ଭଞ୍ଜନଗର: ଡ଼ାକ୍ତର ଅଭାବ ଜନିତ ସମସ୍ୟାରେ ସନ୍ତୁଳି ହେଉଥିବା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ପୁଣି ଡାକ୍ତର ସମସ୍ୟା ମୁଣ୍ଡ ଟେକିଛି। ଦୀର୍ଘ ଦିନର ଦାବି ଓ ଆନ୍ଦୋଳନ ପରେ ନିକଟରେ ଯୋଗ ଦେଇଥିବା ତିନିଜଣ ଡାକ୍ତର ବିଭିନ୍ନ କାରଣରୁ ପୁଣି ରିଲିଭ୍ କରି ଦିଆଯିବାରୁ ପୁଣି ଥରେ ରୋଗୀ ସେବା ପ୍ରଭାବିତ ହୋଇଥିବା ଜଣାପଡିଛି। କିନ୍ତୁ ସେମାନଙ୍କ ସ୍ଥାନରେ ନୂଆ ଡାକ୍ତର ନିଯୁକ୍ତି ମିଳିନି। ଭଞ୍ଜନଗର ଉପଖଣ୍ଡ ସମେତ କନ୍ଧମାଳ ଓ ନୟାଗଡ ଜିଲ୍ଲା ସୀମାନ୍ତ ଲୋକମାନେ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ। କେବଳ ବଡବଡ କୋଠା ରହିଥିବା ବେଳେ ରୋଗୀ ସେବା ଦୁର୍ବଳ ହେବାରେ ଲାଗିଛି। ଏଠାରେ ୨୪ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୪ ଜଣ। ସେଥିରୁ ୧୪ ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ରହିଛନ୍ତି ୯ ଜଣ ବିଶେଷଜ୍ଞ ଡାକ୍ତର। ଡାକ୍ତର ପଦବୀ ଖାଲି ପଡିଥିବାବେଳେ ସେଥିମଧ୍ୟରୁ ସର୍ଜରୀ, ନିଶ୍ଚେତକ, ଚକ୍ଷୁ ଭଳି ଗୁରୁତ୍ବପୂର୍ଣ ବିଭାଗରେ କେହି ବିଶେଷଜ୍ଞ ନାହାନ୍ତି। ଡାକ୍ତରଙ୍କ ଅଭାବ ସହିତ ସହଯୋଗୀ ପଦବୀଗୁଡିକର ଅବସ୍ଥା ମଧ୍ୟ ଅନୂରୁପ ରହିଛି।

Advertisment

ଦୀର୍ଘ ବର୍ଷ ଧରି ଏମବିବିଏସ ସର୍ଜନ ନଥିବାବେଳେ ଗତ ଅଗଷ୍ଟ ମାସରେ ସାମ୍ବାଦିକ ସଂଘ ସମେତ ଅନେକ ସଙ୍ଗଠନ ଡାକ୍ତରଖାନାରେ ଲାଗି ରହିଥିବା ସମସ୍ୟା ସଂର୍ପକରେ ଦାବି ଉପସ୍ଥାପନ କରିଥିଲେ। ଏହାପରେ ଏଠାରେ ୩ ଜଣ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। କିଛି ମାସ କାମ କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ପିଜି କରିବାକୁ ଛତିଶଗଡ ଚାଲିଯାଇଥିବାବେଳେ ଅନ୍ୟଜଣେ ବ୍ରହ୍ମପୁର ଏମକେସିଜି କଲେଜକୁ ପିଜି କରିବାକୁ ଚାଲିଗଲେ। ଅନ୍ୟଜଣେ ଡାକ୍ତରଙ୍କୁ ଜେଲରେ ନିଯୁକ୍ତି ଦିଆଯାଇଛି। ଯାହା ଫଳରେ ଏଠାରେ ଥିବା ବିଶେଷଜ୍ଞ ଡାକ୍ତରମାନେ ପୂର୍ବ ପରି ଆଉଟଡୋର ଓ ଇନଡୋର ରୋଗୀ ସେବା କରୁଛନ୍ତି। ଏଥିସହ ଗତ ସପ୍ତହରେ ଉଦଘାଟିତ ହୋଇଥିବା ସହରାଞ୍ଚଳ ସ୍ବାସ୍ଥକେନ୍ଦ୍ର ପାଇଁ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତ ହୋଇନଥିବାରୁ ସେଠାକୁ ମଧ୍ୟ ପ୍ରତିଦିନ ଆଉଟଡୋର କରିବାକୁ ଜଣେ ଡାକ୍ତର ନିୟୋଜିତ କରାଯାଉଛି।

ଜିଲ୍ଲାର ପ୍ରମୁଖ ସଦର ମହକୁମା ଭାବେ ପରିଚିତ ଭଞ୍ଜନଗର ଉପଖଣ୍ତ ଡାକ୍ତରଖାନାର ଏ ହେଉଛି ବାସ୍ତବ ଚିତ୍ର। ଉପଖଣ୍ଡ ଅଧୀନରେ ଥିବା ତାରସିଂ,ଗାଲେରୀ ବେଲଗୁଣ୍ଠା,ଗୋବରା, ଜଗନ୍ନାଥପ୍ରସାଦରେ ରହିଥିବା ଡାକ୍ତରଖାନାଗୁଡିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଉକ୍ତ ଅଞ୍ଚଳ ଗୁଡିକର ଜନସାଧାରଣ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ଭରସା କରି ଆସୁଥିବା ବେଳେ ଏହି ଡାକ୍ତରଖାନା ଅବସ୍ଥା ଜଟିଳ। ବିଶେଷ କରି ଆଶୁ ଚିକିତ୍ସା ସେବା କ୍ଷେତ୍ରରେ ସର୍ଜରୀ ଡାକ୍ତରଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ସମୟ ଏହି ବିଭାଗରେ ଜଣେ ମଧ୍ୟ ଡାକ୍ତର ନାହାନ୍ତି ଯାହା ଫଳରେ ଏହି ସର୍ଜରୀ ବିଭାଗ ଏକ ପ୍ରକାର ସୁପ୍ତ ପାଲଟି ଯାଇଛି। କାଜୁଆଲଟିରେ ସେମାନଙ୍କ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରିଦିଆଯାଉଛି। ଜଣେ ଅସ୍ଥିଶଲ୍ୟ ଡାକ୍ତର କିଛି ଦିନ ତଳେ ନିଯୁକ୍ତି ପାଇଥିବା ବେଳେ ସେ ଉକ୍ତ ବିଭାଗ ଦାୟିତ୍ବରେ ରହିଥିବା ଜଣାପଡିଛି। ଏଥିପାଇଁ ସରକାର ଡାକ୍ତର ନିଯୁକ୍ତି କରୁଛନ୍ତି ନା କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏଠାରେ ସୁପରିଟେଣ୍ଡ୍ଙ୍କୁ ମିଶାଇ ୪ ଜଣ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ରହିଥିବା ବେଳେ ଜଣେ ନିଶ୍ଚେତକ ଡାକ୍ତର ଛତ୍ରପୁରରେ ତିନି ଦିନ ଏବଂ ଏଠାରେ ତିନିଦିନ ଡ୍ୟୁଟି କରୁଛନ୍ତି। ଜିଲ୍ଲା ଚିକିତ୍ସାଳୟ ବହୁ ଦୂରରେ ଥିବାରୁ ହଜାର ହଜାର ରୋଗୀ ବାଧ୍ୟ ହୋଇ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି।