ଭଞ୍ଜନଗର: ଦୀର୍ଘ ୨୧ ଦିନ ଧରି ଚାଲିଥିବା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ଆଜି ବିଳମ୍ବିତ ରାତିରେ ଉଦ୍‌ଯାପିତ ହୋଇଯାଇଛି। ଭାବବିହ୍ବଳ ପରିବେଶରେ ଦୁଇ ଦେବୀ ମା’ ଠାକୁରାଣୀ ଓ ମା’ ବ୍ୟାଘ୍ରଦେବୀଙ୍କ ଭେଟ ନୀତି ସଂପନ୍ନ ହୋଇଥିଲା। ଏହାପରେ ଦୁଇ ଦେବୀ ଭକ୍ତଙ୍କ ଗହଣରୁ ବିଦାୟ ନେଇଥିଲେ। ପୁଣିଥରେ ୩ ବର୍ଷକୁ ଅପେକ୍ଷା। ପରମ୍ପରା ଅନୁଯାୟୀ, ଆଜି ଦିନତମାମ ମୁଖ୍ୟସଡ଼କ ଓ ପୁରୁଣା ବଜାର ସାହିରେ ଭାରତଲୀଳା, ରାଧାପ୍ରେମ ଲୀଳା ସହ ହିରଣ୍ୟକ ବଧ ଭଳି ନାଟକ ପରିବେଷିତ ହୋଇଥିଲା।

Advertisment

ଶତାଧିକ ଦର୍ଶକଙ୍କ ଭିଡ଼ ଜମିଥିଲା। ରାତିରେ ସମସ୍ତ ନାଟକ ଶେଷ ହେବା ପରେ ଏକ ଅଶ୍ରୁଳ ପରିବେଶ ମଧ୍ୟରେ ଉଭୟ ଦେବୀଙ୍କୁ ଅସ୍ଥାୟୀମଣ୍ଡପରୁ ଅଣାଯାଇଥିଲା। ପ୍ରତିଦିନ ଭଳି ମା’ ପଟୁଆରରେ ବାହାରି ମୁଖ୍ୟସଡ଼କର ଭଞ୍ଜ ପରିଷଦ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ମସଜିଦ୍ ଛକ ନାରାୟଣ ମନ୍ଦିର ସାହି ଦେଇ ଠାକୁରାଣୀଙ୍କ ବାପଘର ଦେଶୀ ବେହେରାଙ୍କ ଠାରେ ପୂଜା ଗ୍ରହଣ କରିଥିଲେ। ଏହାପରେ ସେଠାରୁ ପୁରୁଣାବଜାର ସାହି ଦେଇ ମୁଖ୍ୟ ସଡ଼କକୁ ଆସି ସେଠାରୁ ଖାଲାସି ସାହି ଦେଇ ଷ୍ଟେଟ୍ ବ୍ୟାଙ୍କ୍ ଛକ ଠାରୁ କୋର୍ଟ ରୋଡ଼୍ ଅତିକ୍ରମ କରି ମହାବୀର ଛକ ଏବଂ ସେଠାରୁ ବଳଭଦ୍ର ଆରୁଖ କୃଷକ ବଜାର ଠାରୁ ବନ ବିଭାଗ ଡାକବଙ୍ଗଳା ସାମ୍ନାରେ ଥିବା ଭେଟ ସ୍ଥଳରେ ପହଞ୍ଚିଥିଲେ।

publive-image

ଯେଉଁଠି ମା’ ବ୍ୟାଘ୍ରଦେବୀ ଓ ଠାକୁରାଣୀଙ୍କ ଭେଟ ନୀତି ଅନୁଷ୍ଠିତ ହେବା ସହ ଯାତ୍ରା ସମାପନ ହୋଇଥିଲା। ଉଭୟ ଦେବୀଙ୍କ ଭେଟ ହେବା ସହ ସେଠାରେ ପୂଜାର୍ଚ୍ଚନା ପରେ ଫଗୁ ଖେଳ ହୋଇଥିଲା।
ଅନ୍ୟପକ୍ଷରେ ଗତକାଲି ବିଳମ୍ବିତ ରାତି ଯାଏ ବ୍ୟାଘ୍ରଦେବୀଙ୍କ ସିଂହବାହିନୀରେ ନଗର ଭ୍ରମଣ ଚାଲିଥିବା ବେଳେ ତହସିଲ ଛକ ଠାରେ ଉତ୍ତରା ଆଳତି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଅର୍ଥମନ୍ତ୍ରୀ ଦାୟିତ୍ବ ନେବା ପରେ ପ୍ରଥମ ଥର ନିଜ

ନିର୍ବାଚନମଣ୍ଡଳୀ ଗସ୍ତ କରିବା ପୂର୍ବରୁ ଶ୍ରୀ ଆରୁଖ ସକାଳେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ରାତିରେ ସିଂହ ଉପରେ ବସି ବ୍ୟାଘ୍ରଦେବୀ ଦୁଆରି ନାଟ ଦେଖିଥିଲେ।