ପଇସା ଦେଉନି ଭାରତମାଳା ପରିଯୋଜନା: ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ୪ ପଞ୍ଚାୟତବାସୀ

କୋରାପୁଟ: ଜମି ନେଇଗଲା, ହେଲେ ପଇସା ଦେଉନି। ଯେଉଁ ପଇସା ଦେଉଛି ସେଥିରେ ପାନ୍ତରଅନ୍ତର କରୁଛି। କାହାକୁ କୋଟିଏରେ ଦେଲାବେଳେକୁ କାହାକୁ ଦେଉଛି ହଜାରରେ। ଏପରି ଅଭିଯୋଗନେଇ ଆଜି କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟକୁ ଅଭିଯୋଗ ନେଇ ଆସିଥିଲେ ସେମିଳିଗୁଡା ବ୍ଲକର ପାକଝୋଲା, ହାଟପଦା, କୁନ୍ଦୁଲି, ଦଳେଇଗୁଡା ପଞ୍ଚାୟତର ‌ଶହ ଶହ ବାସିନ୍ଧା। ସେମାନେ ଅଭିଯୋଗକରିଛନ୍ତି ଯେ ଏହି ବ୍ଲକର ୪ଟି ପଞ୍ଚାୟତ ଦେଇ ଭାରତମାଳା ପରିଯୋଜନା‌ରେ ରାସ୍ତା ଯାଉଥିବାବେଳେ ଜମି ହରାଉଛନ୍ତି ଶହ ଶହ ଆଦିବାସୀ। ଏହି ଅଞ୍ଚଳରେ ଏକରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବାକୁ ଯୋଜନା ହୋଇଥିବାବେଳ‌େ ଚାଷବାସ କରି ଏହି ଆଦିବାସୀମାନେ ଅଧିକ ଲାଭ ପାଉଛନ୍ତି। ଚିନାବାଦମ, ଅଦା, ମକା ସହ ଅନ୍ୟ ଅର୍ଥକାରୀ ଫସଲ କଲେ ବାର୍ଷିକ ୬ରୁ ୭ ଲକ୍ଷ ଟଙ୍କା ଆୟ କରୁଥିବାରୁ କାହିଁକି ମାତ୍ର ୨ ଲକ୍ଷ ଟଙ୍କାରେ ଏକର ଏକର ଜମି ଜମ ଦେବୁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଚାଷକୁ ନେଇ ଏହ ଆଦିବାସୀ ମାନେ ଚଳୁଥିବାବେଳେ ସେମାନଙ୍କୁ ତାଙ୍କ ପ୍ରାପ୍ୟ ନ ଦେଇ ଜୋର ଜବରଦସ୍ତି ଜମି ନେଇ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଏନେଇ ୪ଟି ପଞ୍ଚାୟତ ଲୋକେ ସେମିଳିଗୁଡା ତହସିଲଦାରଙ୍କୁ ଅଭିଯୋଗ ଦେଇଥିବାବେଳେ ଧାରଣାରେ ବସିଥିଲେ। ଏହାପରେ ଦାବି ପୂରଣ ହେବା ନେଇ ପ୍ରତିଶ୍ରୁତି ମିଳିଥିଲେ, ହେଲେ ସମୟ କ୍ରମେ ପ୍ରଶାସନ ଭୁଲି ଯାଇଥିଲା। ଏହାପରେ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ଯଦି ଦାବି ପୂରଣନୁହେଁ ତେବେ ତ ପରିବାର ସହ ରାଜରାସ୍ତାକୁ ଓହ୍ଲେଇବେ ବୋଲି କହିଛନ୍ତି ଜଗନ୍ନାଥ ଖରା,ଘନଶ୍ୟାମ ନାୟକ, ପ୍ରଦୀପ ଖୋସଲା, ଗୋପି ମୁଣ୍ଡା ଗଡିଆ, ଅଜୁର୍ନ କ୍ରିଶାନି, ମହେଶ୍ବର ଖୀଲ, ଅଜୁର୍ନ ଗୁଣ୍ଠାଙ୍କ ସହ ବହୁ ଆଦିବାସୀ ଆଜି ଉପସ୍ଥିତ ଥିଲେ। କୋରାପୁଟ ଦେଇ ରାୟପୁରରୁ ବିଶାଖାପାଟଣା କୁ ମାତ୍ର ସାତ ଘଣ୍ଟାରେ ଯାତ୍ରା କରିବା ପାଇଁ ଭାରତମାଳା ସଡକ ଯୋଜନା କରାଯାଇଥିବା ବେଳେ ଉପଯୁକ୍ତ ଥଇଥାନ ଦାବିରେ ଜମିହରା ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ବର୍ତମାନ ରାୟପୁର ଓ ବିଶାଖାପାଟଣା ମଧ୍ୟରେ ଦୂରତା ୫୧୪ କିଲୋମିଟର ରହିଥିବା ବେଳେ ନୂତନ ଭାବେ ଏନଏଚଏଆଇ ଦ୍ୱାରା ପ୍ରସ୍ତାବିତ ଭାରତମାଳା ସଡକ ଯୋଜନାରେ ଏହା କମିଯାଇ ୪୬୪ କିଲୋମିଟର ହୋଇଯିବ । ଛଅ ଲେନ ସମ୍ପନ୍ନ ଏହି ରାସ୍ତାରେ ଗାଡ଼ି ଗୁଡିକର ହାରାହାରି ସର୍ବନିମ୍ନ ବେଗ ଘଣ୍ଟାକୁ ୭୦ କିଲୋମିଟର ବେଗ ରହିଛି ଯାହାକି ବର୍ତ୍ତମାନର ହାରାହାରି ବେଗ ଠାରୁ ପ୍ରାୟ ଦୁଇଗୁଣ ରହିଛି । ଏହି ସଡକ ଛତିଶଗଡ଼ ରାଜ୍ୟରେ ୧୨୪.୬୬୧ କିଲୋମିଟର ବାଟ ଅତିକ୍ରମ କରି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବ । ନବରଙ୍ଗପୁର ଜିଲ୍ଲାରେ ୧୧୪.୯୮୯ କିଲୋମିଟର ରାସ୍ତା ଅତିକ୍ରମ କରି କୋରାପୁଟ ଜିଲ୍ଲାର ବୋରିଗୁମ୍ମା , ଦଶମନ୍ତପୁର , କୋରାପୁଟ , ସେମିଳିଗୁଡା ଓ ପଟ୍ଟାଙ୍ଗି ତହସିଲ ବାଟ ଦେଇ ଆନ୍ଧ୍ରପ୍ରଦେଶ ମଧ୍ୟକୁ ପ୍ରବେଶ କରିବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର