ଭାରତମାଳା ପରିଯୋଜନା ଜନଶୁଣାଣିରେ ଗର୍ଜିଲେ ନେତା ଓ ଜନତା; ବିଧାୟକ କହିଲେ- ମଡେଲ କଲେଜ ଭାଙ୍ଗିଲେ ନିଆଁ ଜଳିବ

କୋରାପୁଟ: ଜମି ବଦଳରେ ଜମି ଦିଅ। ଜୀବିକା ବଦଳରେ ଜୀବିକା ଦିଅ। ଜମି କି ଚାକିରି ନାହିଁ ତ ରାସ୍ଥା ନାହିଁ। ଭିଟା ମାଟି ପାଇଁ ଜୀବନ ଯିବ ସିନା ଇଞ୍ଚିଏ ବି ମାଟି ଦିଆଯିବନାହିଁ। ରେଳ ପଥରେ ଆମ ଜମି, ଡ୍ୟାମ ତିଆରିରେ ଆମ ଜମି ଆଉ ଏବେ ଭାରତମାଳା ପରିଯୋଜନାରେ ଆମ ଜମି ଯିବ। ସ୍ଥାନୀୟ ବାଳକ ବିଦ୍ୟାଳୟର ଖେଳପଡିଆରେ ଅନୁଷ୍ଠିତ ଭାରତମାଳା ପରିଯୋଜନାର ଜନ ଶୁଣାଣିରେ ଏପରି କହି ପ୍ରଶାସନ ଓ ଜାତୀୟ ରାଜପଥ ଉପରେ ବର୍ଷିଛନ୍ତି ନେତା‌ ଓ ଭୂମିହରା କୋରାପୁଟିଆ। ଜିଲ୍ଲାର ବୋରିଗୁମ୍ମା, କୋରାପୁଟ, ସେମିଳିଗୁଡା, ଦଶମନ୍ତପୁର ଓ ପଟ୍ଟାଙ୍ଗୀ ବ୍ଲକରୁ ଆସିଥିବା ଶତାଧିକ ଜନତା ସେମାନଙ୍କ କ୍ଷ‌ୋଭ ପ୍ରକାଶ କରିଥିଲେ। ଏହାସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜିଲ୍ଲା ପ୍ରଶାସନ ଓ ଏନଏଚଏଆଇ ଉପରେ ‘ବଡି ଫୁଲ’ କହି ବର୍ଷିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ବଡ ବଡ ତିନୋଟି ନିର୍ବାଚନ ମଣ୍ଡଳୀ ଦେଇ ଏହି ପରିଯୋଜନା ଯାଉଥିବାବେଳେ ‌କେବଳ ଜୟପୁର ବିଧାୟକଙ୍କୁ ଛାଡିଦେଲେ ସ୍ତାନୀୟ ଲୋକ ପ୍ରତିନିଧିଙ୍କର ଦେଖା ଦର୍ଶନ ମିଳି ନ ଥିଲା। ଅନ୍ୟପକ୍ଷରେ ବିଳମ୍ବ ହେଲେ ମଧ୍ୟ ସେମିଳିଗୁଡାରେ ନିର୍ମାଣାଧୀନ ରହିଥିବା ମଡେଲ କଲେଜ ଭଙ୍ଗାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କଲେଜକୁ ନେଇ ବିଧାୟକ ସପ୍ତାହକ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ଚରମବାଣୀ ଶୁଣାଇଥିଲେ। ଯଦି ସପ୍ତାହକ ମଧରେ ପ୍ରଶାସନ ଶୁଣିବ ତେବେ ରାଜରାସ୍ତାକୁ ଓହ୍ଲେଇବେ। ପରବର୍ତ୍ତୀ ସମୟରେ ରକ୍ତପାତର ପଥ ନେବେ ବୋଲି ଜୟପୁର ବିଧାୟକ କହିଥିଲେ। କୋରାପୁଟ ଜିଲ୍ଲାରେ ଭାରତମାଳା ପରିଯୋଜନାରେ ୧୨୬ କିଲୋମିଟର ରାସ୍ତା ହେବାକୁ ଥିବା ବେଳେ ଏଥି ସମ୍ବଦ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି । ରାସ୍ତା ନିର୍ମାଣ ପୂର୍ବରୁ କେତେ ଗଛ କାଟିବାକୁ ପଡିବ, ପରିବେଶ ପ୍ରତିଫଳନ ସହ ତାହାର ଗଣନା କରାଯିବା ସହ ରାସ୍ତା ନିର୍ମାଣର ମୂଲ୍ୟାଙ୍କନ ଉପରେ ଆଲୋକପାତ କରାଯାଇଥିଲା।

Sambad

ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ପରିଯୋଜନାକୁ ପରିଚାଳନା କରାଯାଉ ଥିବାବେଳେ ଛତିଶଗଡର ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣା (ମୋଟ ୩୫୯କିମି)କୁ ଓଡ଼ିଶା ଦେଇ ଏହା ଯୋଗ କରିବ। ଓଡ଼ିଶା-ଛତିଶଗଡ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୁଣ୍ଡେଇରୁ ଏହା ଆରମ୍ଭ ହେବାକୁ ରହିଥିବାବେଳେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଣ୍ଡରାଙ୍ଗୀ ଗାଁରେ ଶେଷ ହେବ। କେନ୍ଦ୍ର ଜାତୀୟ ରାଜପଥ ତଥା ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟ ପାଇଁ ରାଜ୍ୟ ବାହାରର ଏକ ଘରୋଇ ଇଞ୍ଜିନିୟରିଂ ସଂସ୍ଥାକୁ ପ୍ରଦାନ କରାଯାଇଛି। ଏହି ରାସ୍ତାର ଆଁରେ ମୋଟ ୧୨୯ଟି ଗାଁ ପଡୁଥିବାବେଳେ କୋରାପୁଟ ଜିଲ୍ଲାରେ ୫୯ଟି ଗାଁ ରହିଛି। ଜମି ଅଧିଗ୍ରହଣ ପାଇଁ ଯେଉଁ ତହସିଲଦେଇ ଏହି ରାସ୍ତା ଯିବ ‌ଉକ୍ତ ତହସିଲଦାର ଏହାର ଦାୟିତ୍ବରେ ରହିବେକୁ ରହିଥିବାବେଳେ ସେମାନେ ମଧ୍ୟ ଉପସ୍ଥିତଥିଲେ।ଏହି ପ୍ରକଳ୍ପ ପାଇଁ ୮୦୯୩ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଯୋଜନାକୁ ଭତ୍ତି କରି ଏହା ବୃଦ୍ଧି ପାଇବା ଆଶା କରାଯାଉଛି।

ତେବେ ଏହି ପ୍ରକଳ୍ପକୁ ତିନି ଭାଗରେ ବିଭକ୍ତ କରାଯାଇ ଠିକା ସଂସ୍ଥା ଡିପିଆର କେନ୍ଦ୍ର ସରକାରଙ୍କୁ ଦେଇଥିବାବେଳେ ପ୍ରଥମ ଭାଗରେ ରାୟପୁରରୁ ନବରଙ୍ଗପୁର, ଦ୍ବିତୀୟ ଭାଗରେ ନବରଙ୍ଗପୁରରୁ-କୋରୋପୁଟ ଓ ତୃତୀୟ ଭାଗରେ କୋରାପୁଟରୁ- ଆନ୍ଧ୍ରର ବିଶାଖାପାଟଣାକୁ ଯୋଡିବ। ଏହି ପରିଯୋଜନା ଅର୍ଥନୈତିକ କରିଡର ପାସ ହେବାକୁ ରହିଥିବାବେଳେ ଛିତିଶଗଡ-ଓଡ଼ିଶା- ଆନ୍ଧ୍ର ପ୍ରଦେଶର ଆର୍ଥିକ, ସାମାଜିକ ଓ ରାଜନୈତିକ ଉତ୍ଥାନ ହେବ। ଏନେଇ ଏନଏଚଏଆଇ ସାଇଟ ଇଞ୍ଜିନିୟର କିରଣ କୁମାର କହିଛନ୍ତି ଯେ ଏବେ ଭାରତମାଳା ପ୍ରଥାମିକ ପର୍ଯ୍ୟାୟରେ ରହିଛି। ତେଣୁ କୋରାପୁଟରେ ଆଜି ଜନଶୁଣାଣି କରାଯାଇଛି। ଏହିଠାରେ ମିଳିଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯିବ। ସେଠାରୁ ନିଷ୍ପତ୍ତି ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର