ଶିମିଳିପାଳର ସୁରକ୍ଷା ନେଇ ରାଇରଙ୍ଗପୁର ପହଞ୍ଚିଲେ ଭଞ୍ଜସେନାର ପଦଯାତ୍ରୀ ଦଳ

ରାଇରଙ୍ଗପୁର: ଶିମିଳିପାଳ ପର୍ବତ, ଜୀବଜନ୍ତୁ, ବୃକ୍ଷଲତାର ସୁରକ୍ଷା ନେଇ ଅଣ୍ଟା ଭିଡିଛି ଭଞ୍ଜସେନା। ଏଥିପାଇଁ ଠାକୁରମୁଣ୍ଡାରୁ ପଦଯାତ୍ରା ଆରମ୍ଭ କରି ଆଜି ପଞ୍ଚମ ଦିନରେ ରାଇରଙ୍ଗପୁରରେ ପହଞ୍ଚିଛି। ସେମାନଙ୍କର କହିବାନୁଯାୟୀ, ଶିମିଳିପାଳରେ ଦିନକୁ ଦିନ ଅବାଧ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବା ବେଳେ ଶିକାରୀମାନେ ବେଆଇନ ବନ୍ଧୁକ ଧରି ଗୋଟେ ପରେ ଗୋଟେ ଅପରାଧ ଘଟାଇ ଚାଲିଛନ୍ତି। ଏପରିକି କିଛିଦିନ ପୂର୍ବେ ଶିକାରୀଙ୍କ ଗୁଳିମାଡରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ତରଫରୁ ଜଣେ ଜଙ୍ଗଲ ମଧ୍ୟରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ଏବେ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ଶିମିଳିପାଳ ଜୈବ ମଣ୍ଡଳକୁ ରକ୍ଷା କରାଯାଇ ପାରିବ ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲା ସାରା ସଚେତନତା ପଦଯାତ୍ରା କରୁଛି। ପଦଯାତ୍ରୀ ଦଳ ମା କିଚେକଶ୍ୱରୀ ପୀଠ ଖିଞ୍ଚି, ଶୁକ୍ରୁଳି, ରରୁଆଁ, ଯଶୀପୁର ଦେଇ ରାଇରଙ୍ଗପୁରରେ ପହଞ୍ଚି ଥିଲା। ରାଇରଙ୍ଗପୁର ମହୁଲଡିହା ଠାରୁ ପଦଯାତ୍ରା ଆରମ୍ଭ କରି ପଣ୍ଡିତ ରଘୁନାଥ ମୁର୍ମୁ ଛକ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବିଜୁ ପଟ୍ଟନାୟକ ଛକଦେଇ ବିଜାତଳା ଅଭୁମୁଖେ ପଦଯାତ୍ରା ଯାଇଥିଲା। ପଦଯାତ୍ରୀଙ୍କୁ ବିଭିନ୍ନ ଵର୍ଗର ଲୋକେ ସ୍ୱାଗତ କରିବା ସହିତ ଉତ୍ସାହିତ କରିଥିଲେ।

Sambad

ଶିମିଳିପାଳ ଚତୁଃପାର୍ଶ୍ଵରେ ସିଆରପିଏଫ ପ୍ଳାଟୁନ ନିୟୋଜିତ କରାଯାଇ ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ବଳୟକୁ ସୁଦୃଢ କରାଯିବା ସହ ଶିମିଳିପାଳ ପାଖକୁ ଲାଗିଥିବା ଗ୍ରାମର ଅସାମାଜିକ ଲୋକଙ୍କ ପ୍ରତି ନଜର ରଖିବା ସହ ବେଆଇନ ବନ୍ଧୁକ ରଖିଥିବା ଲୋକଙ୍କଠାରୁ ବନ୍ଧୁକ ଜବତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି। ଡିଏଫଓ ଅଫିସକୁ ସହରରୁ ସ୍ଥାନାନ୍ତର କରାଯାଇ ଅଭୟାରଣ୍ୟ ଏବଂ ଅଭୟାରଣ୍ୟ ସନ୍ନିକଟରେ କାର୍ଯ୍ୟକାରୀ ହେଲା ଶିକାରୀଙ୍କ ଅବାଧ ପ୍ରବେଶ ଉପରେ କଟକଣା ରହିବ। ଜଙ୍ଗଲ ଭିତରକୁ ଜୀବିକା ପାଇଁ ନିର୍ଭର କରୁଥିବା ଓ ଜଙ୍ଗଲ ଭିତରକୁ ପ୍ରବେଶ କରୁଥିବା ଲୋକଙ୍କୁ ପରିଚୟ ପତ୍ର ଦେଲେ ଅସାମାଜିକ ଲୋକଙ୍କ ଅବାଧ ପ୍ରବେଶ ମାତ୍ରା କମିଯିବ। ଅଞ୍ଚଳବାସୀଙ୍କୁ ଜୀବଜନ୍ତୁ ଓ ବୃକ୍ଷଲତା ସୁରକ୍ଷା, ଜଳବାୟୁ ସୁରକ୍ଷା ଏବଂ ଶିମିଳିପାଳ ପାଦ ଦେଶରେ ଔଷଧୀୟ ବୃକ୍ଷଲତା ଫାର୍ମ ସୃଷ୍ଟି କରି ସ୍ଥାନୀୟ ଯୁବକଙ୍କୁ ନିୟୋଜିତ କଲେ, ଅବାଧ ଖଣି ଖନନ ରୋକ ଗଲେ ବହୁ ମାତ୍ରାରେ ଅଭୟାରଣ୍ୟ ସୁରକ୍ଷିତ ହୋଇ ପାରିବ। ଉକ୍ତ ପଦଯାତ୍ରାରେ ଭଞ୍ଜସେନାର ଆଦିବାସୀ ସେଲ୍ ସଭାପତି ବାଜୁନ ହାଁସଦା, ବାରିପଦା ଉପଖଣ୍ଡ ସମ୍ପାଦକ ମନୋରଞ୍ଜନ ବାରିକ, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ଜିଲ୍ଲା ସାଧାରଣ ସମ୍ପାଦକ ଜିତେନ୍ଦ୍ର ହେମ୍ବ୍ରମ, କୋଷାଧ୍ୟକ୍ଷ ବିଘ୍ନେଶ୍ୱର ବାସ୍କେ, ରାମଚନ୍ଦ୍ର ମାରାଣ୍ଡି, ସୁଜିତ୍ ସାହୁଙ୍କ ସମେତ ବହୁ ସଦସ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର