ଭଦ୍ରକ କୋର୍ଟ ପରିସରରେ ପୁଲିସ ହେପାଜତରୁ ଚମ୍ପଟ ମାରୁଥିବା ବେଳେ ଧରାପଡ଼ିଲା ଅଭିଯୁକ୍ତ

ଭଦ୍ରକ: ଭଦ୍ରକ କୋର୍ଟ ପରିସରରେ ସୋମବାର ଅପରାଧୀ ପଛରେ ପୁଲିସ ଦୌଡ଼ୁଥିବାର ଏକ ଅଭାବନୀୟ ତଥା କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଭଦ୍ରକ ସହରାଞ୍ଚଳ ଥାନା ଡଗରାସାହି ଗ୍ରାମରେ ରବିନ୍ଦ୍ର ନାୟକଙ୍କ ଘର ପାଖରେ ବାଲେଶ୍ୱର ସହଦେବ ଖୁଣ୍ଟାର ବାସିନ୍ଦା ବୋଲି ପରିଚୟ ଦେଇ ଖଇରାଥାନା ଅନ୍ତର୍ଗତ ଘୁଷୁରୀଗଢ଼ିଆ ଗ୍ରାମର ମାନସ ଜେନା ଓ ତାଙ୍କ ପିତା ମାୟାଧର ଜେନା ଏକ ଭଡା ଘରେ ରହୁଥିଲେ। ଏକଦା ରବିନ୍ଦ୍ର ଘରେ ନଥିବା ସମୟରେ ଏହାର ସୁଯୋଗ ନେଇ ଅପରାଧି ମାନସ ତାଙ୍କର ୮ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ଦେଇଥିଲା। ଏ ନେଇ ଗତ ୩/୧୧/୧୭ ତାରିଖରେ ଭଦ୍ରକ ଥାନାରେ ୩୩୭/୧୭ରେ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ଅଭିଯୋଗ କ୍ରମେ ଅପରାଧୀ ମାନସକୁ ଗିରଫ କରିଥିଲା। ଗିରଫ କରିବା ଦିନଠାରୁ ମାନସ ଜେଲରେ ଥିଲା।

ସେମାବାର ମାନସକୁ ପୁଲିସ ହେପାଜତ୍‌ରେ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟକୁ ଅଣାଯାଉଥିଲା। ଏହି ସମୟରେ ଅଭିଯୁକ୍ତ ମାନସ କୌଶଳ କ୍ରମେ ପୁଲିସ ହେପାଜତ୍‌ରୁ ଖସି ପଳାଇଥିଲା। ପୁଲିସ କୋର୍ଟ ପରିସରରେ ଅପରାଧୀକୁ ଧରିବାକୁ ଦୌଡ଼ିବାରେ ଲାଗିଥିଲା। କିଛି ଦୂର ଯିବା ପରେ ସେଠାରେ ଉପସ୍ଥିତ ଥିବା ଜଣେ ଆଇନଜୀବୀ ମାନସ ଆଗରେ ଗୋଡ ଦେଖାଇ ଦେଇଥିବାରୁ ସେ ଚଟାଣରେ କଚାଡି ହୋଇ ପଡ଼ିଥିଲା। ଫଳରେ ପୁଲିସ ମାନସକୁ କାବୁ କରି ନେଇଥିଲା।

ସମ୍ବନ୍ଧିତ ଖବର