ଖୋର୍ଦ୍ଧା: ନୂତନ ଶ୍ରମ ଓ କୃଷି ଆଇନକୁ ବିରୋଧ କରି ଆଜି ବାମ ଦଳ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟରେ ଖୋର୍ଦ୍ଧା କଂଗ୍ରେସ ସାମିଲ ହୋଇଛି । ଖୋର୍ଦ୍ଧା ସହର ଓ ଉପକଣ୍ଠରେ ବନ୍ଦ ପ୍ରଭାବ ଆଂଶିକ ଭାବେ ପଡ଼ିଛି । ଆଜି ସକାଳେ ବାମ ଦଳ ଓ ବାମଦଳ ସମର୍ଥିତ ଶ୍ରମିକ ସଂଗଠନ ଏବଂ କଂଗ୍ରେସ ଦଳର ନେତା ଓ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ଖୋଲିଥିବା ଦୋକାନଗୁଡ଼ିକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ତେବେ ଖୋର୍ଦ୍ଧା ଉପକଣ୍ଠରେ ବନ୍ଦର ପ୍ରଭାବ ପ୍ରାୟତଃ ପଡ଼ିନଥିଲା । ସମସ୍ତ ଦୋକାନବଜାର, ପେଟ୍ରୋଲ୍ ପମ୍ପ ଆଦି ଖୋଲାରହିଥିଲା ।
/sambad/media/post_attachments/wp-content/uploads/2020/11/Bharat-bundh-khordha-5-300x225.jpeg)
ସହର ମଧ୍ୟରେ ଦୋକାନଗୁଡ଼ିକ ୩-୪ଘଂଟା ବନ୍ଦ ରହିବା ପରେ ବ୍ୟବସାୟ ସ୍ୱାଭାବିକ ରୂପେ ଚାଲିଥିଲା । ତେବେ ପରିବା ଦୋକାନ, ଔଷଧ, ବହି ଦୋକାନ ଆଦି ସକାଳୁ ସ୍ୱାଭାବିକ ଭାବେ ଖୋଲା ରହିଥିଲା । ଜାତୀୟ ରାଜପଥରେ ମାଲବାହୀ ଟ୍ରକ୍ ଚଳାଚଳ ସ୍ୱାଭାବିକ ଥିବା ବେଳେ ଶିଳ୍ପାଂଚଳରେ ଗ୍ୟାସ ଆଦି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ଟ୍ରକ୍ ଚଳାଚଳ ବନ୍ଦ ରହିଥିଲା । ଖୋର୍ଦ୍ଧା ସହରରେ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଅଟୋ ଚଳାଚଳ ସ୍ୱାଭାବିକ ରହିଥିଲା । ତେବେ ବାମଦଳ ପକ୍ଷରୁ ବନ୍ଦ ସଫଳ ହୋଇଥିବା ନେଇ ଘୋଷଣା କରାଯାଇଛି । ବନ୍ଦ ନେଇ ସିଟୁ ପକ୍ଷରୁ ଜାରି କରାଯାଇଥିବା ଲିଖିତ ବିବୃତିରେ ବନ୍ଦ ସଫଳ ନେଇ ଆଶାକର୍ମୀ, ପାଚିକା ସଂଗଠନ, ଶିଳ୍ପାଂଚଳ ଶ୍ରମିକ ସଂଗଠନ, କଂଗ୍ରେସ ଓ ଅନ୍ୟ ଶ୍ରମିକ ସଂଗଠନକୁ ଧନ୍ୟବାଦ ଦିଆଯାଇଛି ।
ବୌଦ୍ଧ: କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ଅଲ୍ ଇଣ୍ଡିଆ ଟ୍ରେଡ ୟୁନିୟନ୍ ପକ୍ଷରୁ ଗୁରୁବାର ଦିନିକିଆ ଧର୍ମଘଟ, ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବୌଦ୍ଧ ଜିଲ୍ଲାରେ ଏହାର ଆଂଶିକ ପ୍ରଭାବ ଦେଖାଯାଇଛି। ଟ୍ରେଡ ୟୁନିୟନ୍ ଗୁଡ଼ିକର ବୌଦ୍ଧ ଜିଲ୍ଲା ଶାଖା କର୍ମକର୍ତ୍ତାମାନେ ସକାଳ ୬ଟାରୁ ପିକେଟିଂ କରି ଯାନବାହାନ ଚଳାଚଳ ବନ୍ଦ କରିଥିଲେ। ଫଳରେ ବହୁ ସଂଖ୍ୟାରେ ଭାରୀ ଯାନବାହାନ ଜାତୀୟ ରାଜପଥ ୫୭ରେ ଅଟକି ରହିଥିଲା। ସ୍ଥାନୀୟ ଏନ୍ଏସି ଛକରେ ଆନ୍ଦୋଳନକାରୀ ଜମା ହୋଇ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷି ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ। ବୌଦ୍ଧ ସହରରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ସ୍ବତଃସ୍ଫୂର୍ତ୍ତ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଜିଲ୍ଲାର ୩ ବ୍ଲକ୍ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଲ ଅଞ୍ଚଳରେ ପ୍ରାୟତଃ ବନ୍ଦ ପ୍ରଭାବ ଦେଖିବାକୁ ମିଳି ନଥିବା ଜଣାପଡିଛି। ଜହ୍ନାପଙ୍କ, ସାହାଜପାଲ, ବାଉଁଶୁଣି, ମନମୁଣ୍ଡା. ପଲସାଗୋରା, କଣ୍ଟାମାଲ, ଘଣ୍ଟାପଡ଼ା, ପୁରୁଣାକଟକ ଭଳି ପ୍ରମୁଖ ଅଞ୍ଚଳରେ ବନ୍ଦର ପ୍ରଭାବ ପଡି ନଥିବା ଦେଖାଯାଇଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକ ସ୍ବତଃ ବନ୍ଦ ରଖାଯାଇଥିବା କୁହାଯାଉଥିବା ବେଳେ ବେସରକାରୀ କାର୍ଯ୍ୟାଳୟ, ଦୋକାନବଜାର, ଗାଡ଼ି ଚଳାଚଳ ମଧ୍ୟ ସ୍ବଭାବିକ ରହିଥିଲା। ତେବେ ଆନ୍ଦୋଳନକାରୀଙ୍କ ପକ୍ଷରୁ କେବଳ ବୌଦ୍ଧ ଏନ୍ଏସି ଅଞ୍ଚଳ ବା ସଦରରେ ପିକେଟିଂ କରି ବୌଦ୍ଧ କୋର୍ଟ କମ୍ପ୍ଲେକ୍ସ ବନ୍ଦ କରାଯାଇଥିଲା। ସେଠାରେ ଜିଲ୍ଲା ସେସନ୍ ଜଜ୍ ଅରବିନ୍ଦ ଗୁରୁ ସମେତ ଅନ୍ୟାନ୍ୟ ବିଚାରପତି, କୋର୍ଟ କର୍ମଚାରୀଙ୍କୁ ଆନ୍ଦୋଳନକାରୀଙ୍କ ପକ୍ଷରୁ ସହଯୋଗ କରିବାକୁ କୁହାଯାଇଥିଲା। ତେବେ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ଭଳି ଦିନରେ ବନ୍ଦ ଡାକରା ଦିଆଯିବାକୁ ଜିଲ୍ଲା ଜଜ୍ ଶ୍ରୀ ଗୁରୁ ଅସନ୍ତୋଷ ପ୍ରକଟ କରିଥିଲେ।
/sambad/media/post_attachments/wp-content/uploads/2020/11/9775e670-1601-4280-bc51-74c1d2fe71ac-1024x522.jpg)
ବଲାଙ୍ଗୀର: କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନମାନଙ୍କ ଭାରତ ବନ୍ଦ ଡାକରାରେ ବଲାଙ୍ଗୀର ସହରରେ ଅଧା ଖୋଲା ଓ ଅଧା ବନ୍ଦ ସ୍ଥିତି ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଟ୍ରେଡ ୟୁନିଅନର କର୍ମକର୍ତ୍ତାମାନେ ପିକେଟିଂ କରି କିଛି ସରକାରୀ କାର୍ଯ୍ୟାଳୟ ବନ୍ଦ କରାଇଥିଲେ। ବନ୍ଦ ସେତେଟା କଡ଼ାକଡ଼ି ନଥିଲା। ଯାନବାହନ ଚଳାଚଳ ଉପରେ ବି ସେତେଟା ପ୍ରଭାବ ବଲାଙ୍ଗୀରରେ ପଡ଼ିନଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ ଅଫ୍ ବଲାଙ୍ଗୀରର ନେତୃତ୍ୱରେ ବିଭିନ୍ନ ୟୁନିଅନ କର୍ମକର୍ତ୍ତା ଧାରଣା ଦେଇଥିଲେ। ଅନୁଷ୍ଠିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାରର ଅଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରାଯାଇ ଦୃଢ଼ ନିନ୍ଦା କରାଯାଇଥିଲା। ସରକାର ଶ୍ରମିକ, କୃଷି ଓ କୃଷକଙ୍କୁ ଅଣଦେଖା କରି ଶିଳ୍ପପତି ଓ ବ୍ୟବସାୟୀଙ୍କୁ ସୁହାଇଲା ଭଳି ନିୟମ କରୁଥିବା ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Bharat-bundh-Khordha-4.jpg)