍ରେସିଡେନ୍‌ସି ଅଧୀନରେ ଥିବା ବେଳେ ଗଞ୍ଜାମ ଜିଲ୍ଲାର ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକାର ସ୍ବତନ୍ତ୍ର ପରିଚୟ ରହିଥିଲା। ସଂପ୍ରତି ଜିଲ୍ଲାରେ ଭଞ୍ଜନଗର ସମେତ ଛତ୍ରପୁର ଓ ବ୍ରହ୍ମପୁର ତିନୋଟି ସଦରମହକୁମା ରହିଛି। ସେଥରୁ ଭଞ୍ଜନଗର (ଘୁମୁସର) ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ଼, ଧରାକୋଟ, ଆସିକା ଓ ବୁଗୁଡ଼ା ବ୍ଲକ୍ ରହିଛି। ତେଣୁ ଉପଖଣ୍ଡ ଆଖପାଖର ଆଉ ଦୁଇଟି ବ୍ଲକ୍‌କୁ ନେଇ ଘୁମୁସର ଜିଲ୍ଲା ଗଠନ କରିବାକୁ ଦୀର୍ଘ ୩୦ ବର୍ଷ ହେବ ଦାବି ହୋଇଆସୁଛି।

ଏଥିପାଇଁ ୧୯୯୨ ମସିହାରେ ଘୁମୁସର ଯୁବ କଲ୍ୟାଣ ସମିତି ଗଠନ ହେବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ଗଠନ ନେଇ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା। ଏହାପରେ ଜିଲ୍ଲାପାଳ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କୁ ଅବଗତ କରାଇବା ସହ ରାଜସ୍ବ ସଚିବଙ୍କୁ ଚିଠି ଲେଖିଥିଲେ। ଫଳରେ ରାଜସ୍ବ ବିଭାଗ ଏହାକୁ ବିଚାରକୁ ନେବା ସହ ଏହି ପ୍ରସ୍ତାବର ଯାଞ୍ଚ ଓ ଅନୁଧ୍ୟାନ କରି ‌ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଜିଲ୍ଲା ଗଠନ ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି, ଜନସଂଖ୍ୟା, ସରକାରୀ ମାପଦଣ୍ଡ, ବ୍ଲକ, ପଞ୍ଚାୟତ, ତହସିଲ ଓ ରାଜସ୍ବ ଗ୍ରାମ ଆଦି ବିବରଣୀ ସହ ଭୌଗୋଳିକ ସ୍ଥିତି ଉପରେ ତଥ୍ୟ ସଂଗ୍ରହ କରାଯିବା ପରେ ଜିଲ୍ଲା ଗଠନ‌ ନେଇ ଆଲୋଚନା ହେବ ବୋଲି ସେତେବେଳେ ଜିଲ୍ଲାପାଳ କହିଥିଲେ।
ହେଲେ ତାହା ସେମିତି କାଗଜକଲମରେ ଅଟକି ଯାଇଥିଲା।

publive-image

ଅନ୍ୟପଟେ ଘୁମୁସର ଜିଲ୍ଲା ଦାବି ନେଇ ଓକିଲ ସଂଘ ପକ୍ଷରୁ ବାରମ୍ବାର ‌ବୈଠକ ଆୟୋଜିତ ହେଉଥିବା ବେଳ‌େ ଲେଖିକା ସଂସଦ ପକ୍ଷରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭଞ୍ଜନଗର ଠାରେ ଜିଲ୍ଲା ମୁଖ୍ୟାଳୟ କରିବା ସହ ଉପଖଣ୍ଡର ବିଭିନ୍ନ ଅଞ୍ଚଳକୁ ଯାଇ ଜନସାଧାରଣଙ୍କୁ ‌ସଚେତନ କରାଯିବ। ଏହାସହ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ଯୋଜନା ଚାଲିଥିବା ସଭାପତି ସ‌ୋମନାଥ ନାୟକ ପ୍ରକାଶ କରିଛନ୍ତି।