ଭଞ୍ଜନଗରରେ ଫସିଛନ୍ତି ଛତିଶଗଡର ୧୮ ଜଣ ଶ୍ରମିକ, ଗାଡି କରି ପଠାଇବେ ଉପଜିଲ୍ଲାପାଳ

ଭଞ୍ଜନଗର: କରୋନା ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିସାରିଥିବା ବେଳେ ଘର ଠାରୁ ଦୂରରେ ରହି ନିଜର ପରିବାର ପ୍ରତିପୋଷଣ କରିବା ଆସିଥିବା ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ବହୁ ଗୁଣିତ ହୋଇଯାଇଛି। ପେଟକୁ ଦାନା ଯୋଗାଡ କରିବା ପାଇଁ ନିଜ ଭିଟାମାଟିକୁ ଛାଡି ବାହାରକୁ ଯାଇଥିବା ଶ୍ରମିକ ମାନେ ଏକ ପ୍ରକାର ଦୁର୍ଦିନରେ ଦିନ କାଟୁଛନ୍ତି। ନିଜ ଘରକୁ ଫେରିପାରୁଛନ୍ତି ନା ରହିବା ଯାଗାରେ ଖାଇବା ଯୋଗାଡ କରିପାରୁଛନ୍ତି।

ଗୋଟିଏ ପଟେ ବାହାର ରାଜ୍ୟରେ ରହି କାମ କରୁଥିବା ଓଡିଆ ଲୋକ ମାନଙ୍କୁ ସରକାର ଆଣୁଥିବା ବେଳେ ବାହାର ରାଜ୍ୟରେ ଶ୍ରମିକମାନଙ୍କ ସେମାନଙ୍କ ଭିଟାମାଟିକୁ ଛାଡିବା ପ୍ରଶାସନ ପାଇଁ ବଡ ଚ୍ୟଲେଞ୍ଜ ସୃଷ୍ଟି ହୋଇଛି। ସୁଦୂର ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲାର ୧୮ ଜଣ ଶ୍ରମିକ ଭଞ୍ଜନଗର ଉପଖଣ୍ଡ ‌ବେଲଗୁଣ୍ଠା ବ୍ଳକ୍ ପାଇଲିପଡା ଠାରେ ଗୋଟିଏ ଇଟାଭାଟିରେ କାମ କରୁଥିଲେ। ବର୍ତ୍ତମାନ ଲକ୍‌ ଡାଉନ ପାଇଁ କାମ ବନ୍ଦ ରହିଥିବାରୁ ସଂପୃକ୍ତ ଶ୍ରମିକ ମାନେ ଚଳିବାରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ମାଲିକଙ୍କ ଠାରୁ ସହାୟତା ନମିଳିବା ଯୋଗୁ ଭୋକ ଉପାସରେ ରହିବା ଅପେକ୍ଷା ସେମାନେ ଘରକୁ ଯିବା ପାଇଁ ନିଷ୍ପତି ନେଇଥିଲେ।‌ ସେମାନ‌େ ଚାଲିଚାଲି ଯିବା ପାଇଁ ବାହାରିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାଇଲିପଡା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରଖାଯାଇଥିଲା। ଏଥିସହ ଏକ ସ୍ବତନ୍ତ୍ର ଗାଡିରେ ତାଙ୍କ ଘରକୁ ପଠାଯିବାର ବ୍ୟବସ୍ଥା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ କରିଥିବା ଜଣାପଡିଛି।

ସେହିପରି ଜଗନ୍ନାଥପ୍ରସାଦ ଅଞ୍ଚଳରେ ମଧ୍ୟ ଏକ ଇଟାଭାଟିରେ କାମ କରୁଥିବା ୪ ପରିବାରର୧୬ ଜଣ ଶ୍ରମିକ ଚାଲିଚାଲି ନିଜ ଘର ନୂଆପଡା ଜିଲ୍ଲା ଲଖନା ଗ୍ରାମକୁ ଯାଉଥିଲେ। ଏହି ଖବର ପାଇ ତହସିଲଦାର ଆଲୋକ ପ୍ରଧାନ ସେମାନଙ୍କୁ ଉଦ୍ଧାର କରି ଖାଇବା ବ୍ୟବସ୍ଥା କରିବା ସହ ଯିବା ପାଇଁ ଗାଡିର ବନ୍ଦୋବସ୍ତ କରିଥିବା ଜଣାପଡିଛି। ଏହାସହ ଉପଜିଲ୍ଲାପାଳ ବିଭିନ୍ନ କ୍ବାରେନ୍‌ଟାଇନ୍‌ ସେଣ୍ଟର ବୁଲିବା ସହ ଦୂରତ୍ବ ପାଳନ କରିବା ସଂର୍ପକରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପରାମର୍ଶ ଦେବାସହ ଭଞ୍ଜନଗର ଠାରେ ଆରମ୍ଭ ହୋଇଥିବା ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଏବଂ ଓଏସ୍‌ଆର୍‌ଟି କାର୍ଯ୍ୟଳୟ ବୁଲି କରୋନା ମୁକାବିଲା ପାଇଁ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର