କୋରାପୁଟରେ ଭାରତବନ୍ଦ ଆଂଶିକ ସଫଳ

ଜୟପୁର: କେନ୍ଦ୍ରର କୃଷକ ବିରୋଧୀ ତିନୋଟି କୃଷି ଆଇନକୁ ବିରୋଧ ଏବଂ କୃଷି ଜାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନ ପ୍ରଣୟନ କରିବା ଦାବିରେ ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ଆଜି ଚାରିମାସ ପୁରିଲା। ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଭାରତବନ୍ଦ କରିବାକୁ ଡାକାରା ଦିଆଯାଇଥିଲା। ଏହାକୁ ଏଆଇଟିୟୁସି ଓ ଜିଲ୍ଲା କୃଷକ କଲ୍ୟାଣ ମଂଚ ସମର୍ଥନ କରି ଜିଲ୍ଲାରେ ବନ୍ଦ ପାଳନ କରିଛନ୍ତି। ସକାଳ ୬ଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ଏହି ବନ୍ଦ ପାଳନ କରିବା ଯୋଜନା ରହିଥିଲା। ଜୟପୁର ଠାରେ ଏହାର ଆଂଶିକ ପ୍ରଭାବ ଦେଖା ଦେଇଛି। ଜୟପୁର ଟ୍ରାଫିକ ଛକ ଠାରେ ଜାତୀୟ ରାଜପଥ ଉପରେ ଉଭୟ ସଂଗଠନର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରି ରାସ୍ତାରୋକ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଭାରୀଯାନ, ବସ ଆଦି ବନ୍ଦ ରହିଥିଲା। ଲୋକାଲ ଘରୋଇ ଓ ସରକାରୀ ବସ ସବୁ ବନ୍ଦ ରହିଥିଲା। ସହରର ଟ୍ରାଫିକ ଛକକୁ ବାଦ୍ ଦେଇ ଅନ୍ୟ ସବୁ ଦୋକାନ ବଜାର ଖୋଲା ରହିଥିଲା। ଯଦିଓ ସରକାର ଅଘଟଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଛୁଟି ଘୋଷଣା କରିଥିବାରୁ ଏସବୁ ଖୋଲା ନଥିଲା। କିଛି ବ୍ୟାଙ୍କ ଖୋଲା ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ପିକେଟିଂ କରି ବନ୍ଦ କରାଇଥିଲେ।

ତୁରନ୍ତ ୩ଟି ଯାକ କୃଷି ଆଇନକୁ କେନ୍ଦ୍ର ଫେରାଇ ନେଉ ବୋଲି ଏମାନେ ଦାବି କରିଥିଲେ। କୃଷକ ନେତା ମାନେ କହିଥିଲେ ଯେ କୋରୋନା ମହାମାରୀ ସମୟରେ କୃଷକ ମାନଙ୍କୁ ବିଶ୍ୱାସ ରେ ନନେଇ ମୋଦୀ ସରକାର କୃଷି ଆଇନ ପ୍ରଣୟନ କରିଛି, ଯାହା ଦ୍ୱାରା କୃଷି ବ୍ୟବସ୍ଥା ଅନାୟାସରେ କର୍ପୋରେଟ ମାଲିକ ମାନଙ୍କ ହାତକୁ ଚାଲିଯିବ। ପ୍ରଥମତଃ ମଣ୍ଡି ସୁଧାରିବା ବଦଳରେ ମଣ୍ଡି ବନ୍ଦ କରିବା ପାଇଁ ଆଇନ ଜରିଆରେ ଷଡ଼ଯନ୍ତ୍ର କରିଛି। ପ୍ରାଇଭେଟ୍ ମଣ୍ଡି କୁ ପ୍ରୋତ୍ସାହନ ଫଳରେ କୃଷି ଉତ୍ପାଦନ, କୃଷି ଜାତ ଦ୍ରବ୍ୟର ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଓ ବିତରଣ ଘରୋଇ ମାଲିକ ମାନଙ୍କ ହାତକୁ ଚାଲିଯିବ। ଠିକା ଚାଷ ଆଇନ ବ୍ୟବସ୍ଥା ଫଳରେ କମ୍ପାନୀ ମାନେ ଚାଷଜମିକୁ ଧିରେ ଧିରେ ଅକ୍ତିଆରକୁ ନେବାକୁ ସୁଯୋଗ ପାଇବେ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ -୧୯୫୫କୁ ରଦ୍ଦ କରି ସରକାର ଘରୋଇ ମାଲିକ ମାନଙ୍କୁ ମନ ଇଚ୍ଛା ମହଜୁଦ କରି ଖାଉଟି ବଜାର କୁ ଶୋଷଣ କରିବାର ପଥପରିଷ୍କାର କରିଦେଇଛି। ଏମ୍‌ଏସ୍ ସ୍ୱ।ମୀନାଥନ୍ କମିଶନ୍ ରିପୋର୍ଟ ଅନୁଯାୟୀ ଖାଦ୍ୟ ଉତ୍ପାଦନ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ଦାବି କରିଥିଲେ। ଏଥିରେ ଏଆଇଟିୟୁସିର ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାଶ, ଜିଲ୍ଲା କୃଷକ କଲ୍ୟାଣ ମଂଚର ନରେନ୍ଦ୍ର ପ୍ରଧାନ, ମନୋଜ ପାତ୍ର, ବିଶ୍ବନାଥ ଗୌଡ଼, ଝାଡେଶ୍ବର ସାହୁ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଓ ଚାଷୀ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର