ରାଇରଙ୍ଗପୁର: ଆଇଟିଡିଏ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ସ୍ବର ଉତ୍ତୋଳନ କରିଛି ଭଞ୍ଜସେନା। ତା’ ସହିତ ଆଜି ସକାଳ ୯ ଘଟିକା ସମୟରୁ ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟରେ ଅଣରାଜନୈତିକ ସଂଗଠନ ଭଞ୍ଜସେନାର ସଦସ୍ୟମାନଙ୍କ ଦ୍ଵାରା ଘେରାଉ କରାଯାଇଛି। ଆଦିବାସୀଙ୍କ ବିକାଶ ପରିବର୍ତ୍ତେ ବିନାଶ କରୁଥିବା ଏବଂ କେବଳ ଠିକାଦାର କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ବିରୁଦ୍ଧରେ ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସୂଚନାଯୋଗ୍ୟ ଯେ, ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ଗଠନ କରାଯାଇଛି। ଅନୁସୂଚିତ ଜନଜାତିଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି, କିନ୍ତୁ ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ବିତି ଯାଇଥିଲେ ମଧ୍ୟ ସମଗ୍ର ଆଦିବାସୀ ସମାଜ ବହୁ ପଛରେ ରହି ଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ଏବେ ବି ପାଖାପାଖି ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଛନ୍ତି। ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସୂଚିତ ଜାନଜାତି ସମ୍ପ୍ରଦାୟ ଅବହେଳିତ ଅବସ୍ଥାରେ ରହିଛନ୍ତି। ଏପରିକି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ରହୁଛନ୍ତି। ଅନ୍ୟପକ୍ଷରେ ଅନୁସୂଚିତ ଜନଜାତିକୁ ବିକାଶର ଧାରାରେ ସାମିଲ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଆଇଟିଡିଏର ସଫଳତା କେବଳ କାଗଜପତ୍ରରେ ଦର୍ଶାଯାଇଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା ବୋଲି ଅଭିଯୋଗ କରିଛି ଭଞ୍ଜସେନା। ରାଇରଙ୍ଗପୁର ଆଇଟିଡିଏର ସଫଳତା କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ଆଦିବାସୀଙ୍କ ବିକାଶ କେବଳ ଏକ ପ୍ରାଚୀର ପତ୍ରରେ ସୀମିତ ହୋଇ ରହିଥିବା ସାଧାରଣରେ ଆଲୋଚନା ହେଉଛି।
ବିଭାଗ କେବଳ ନିର୍ମାଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଗୋଟିଏ ପ୍ରକଳ୍ପକୁ ପ୍ରତିବର୍ଷ ସମ୍ପ୍ରସାରଣ ଏବଂ ନିର୍ମାଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ବିଲ ପୈଠ କରୁଥିବାର ଅଭିଯୋଗ ହୋଇଛି। କେବଳ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ଠିକାଦାରଙ୍କ ପ୍ରୀତିକୁ ସ୍ପଷ୍ଟ କରା ଯାଉଥିବା ଅଭିଯୋଗ କରିଛି ଭଞ୍ଜସେନା। ତେବେ ଆଗାମୀ ସାତ ଦିନ ମଧ୍ୟରେ ଅନ୍ୟାବଶ୍ୟକ କାର୍ଯ୍ୟଗୁଡିକରେ ରୋକ ଲଗାଇ ଓ ଠିକାଦାରଙ୍କୁ ସୁହାଇଲା ଭଳିଆ କାର୍ଯ୍ୟ ବନ୍ଦ କରି ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ଆଇଟିଡିଏ, ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ସରକାରୀ ଯୋଜନା ଗୁଡିକୁ ସଠିକ ଭାବେ କାର୍ଯ୍ୟକାରୀ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛି ଭଞ୍ଜସେନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/26b1138b6da14331938c2611bf0f06d0.jpg)