୫ ଦଫା ଦାବି ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଓ ଧାରଣା

ବାରିପଦା: ଜିଲ୍ଲାରେ ଚାଲିଥିବା ବ୍ୟାପକ ଲଘୁ ଖଣିଜ ଚୋରିକୁ ନେଇ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବଡ଼ସାହି ବ୍ଲକ ଅଧୀନ ଆରପଟା ବାଲିଘାଟ ସହିତ ଜିଲ୍ଲାର ବିଭିନ୍ନ ବାଲିଘାଟ, ପଥର ଖାଦାନ ଓ କ୍ରସର ୟୁନିଟଗୁଡ଼ିକରେ ସରକାରୀଙ୍କ ପକ୍ଷରୁ ଧାର୍ଯ୍ୟ ଲିଜଠାରୁ ଅଧିକ ପରିମାଣରେ ଲଘୁ ଖଣିଜ ସମ୍ପଦର ଉତ୍ତୋଳନ ଓ କାରବାର ପ୍ରତି ଜିଲ୍ଲା ପ୍ରଶାସନ ଆଖି ବନ୍ଦ କରିଦେବା, ଟ୍ରାକ୍ଟର ଓ ଟ୍ରକ ମାଲିକମାନଙ୍କ ନିକଟରୁ ମାତ୍ରାଧିକ ଜୋରିମାନା ଆଦାୟ କରାଯାଇ ରାଜସ୍ୱ ଟାର୍ଗେଟକୁ ପୂରଣ କରାଇବା ଏବଂ ବାଲି, ପଥର ମାଫିଆମାନଙ୍କ ସହିତ ଜିଲ୍ଲାପ୍ରଶାସନ ହାତ ମିଳାଇ ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରାଇବା ଏବଂ ଜିଲ୍ଲାରେ ଲିଜରେ ଦିଆଯାଇଥିବା ବାଲି ଓ ପଥର ଖାଦାନଗୁଡ଼ିକୁ ଯାଞ୍ଚ କରାଯାଇ ଲିଜଧାରୀମାନେ ଲିଜ ନିୟମକୁ ଉଲ୍ଲଙ୍ଘନ କରିଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଦି ୫ ଦଫା ଦାବୀ ନେଇ ଆଜି ଭଞ୍ଜସେନା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଆଗାମୀ ୧୫ ଦିନ ମଧ୍ୟରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାରେ ଟ୍ରାକ୍ଟର ଓ ଟ୍ରକ୍‌ ଆସୋସିଏସନ୍‌ ଗଠନ କରାଯାଇ ପ୍ରଶାସନିକ ଅଧିକାରୀଙ୍କୁ ରାଜରାସ୍ତାରେ ବିରୋଧ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏଡିଏମ୍‌ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।  ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା, ଆଦିବାସୀ ସେଲ ସଭାପତି ବାଜୁନ ହାଁସଦାଃ, ଉପସଭାପତି ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସାଧାରଣ ସମ୍ପାଦକ ଏସକେ ରାଜା ଖାନ, ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ଜିତୁ ଶିବାନନ୍ଦ, ଦୀପକ ସୋ, ବିଜୁ ସିଂ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର